ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ ପୁରସ୍କାର, ଅଭିଷେକ ଓ ମାଧୁରୀ ଶ୍ରେଷ୍ଠ କ୍ରିକେଟର୍‌

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଜଗତର ସବୁଠାରୁ ପୁରୁଣା ଓ ନିୟମିତ ପ୍ରଦତ୍ତ ବାର୍ଷିକ କ୍ରୀଡ଼ା ପୁରସ୍କାର ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାରର ୨୦୨୧-୨୨ ଋତୁ ପାଇଁ ବିଜେତାଙ୍କ ନାମ ଘୋଷିତ ହୋଇଛି। ଗତ ଋତୁରେ ସଫଳ ରହିଥିବା ଅଭିଷେକ ରାଉତ ଏବଂ ମାଧୁରୀ ମେହେଟ୍ଟାଙ୍କୁ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା କ୍ରିକେଟର୍‌ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଅଭିଷେକ ୨୯ତମ ପୁରୁଷ କ୍ରିକେଟର୍‌ ଏବଂ ମାଧୁରୀ ଅଷ୍ଟମ ମହିଳା ଭାବେ ଏହି ପୁରସ୍କାର ହାସଲ କରିବେ। ଅଭିଷେକ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ଯାଉଥିବା ବେଳେ ମାଧୁରୀ ଦ୍ୱିତୀୟ ଥର ଏହା ଲାଭ କରିବେ।ରଣଜୀ ଟ୍ରଫି ସହ ଅନ୍ୟ ଦୁଇ ଫର୍ମାଟର ପ୍ରଦର୍ଶନକୁ ବିଚାର କରାଯାଇ ଅଲ୍‍ରାଉଣ୍ଡ ସଫଳତା ଆଧାରରେ ଅଭିଷେକଙ୍କୁ ଚୟନ ସମିତି ବାଛିଛନ୍ତି। ତିନୋଟି ଯାକ ଫର୍ମାଟରେ ଗତ ଋତୁରେ ଅଭିଷେକ ମୋଟ ୪୮୯ ରନ୍‍ କରିବା ସହ ୧୮ଟି ୱିକେଟ୍‌ ଦାଖଲ କରିଥିଲେ। ସଦ୍ୟ ସମାପ୍ତ ମହିଳା ଋତୁରେ ମାଧୁରୀଙ୍କ ପ୍ରଦର୍ଶନ ଭଲ ଥିଲା।

ସେ ଏକଦିବସୀୟ ଏବଂ ଟି-୨୦ରେ ମୋଟ୍‍ ୪୫୪ ରନ୍‍ କରି ଓଡ଼ିଶା ମହିଳା ଦଳର ଅଗ୍ରଣୀ ସ୍କୋରର୍‌ ଥିଲେ। ଏହି ଦୁଇ ମନୋନୀତ କ୍ରିକେଟ ପ୍ରତିଭାଙ୍କୁ ପୁରସ୍କାର ଆକାରରେ ୩୧ ହଜାର ଟଙ୍କାର ଚେକ୍‍, ପ୍ରଶସ୍ତି ପତ୍ର ଏବଂ ଟ୍ରଫି ଆସନ୍ତା ମାସରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ ହେବ ବୋଲି ସହିଦ ସ୍ପୋର୍ଟିଂ କ୍ଲବ୍‌ର ସଂପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି। କ୍ରୀଡ଼ା ସାମ୍ବାଦିକ ସୁଶାନ୍ତ ମହାନ୍ତି, ସୁରେଶ ସ୍ୱାଇଁ, ସମୀକ୍ଷା ପଟ୍ଟନାୟକ, ତପନ ସ୍ୱାଇଁ, ନିରଞ୍ଜନ ରେଡ୍ଡୀ, ଉମାକାନ୍ତ ମିଶ୍ର, ସଂବିତ ମହାପାତ୍ର, ମାରୁତି ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, ସହିଦ ସ୍ପୋର୍ଟିଂର ସଂପାଦକ ପଙ୍କଜ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତିଙ୍କୁ ନେଇ ଗଠିତ ଚୟନ ସମିତି ଏହି ଦୁଇ ଖେଳାଳିଙ୍କୁ ମନୋନୀତ କରିଥିଲେ।

ସମ୍ବନ୍ଧିତ ଖବର