ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ଅଭିଷେକ ନାୟରଙ୍କ ଅବସର

ମୁମ୍ବାଇ : ମୁମ୍ବାଇ ଅଲରାଉଣ୍ଡର ଅଭିଷେକ ନାୟର ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଭାରତ ପାଇଁ ନାୟର ମାତ୍ର ୩ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ୨୦୦୯ ଜୁଲାଇରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ େଵଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳାରେ ହିଁ ସେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଏହି ବାମହାତୀ ବ୍ୟାଟ୍‌ସମ୍ୟାନ୍‌ କୌଣସି ରନ୍‌ କରିପାରିନଥିଲା ବେଳେ ୱିକେଟ୍‌ ଶୂନ୍ୟ ମଧ୍ୟ ରହିଥିଲେ। ତେବେ ୩୬ ବର୍ଷ ବୟସ୍କ ନାୟର ୧୦୩ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ୧୩ ଶତକ ଓ ୩୨ ଅର୍ଧଶତକ ସହାୟତାରେ ୪୫.୬୨ ହାରରେ ମୋଟ ୫,୭୪୯ ରନ୍‌ କରିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୨୫୯ ରନ୍‌। ପ୍ରଥମଶ୍ରେଣୀ କ୍ରିକେଟରେ ସେ ୩୧.୪୭ ହାରରେ ୧୭୩ ଵିକେଟ ହାସଲ କରିଥିଲେ। ୨୦୧୮ରେ ନାୟର ତାଙ୍କର ଶେଷ ମ୍ୟାଚ୍‌ ଖେଳିଥିଲେ। ଏହା ବ୍ୟତୀତ ନାୟର ୯୯ ଲିଷ୍ଟ-ଏ ମ୍ୟାଚ ଖେଳି ୩୧.୦୮ ହାରରେ ୨,୧୪୫ ରନ କରିବା ସହିତ ୭୯ ଵିକେଟ ନେଇଥିଲେ। ନାୟର ଏବେ ଆଇପିଏଲ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ସହକାରୀ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର