ଅହମଦାବାଦ: ମାତ୍ର କିଛି ଦିନ ତଳେ ଛକା, ଚୌକା ବର୍ଷା କରି ଭାରତୀୟ ଯୁବ ଓପନର୍ ଅଭିଷେକ ଶର୍ମା ପ୍ରତିପକ୍ଷ ବୋଲରଙ୍କ ମନରେ ଭୟ ଓ ଶିହରଣ ସୃଷ୍ଟି କରୁଥିଲେ। ସଠିକ୍ ସଟ୍ ଚୟନ ଓ ନିର୍ଭୀକ ଆକ୍ରମଣର ଅପୂର୍ବ ସମନ୍ବୟରେ ବଡ଼ବଡ଼ ପାଳି ଖେଳୁଥିଲେ। ହେଲେ ଗତ କିଛି ଦିନ ହେବ ତାଙ୍କ ଯାଦୁ ଯେମିତି ହଠାତ୍ ଉଭାନ ହୋଇଯାଇଛି। ଅଭିଷେକଙ୍କ ବ୍ୟାଟରୁ ରନ୍ ବୋହିବାର ସ୍ରୋତ ଯେମିତି ପୂରା ଶୁଖି ଯାଇଛି। ଏପରିକି ଗତ ୮ ମ୍ୟାଚ୍ରେ ସେ ୫ଥର ଖାତା ଖୋଲି ପାରି ନାହାନ୍ତି।
ତେବେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆମେରିକା, ପାକିସ୍ତାନ ଏବଂ ବୁଧବାର ନେଦରଲାଣ୍ଡ୍ସ ବିପକ୍ଷରେ ସେ ‘ଶୂନ’ରେ ଆଉଟ୍ ହେବା ପ୍ରଶଂସକଙ୍କୁ ସବୁଠୁ ଅଧିକ ବ୍ୟଥିତ କରିଛି। ପ୍ରତିପକ୍ଷ ଦଳଗୁଡ଼ିକ ତାଙ୍କୁ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ଆସୁଛନ୍ତି। ବଲ୍ରେ ଗତି ନଦେଇ ଏହାକୁ ଷ୍ଟମ୍ପ୍ ଉପରକୁ ଘୂରାଇ ତାଙ୍କୁ ସହଜରେ ଶିକାର କରି ନେଉଛନ୍ତି। ଏଣୁ ଅଭିଷେକଙ୍କର କ’ଣ ହୋଇଛି ବୋଲି ଆଶ୍ଚର୍ଯ୍ୟ ହୋଇ ସେମାନେ ପ୍ରଶ୍ନ କରୁଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଲଗାତାର ଓ ସର୍ବାଧିକ ଥର ‘ଶୂନ’ରେ ଆଉଟ୍ ହେବାରେ ସଂପ୍ରତି ସେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର୍ ଆଶିଷ ନେହରାଙ୍କ ସହ ସମକକ୍ଷ ହୋଇଛନ୍ତି।
ତାଙ୍କ ତଳକୁ ରହିଛନ୍ତି ଶିବମ ଦୁବେ, ଗୌତମ ଗମ୍ଭୀର, ରବୀନ୍ଦ୍ର ଜାଡ଼େଜା, ବିରାଟ କୋହଲି ଓ ଅକ୍ଷର ପଟେଲ। ଏମାନେ ସମସ୍ତେ ଦୁଇ ଥର ଲେଖାଏଁ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଛନ୍ତି। ଗୋଟିଏ ବର୍ଷରେ ସର୍ବାଧିକ ଥର ‘ଶୂନ’ରେ ଆଉଟ୍ ହେବା ପରେ ଅଭିଷେକ (୫) ଏବେ କେବଳ ପାକିସ୍ତାନର ସୈମ ଆୟୁବ (୬)ଙ୍କଠାରୁ ପଛରେ ରହିଛନ୍ତି। ଓପନର୍ ଭାବେ କିନ୍ତୁ ସେ ପ୍ରଥମ ସ୍ଥାନରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/18/new-project-13-2026-02-18-21-17-15.jpg)