ନୂଆଦିଲ୍ଲୀ: ଦୁବାଇରେ ଅନୁଷ୍ଠିତ ଏସିଆ କପର ସୁପର-୪ ମ୍ୟାଚ୍ ସମ୍ପୂର୍ଣ୍ଣ ଭାବରେ ଭାରତ ସପକ୍ଷରେ ଥିଲା। ରବିବାର ଦିନ ଟିମ୍ ଇଣ୍ଡିଆ, ପାକିସ୍ତାନ ବିପକ୍ଷରେ ୧୭୨ ରନ୍‌ର ଟାର୍ଗେଟକୁ ମାତ୍ର ୧୮.୫ ଓଭରରେ ହାସଲ କରି ଏକ ଦମଦାର ବିଜୟ ହାସଲ କରିଥିଲା। ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଭିଷେକ ଶର୍ମା (୭୪ ରନ୍, ୩୯ ବଲ୍) ଏବଂ ଶୁଭମନ ଗିଲ୍ (୪୭ ରନ୍, ୨୮ ବଲ୍), ଦୁହିଁଙ୍କ ଯୋଡ଼ି ମାତ୍ର ୪୯ ବଲ୍‌ରେ ପ୍ରଥମ ୱିକେଟ୍ ପାଇଁ ୧୦୫ ରନ୍ ଯୋଡ଼ି ମ୍ୟାଚ୍‌କୁ ବଦଳାଇ ଦେଇଥିଲେ। ଅଭିଷେକ ତାଙ୍କ ଇନିଂସରେ ୫ଟି ଛକା ଏବଂ ୬ଟି ଚୌକା ମାରିଥିଲେ।

Advertisment

ଏହି ସମୟରେ ଅଭିଷେକ ପାକିସ୍ତାନୀ ଖେଳାଳି ହରିସ୍ ରାଉଫ୍ ଓ ଶାହିନ୍ ଆଫ୍ରିଦିଙ୍କ ସହିତ ଯୁକ୍ତିତର୍କ ହୋଇଥିବା ଦେଖାଯାଇଥିଲା। ମ୍ୟାଚ୍ ଶେଷ ହେବା ପରେ ସେ ଏହା ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, "ଆଜି ସବୁକିଛି ବହୁତ ସହଜ ଥିଲା। ସେମାନେ ବିନା କାରଣରେ ଆମକୁ ଉସୁକାଉଥିଲେ ତାହା ମୋତେ ପସନ୍ଦ ଆସିନଥିଲା। ତେଣୁ ମୁଁ ସେମାନଙ୍କ ବିପକ୍ଷରେ ଆକ୍ରମଣାତ୍ମକ ଭାବରେ ଖେଳିଥିଲି। ମୋର ଲକ୍ଷ୍ୟ ଥିଲା ଦଳ ପାଇଁ ଭଲ ପ୍ରଦର୍ଶନ କରିବା। ଆମେ (ଗିଲ୍ ଏବଂ ଅଭିଷେକ) ସ୍କୁଲ ଦିନରୁ ଏକାଠି ଖେଳୁଛୁ ଏବଂ ପରସ୍ପରର ସାଥ୍ ଉପଭୋଗ କରୁଛୁ। ଆଜି ଆମେ ଦୃଢ଼ ସଂକଳ୍ପବଦ୍ଧ ଥିଲୁ ଏବଂ ଦଳକୁ ଜିତାଇବାରେ ସାହାଯ୍ୟ କରିଥିଲୁ। ଗିଲ୍ ଯେଉଁଭଳି ଭାବେ ପ୍ରତିକ୍ରିୟା ଦେଉଥିଲେ ତାହା ମୋତେ ପ୍ରକୃତରେ ପସନ୍ଦ ଆସିଥିଲା।"

ଉଲ୍ଲେଖଯୋଗ୍ୟ, ଯେତେବେଳେ ଭାରତୀୟ ଦଳ ପାକିସ୍ତାନୀ ବୋଲରମାନଙ୍କୁ ନିଜ ବ୍ୟାଟ୍ ମାଧ୍ୟମରେ ଉଚିତ୍ ଜବାବ ଦେଉଥିଲେ, ସେତେବେଳେ ପାକିସ୍ତାନୀ ଖେଳାଳିମାନେ ଉତ୍ତେଜିତ ହୋଇଉଠିଥିଲେ। ଯେତେବେଳେ ଦ୍ରୁତ ବୋଲର ହାରିସ ରୌଫ ପଞ୍ଚମ ଓଭର ବୋଲିଂ କରିବାକୁ ଆସିଲେ, ଅଭିଷେକ ତାଙ୍କ ବଲ୍‌ରେ ଚୌକା ମାରିଥିଲେ। ଏହା ଦେଖି ରୌଫ କିଛି କହିବାକୁ ଲାଗିଲେ। ଏହା ପରେ ଅଭିଷେକ ମଧ୍ୟ ଉତ୍ତର ଦେଲେ ଏବଂ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହେଲା। ଏହା ପରେ, ଅମ୍ପାୟର ଗାଜି ସୋହେଲ ସେମାନଙ୍କ ଯୁକ୍ତିରେ ହସ୍ତକ୍ଷେପ କରିଥିଲେ।