ଦୁବାଇ: ଦୁବାଇରେ ଭାରତୀୟ ଯୁବ ଓପନର୍ ଅଭିଷେକ ଶର୍ମାଙ୍କ ରନ୍ ବର୍ଷା ଜାରି ରହିଛି। ବାଂଲାଦେଶ ବିପକ୍ଷ ଏସିଆ କପ୍ ସୁପର୍-୪ ମ୍ୟାଚ୍ରେ ଏହି ୨୪ ବର୍ଷୀୟ ତାରକା ମାତ୍ର ୩୭ ବଲ୍ରୁ ୬ ଚୌକା ଓ ୫ ଚୌକା ବଳରେ ୭୫ ରନ୍ କରି ପ୍ରଶଂସକଙ୍କ ହୃଦୟ ଜିତି ନେଇଛନ୍ତି। ସେହିଭଳି ତୃତୀୟ ଭାରତୀୟ ଭାବେ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ୯୦୦ ରେଟିଂ ପଏଣ୍ଟ୍ ଟପି ନୂଆ ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ତାଙ୍କ ପୂର୍ବରୁ କେବଳ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ୯୦୦ ରେଟିଂ ପଏଣ୍ଟ୍ ଛୁଇଁବାର କମାଲ କରିଥିଲେ। ଅଭିଷେକ ଧୂଆଁଧାର ବ୍ୟାଟିଂ କରିଥିଲେ ମଧ୍ୟ ଭାରତୀୟ ଦଳ ତା’ର ପ୍ରଥମ ପାଳିରେ ୬ ୱିକେଟ୍ ହରାଇ ମାତ୍ର ୧୬୮ ରନ୍ କରିଛି। ପ୍ରଥମାର୍ଦ୍ଧରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ମଧ୍ୟ ଦ୍ବିତୀୟାର୍ଦ୍ଧରେ ମନ୍ଥର ବ୍ୟାଟିଂ ଯୋଗୁଁ ଭରସାଯୋଗ୍ୟ ସ୍କୋର୍ କରିବାରୁ ବଞ୍ଚିତ ହୋଇଛି।
ବୁଧବାରର ଏହି ପ୍ରତୀକ୍ଷିତ ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦୁଇ ଭାରତୀୟ ଓପନର୍ ଅଭିଷେକ ଶର୍ମା ଓ ଶୁବମନ୍ ଗିଲ୍ (୨୯ ରନ୍, ୧୯ ବଲ୍, ୨ ଚୌକା, ୧ ଛକା)ଆଶାଜନକ ଭାବେ ଧମାକାଦାର ଆରମ୍ଭ କରିଥିଲେ।
ବିସ୍ଫୋରକ ବ୍ୟାଟିଂ କରି ପାୱାର ପ୍ଲେ’ରୁ ବିନା କ୍ଷତିରେ ୭୨ ରନ୍ ଅମଳ କରି ନେଇଥିଲେ। ପାୱାର ପ୍ଲେ ସରିବାର ଠିକ୍ ପରେ ପରେ ଗିଲ୍ ଆଉଟ୍ ହେବା କିନ୍ତୁ ଭାରତୀୟ ପାଳିକୁ ନୂଆ ମୋଡ଼ ଦେଇଥିଲା। ସେହିଭଳି ତୃତୀୟ ସ୍ଥାନକୁ ପଦୋନ୍ନତି ପାଇଥିବା ଶିବମ ଦୁବେ (୨) ନିରାଶ କରିବା ଭାରତ ପାଇଁ ଆଉ ଏକ ଝଟ୍କା ଥିଲା। ଉଭୟ ଗିଲ୍ ଓ ଶିବମଙ୍କୁ ଆଉଟ୍ କରିବା ପରେ ବିନା ଚାପରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଅଭିଷେକଙ୍କୁ ଏକ ଚମତ୍କାର ଥ୍ରୋ’ରେ ରନ୍ଆଉଟ୍ କରି ବାଂଲାଦେଶୀ ସ୍ପିନର୍ ରିସଦ ହୁସେନ ହିଁ ଭାରତକୁ ସବୁଠୁ ବଡ଼ ଝଟ୍କା ଦେଇଥିଲେ। ଏହା ପୂର୍ବରୁ ଅବଶ୍ୟ ଅଭିଷେକ ମାତ୍ର ୨୫ ବଲ୍ରୁ ନିଜ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିସାରିଥିଲେ। ଅଭିଷେକ ଦୁର୍ଭାଗ୍ୟଜନକ ଭାବେ ପ୍ୟାଭିଲିୟନ୍ ଫେରିବା ପରେ କିନ୍ତୁ ଭାରତୀୟ ପାଳି ନାଟକୀୟ ଭାବେ ତଳମୁହାଁ ହୋଇଥିଲା। ୧୦.୧ ଓଭରରେ ୧୦୦ ରନ୍ ପୂରଣ କରିଥିବା ଭାରତ ହଠାତ୍ ଦିଗ ହରାଇ ପରବର୍ତ୍ତୀ ୯.୫ ଓଭରରେ କେବଳ ୬୮ ରନ୍ କରି ପାରିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୫)ଙ୍କ ବିଫଳତା ଏହାର ଅନ୍ୟତମ କାରଣ ଥିଲା। ୧୧ଟି ବଲ୍ ଖେଳିବା ସତ୍ତ୍ବେ ମୁସ୍ତାଫିଜୁର ରହମାନଙ୍କ ୱାଇଡ୍ ବଲ୍କୁ ଅନୁସରଣ କରି ୱିକେଟ୍ରକ୍ଷକ ଜାକିର ଅଲୀଙ୍କ ହାତରେ ଧରାପଡ଼ିଥିଲେ ସେ। ତାଙ୍କୁ ଆଉଟ୍ କରି ମୁସ୍ତାଫିଜୁର ଟ୍ବେଣ୍ଟି-୨୦ରେ ଦେଢ଼ଶହ ୱିକେଟ୍ ପୂରଣ କରିଥିଲେ। ସେ ମଧ୍ୟ ଏହି ଫର୍ମାଟ୍ରେ ବାଂଲାଦେଶର ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଥିଲେ।
ସେହିଭଳି ବଡ଼ ସଟ୍ ଖେଳିବା ଲୋଭରେ ତିଳକ ବର୍ମା (୫) ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଫଳରେ ଭାରତ ପୁଣି ଥରେ ମଝି ଓଭରଗୁଡ଼ିକରେ ରନ୍ କରିବାକୁ ସଂଘର୍ଷ କରିବା ସହ ୪୬ ରନ୍ରେ ୪ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ଏହା ପରେ ହାର୍ଦିକ ପାଣ୍ଡ୍ୟା (୩୮ ରନ୍, ୨୯ ବଲ୍, ୪ ଚୌକା, ୧ ଛକା) ଏବଂ ସଞ୍ଜୁ ସାମ୍ସନ୍ଙ୍କ ଆଗରୁ ବ୍ୟାଟିଂ କରିବାକୁ ଆସିଥିବା ଅକ୍ଷର ପଟେଲ ଭାଗୀଦାରି ଗଢ଼ିବା ଆରମ୍ଭ କରିଥିଲେ। ତେବେ ଅକ୍ଷର ନିଜ ପାଳି ସାରା ସଂଘର୍ଷ କରିବା ସହ ମାତ୍ର ୧୫ ବଲ୍ରୁ ୧୦ରନ୍ କରିଥିଲେ। ସାଧାରଣତଃ ତୋଫାନି ବ୍ୟାଟିଂ କରୁଥିବା ହାର୍ଦିକ ଆବଶ୍ୟକ ସମର୍ଥନ ନପାଇବା ପରେ ୨୯ ବଲ୍ରୁ ୩୮ ରନ୍ କରି ଶେଷ ବଲ୍ରେ ଆଉଟ୍ ହୋଇଥିଲେ। ବାଂଲାଦେଶ ଖେଳାଳିମାନେ ଚମତ୍କାର ଫିଲ୍ଡିଂ ଓ ମାପଚୁପ ବୋଲିଂ କରି ଭାରତକୁ ୧୬୮/୬ରେ ଅଟକାଇ ଦେବାର ପ୍ରଶଂସନୀୟ ସଫଳତା ପାଇଥିଲେ। ଏକଦା ୨୦୦ ରନ୍ ଛୁଇଁବାର ଆଶା ରଖିଥିବା ଭାରତ ଶେଷ ଓଭରରୁ ମାତ୍ର ୪ ରନ୍ କରି ୧୭୦ ରନ୍ ପୂର୍ବରୁ ଅଟକି ଯାଇଥିଲା।
ସଂକ୍ଷିପ୍ତ ସ୍କୋର୍: ଭାରତ ୨୦ ଓଭରରେ ୧୬୮/୬ (ଅଭିଷେକ ଶର୍ମା ୭୫, ହାର୍ଦିକ ପାଣ୍ଡ୍ୟା ୩୮, ଶୁବମନ ଗିଲ୍ ୨୯, ରିସଦ ହୁସେନ ୨/୨୭, ତଞ୍ଜିମ ହାସନ ୧/୨୯, ମୁସ୍ତାଫିଜୁର ରହମାନ ୧/୩୩, ମହମ୍ମଦ ସୈଫୁଦ୍ଦିନ ୧/୩୭)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/25/gfsggdjdgjdg-2025-09-25-01-08-33.jpg)