ଅବ୍ରାରଙ୍କୁ ରେକର୍ଡ ୭ ୱିକେଟ୍‌: ଇଂଲଣ୍ଡ ୨୮୧ରେ ଆଉଟ୍‌

ରେକର୍ଡସ୍‌... ପ୍ରଥମ ଅଧିବେସନରେ ୧୮୦ ରନ୍‌, ସ୍ପିନରଙ୍କୁ ୧୦ ୱିକେଟ୍‌

ମୁଲତାନ୍‌ : ‌ଆନ୍ତର୍ଜାତିକ ପଦାର୍ପଣରେ ଅବ୍ରାର୍ ଅହମ୍ମଦଙ୍କ ୭ ୱିକେଟ୍‌ ଦଖଲ କାରଣରୁ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ୨୮୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଛି। ଅବ୍ରାର୍‌ ତାଙ୍କ ଲେଗ୍‌ବ୍ରେକ୍ ଗୁଗ୍‌ଲିରେ ଇଂଲଣ୍ଡର ସମସ୍ତ ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲେ। ତଥାପି ଇଂଲଣ୍ଡ ତା’ର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଜାରି ରଖି ୫.୪୩ ହାରରେ ଏହି ୨୮୧ ରନ୍ ସଂଗ୍ରହ କରିଛି। ଅବ୍ରାର (୨୨-୧-୧୧୪-୭) ଇଂଲଣ୍ଡର ପ୍ରଥମ ୭ ୱିକେଟ୍ ଦଖଲ କରିବା ସହ ସମସ୍ତ ୧୦ ୱିକେଟ୍‌ ଦଖଲର ସୁଯୋଗ ପାଇଥିଲେ। କିନ୍ତୁ ଅନ୍ତିମ ୩ ୱିକେଟ୍‌କୁ ଅନ୍ୟତମ ସ୍ପିନର ଜାହିଦ ମେହମ୍ମୁଦ ଦଖଲ କରି ନେବାରୁ ଅବ୍ରାର୍‌ ପରଫେକ୍ଟ ଟେନ୍‌ରୁ ବଞ୍ଚିତ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଶୀର୍ଷକ୍ରମରେ ବେନ୍‌ ଡକେଟ୍‌ (୬୩) ଏବଂ ଓଲି‌ ପୋପ୍ (୬୦) କେବଳ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୱିଲ୍ ଜ୍ୟାକ୍ସ (୩୧), ବେନ୍ ଷ୍ଟୋକ୍ସ (୩୦), ମାର୍କ ଉଡ୍‌ (୩୬*) ଭଲ ବ୍ୟାଟିଂ କରିଥିଲେ ମଧ୍ୟ ବଡ଼ ପାଳି ‌ଖେଳିପାରିନଥିଲେ। ଜବାବରେ ପାକିସ୍ତାନ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍‌ ବିନିମୟରେ ୧୦୭ ରନ୍‌ ସଂଗ୍ରହ କରି ପାଳି ଅଗ୍ରଣୀ ସୁଯୋଗ ପାଇଛି।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୫୧.୪ ଓଭରରେ ୨୮୧/ଅଲ୍ ଆଉଟ୍ (ବେନ ଡକେଟ୍‌-୬୩, ଓଲି‌ ପୋପ୍‌-୬୦, ମାର୍କ ଉଡ୍‌-୩୬*, ଅବ୍ରାର ଅହମ୍ମଦ-୭/୧୧୪, ଜାହିଦ୍ ‌ମେହମ୍ମୁଦ୍‌-୩/୬୩)। ପାକିସ୍ତାନ ପ୍ରଥମ ପାଳି: ୨୮ ଓଭରରେ ୧୦୭/୨ (ବାବର ଆଜମ-୬୧*, ସୌଦ ସକିଲ୍‌-୩୨*, ଜେମ୍ସ ଆଣ୍ଡରସନ୍‌-୧/୪, ଜ୍ୟାକ୍‌ ଲିଚ୍‌-୧/୪୪)।

ରେକର୍ଡସ୍‌… ପ୍ରଥମ ଅଧିବେସନରେ ୧୮୦ ରନ୍‌, ସ୍ପିନରଙ୍କୁ ୧୦ ୱିକେଟ୍‌

ପଦାର୍ପଣରେ ୭ ୱିକେଟ୍‌ ଦଖଲ କରିବାରେ ଅବ୍ରାର୍‌ ତୃତୀୟ ପାକିସ୍ତାନୀ ବୋଲର ହୋଇଛନ୍ତି। ପୂର୍ବରୁ ୧୯୬୯ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ମହମ୍ମଦ ନାଜିର୍ (୭/୯୯) ଏବଂ ୧୯୯୬ରେ ସେହି ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ମହମ୍ମଦ ଜାହିଦ୍ (୭/୬୬) ମଧ୍ୟ ସମାନ ପ୍ରଦର୍ଶନ କରିଥିଲେ। ଏବେ ୨୬ ବର୍ଷ ପରେ ଜଣେ ପାକିସ୍ତାନୀ ବୋଲର ଏଭଳି ସଫଳତା ପାଇଛନ୍ତି।

ଏକ ପଦାର୍ପଣ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଅଧିବେସନ ଭିତରେ ୫ ୱିକେଟ୍ ଦଖଲ କରିବାରେ ୭୨ ବର୍ଷରେ ଅବ୍ରାର୍‌ ପ୍ରଥମ। ଶେଷ ଥର ପାଇଁ ୧୯୫୦ ମସିହାର ମାଞ୍ଚେଷ୍ଟର୍‌ ଟେଷ୍ଟ୍‌ରେ ଇଂଲଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ର ଅଲଫ ଭାଲେଣ୍ଟାଇନ୍‌ ଏଭଳି ସଫଳତା ପାଇଥିଲେ। ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଆଉ ଦୁଇ ଜଣ ଏଭଳି କରିଛନ୍ତି। ୧୮୮୭ରେ ଅଷ୍ଟ୍ରେଲିଆର ଚାର୍ଲି ଟର୍ନର୍ ପଦାର୍ପଣରେ ଇଂଲଣ୍ଡର ୬ ୱି‌କେଟ୍‌ ପ୍ରଥମ ଅଧିବେସନରେ ଭିତରେ ନେଇଥିଲେ। ମଧ୍ୟାହ୍ନ‌‌ ଭୋଜନ ପରେ ଆରମ୍ଭ ହୋଇଥିବା ଏହି ଟେଷ୍ଟରେ ଚା’ପାନ ବିରତି ଭିତରେ ସେ ଏହି ସଫଳତା ପାଇଥିଲେ। ସେହିଭଳି ୧୮୯୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ଫ୍ରେଡ୍ ମାର୍ଟିନ୍‌ ପଦାର୍ପଣରେ ୫ ୱିକେଟ୍ ସଫଳତା ପାଇଥିଲେ ପ୍ରଥମ ଅଧିବେସନରେ। ଅବ୍ରାର୍‌ ଇଂଲଣ୍ଡ ପାଳିର ପ୍ରଥମ ୭ ୱିକେଟ୍ ଦଖଲ କରିବାରେ ଦ୍ବିତୀୟ ବୋଲର ହୋଇଛନ୍ତି। ୧୯୫୦ରେ ଭାଲେଣ୍ଟାଇନ୍‌ ଇଂଲଣ୍ଡର ପ୍ରଥମ ୮ ୱି‌କେଟ୍ ଅକ୍ତିଆର କରିଥିଲେ।

ଅବ୍ରାରଙ୍କ ପୂର୍ବରୁ ଜଣେ ମାତ୍ର ପାକିସ୍ତାନୀ ବୋଲର ପ୍ରତିପକ୍ଷର ଶୀର୍ଷ ୭ ଜଣଙ୍କ ୱିକେଟ୍‌ ନେଇଥିଲେ। ୨୦୦୦ ମସିହାର ଲାହୋର ଟେଷ୍ଟ୍‌ରେ ବର୍ତମାନର ମୁଖ୍ୟ ପ୍ରଶିକ୍ଷକ ସାକଲେନ୍ ମୁସ୍ତାକ୍‌ ଇଂଲଣ୍ଡର ଶୀର୍ଷ ୮ ଜଣଙ୍କ ୱିକେଟ୍ ଦଖଲ କରିଥିଲେ। ତେବେ ପଦାର୍ପଣରେ ଅବ୍ରାରଙ୍କ ପୂର୍ବରୁ ଶୀର୍ଷ ୭ ଜଣଙ୍କୁ କେହି ଆଉଟ୍ କରିନଥିଲେ।

ପାକିସ୍ତାନ ପାଇଁ ଗୋଟିଏ ପାଳିର ସମସ୍ତ ୧୦ ୱିକେଟ୍ ଦଖଲ କରିବା ୨୦୧୪ ପରେ ପ୍ରଥମ।‌ ସେ ବର୍ଷ ଆବୁଧାବିରେ ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିକୁ ମହମ୍ମଦ ହାଫିଜ, ଜୁଲଫିକର ବାବର, ୟାସିର୍‌ ସାହା ମିଳିତ ଭାବେ ଶେଷ କରିଦେଇଥିଲେ। ୧୯୮୭ ମସିହା ପରେ ପାକିସ୍ତାନରେ ପ୍ରଥମ ଥର ଏକ ପାଳିର ସମସ୍ତ ୱିକେଟ୍ ସ୍ପିନର୍‌ ନେଇଛନ୍ତି।

ପାକିସ୍ତାନ ମାତ୍ର ୨୫୦ ବଲ୍‌ ବୋଲିଂ କରି ସମସ୍ତ ୧୦ ୱିକେଟ୍ ଦଖଲ କରିବା ଏକ ଟେଷ୍ଟ୍ ପାଳିରେ ସ୍ପିନରଙ୍କ ସଫଳତାର ସବୁଠୁ କମ୍‌ ବଲ୍‌। ପୂର୍ବରୁ ୧୯୫୨ରେ କାନପୁର ଟେଷ୍ଟରେ ଭାରତ ବିପକ୍ଷରେ ଇଂଲଣ୍ଡ ସ୍ପିନର୍‌ ୨୬୩ ବଲ୍ ବୋଲିଂ କରି ଭାରତର ସମସ୍ତ ୧୦ ୱିକେଟ୍ ନେଇଥିଲେ।

ଅବ୍ରାରଙ୍କ ୭ ୱିକେଟ୍ ସଫଳତା ବେଳେ ତାଙ୍କ ଇକୋନୋମି ରେଟ୍‌ ରହିଛି ୫.୦୩। ଯାହାକି ୭ ୱିକେଟ୍‌ ଦଖଲ କରିଥିବା ବୋଲରଙ୍କ ମଧ୍ୟରେ କପିଳ ଦେବ (୭/୨୨୦, ଇକୋନୋମି-୬.୬୮ ବନାମ ପାକିସ୍ତାନ, ୧୯୮୩)ଙ୍କ ପରେ ଦ୍ବିତୀୟ ଶ୍ରେଷ୍ଠ।

ଏକ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଅଧିବେସନରେ ୧୮୦ ରନ୍‌ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଛି। ମଧ୍ୟାହ୍ନ ଭୋଜନ ବେଳକୁ ଇଂଲଣ୍ଡ ୧୮୦ ରନ୍‌ ସଂଗ୍ରହ କରି ନେଇଥିଲା ଅଢ଼େଇ ଘଣ୍ଟା ଓ ୩୨ ଓଭର ‌ଖେଳରୁ। ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକା ନାମରେ ଥିଲା। ୧୯୦୨ ମସିହା ଜୋହାନ୍ସବର୍ଗ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ସେସନ୍‌ର ୪୧ ଓଭରରୁ ୧୭୯ ରନ୍ ସଂଗ୍ରହ କରିଥିଲା। ଯାହାକି ୧୨୦ ବର୍ଷ ପରେ ପଛରେ ପଡ଼ିଛି। ଇଂଲଣ୍ଡ ମଧ୍ୟ ଚଳିତ ଗସ୍ତରେ ରାୱଲପିଣ୍ଡିରେ ଖେଳିଥିବା ପ୍ରଥମ ଟେ‌ଷ୍ଟ୍‌ରେ ପ୍ରଥମ ଦିବସ ପ୍ରଥମ ଅଧିବେସନରେ ୧୭୪/୦ ସ୍କୋର୍‌ କରିବା ଏବଂ ଗୋଟିଏ ଦିନରେ ୫୦୬ ରନ୍ ସଂଗ୍ରହ କରି କୀର୍ତ୍ତିମାନ କରିଥିଲା।

ସମ୍ବନ୍ଧିତ ଖବର