ସିନିୟର ଖେଳାଳିଙ୍କ ଭବିଷ୍ୟତ ସଂପର୍କରେ ଆଲୋଚନା ପାଇଁ ଏହା ଠିକ ସମୟ ନୁହେଁ : ଦ୍ରାବିଡ

ଆଡିଲେଡ୍ :  ସେମିଫାଇନାଲ ମ୍ୟାଚରେ ଇଂଲାଣ୍ଡଠାରୁ ଭାରତର ଲଜ୍ଜାଜନକ ପରାଜୟ ପରେ ଭାରତର ଟି-୨୦ ବିଶ୍ବକପ୍ ଅଭିଯାନ ଶେଷ ହୋଇଯାଇଛି । ଏହା ସହିତ ଦଳରେ ଥିବା ସିନିୟର ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠୁଛି । ଦଳର ଓପନିଂ ବ୍ୟାଟ୍ସମ୍ୟାନ-ରୋହିତ ଶର୍ମା ଓ କେଏଲ ରାହୁଲ ସମଗ୍ର ଟୁର୍ଣ୍ଣାମେଣ୍ଟରେ ବିଫଳ ହୋଇଥିଲେ । ବୋଲିଂ ବିଭାଗରେ ଭୁବନେଶ୍ବର କୁମାର, ଆର.ଅଶ୍ବୀନ, ଅକ୍ଷର ପଟେଲ ମଧ୍ୟ ବିଫଳ ହୋଇଥିଲେ । ଓ୍ବିକେଟ କିପର ଦିନେଶ କାର୍ତ୍ତିକ ବି ଖାସ ପ୍ରଦର୍ଶନ କରିପାରିନଥିଲେ । ଏକ ଟି-୨୦ ଦଳରେ  ଯୁବ ଖେଳାଳିଙ୍କ ବଦଳରେ ବରିଷ୍ଠ ଖେଳାଳିଙ୍କୁ ରଖିବା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନ ଉଠୁଛି ।

ଗୁରୁବାରର ମ୍ୟାଚ ପରେ ଏ ସଂପର୍କରେ ପଚରା ହେବାରୁ ଭାରତୀୟ ଟିମର କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ ସିନିୟର ଖେଳାଳିଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବାର ଏହା ଠିକ ସମୟ ନୁହେଁ । ସିନିୟର ଖେଳାଳିମାନେ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଆସିଛନ୍ତି । ଆଗାମୀ ବିଶ୍ବକପ ପାଇଁ ପ୍ରସ୍ତୁତ ହେବାକୁ ଆହୁରି ୨ ବର୍ଷ ଅଛି ।

କିନ୍ତୁ ବିଶେଷଜ୍ଞଙ୍କ ମତରେ ଟି-୨୦ ଟିମରୁ ସିନିୟର ଖେ​ଳାଳିଙ୍କ ବିଦାୟର ସମୟ ଆସିଯାଇଛି । ବିଶ୍ବକପରେ ବିରାଟ କୋହଲି,ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ସନ୍ତୋଷଜନକ ଥିଲା । କିନ୍ତୁ ସବୁଠାରୁ ନିରାଶ କରିଥିଲେ ଓପନି ଯୋଡ଼ି । ରୋହିତ ଓ ରାହୁଲ କୌଣସି ମ୍ୟାଚରେ ୪ ଓଭରରୁ ଅଧିକ ଖେଳିପାରିନଥିଲେ । ବିଶ୍ବକପ ଖେଳିବାକୁ ଯାଉଥିବା ଗୋଟିଏ ଦଳର ଓପନିଂ ଏତେ ନୈରାଶ୍ୟଜନକ ହେବା ବିଫଳତାକୁ ଟାଣି ଆଣିଥିଲା ।

 

 

ସମ୍ବନ୍ଧିତ ଖବର