ଆବୁଧାବି: ନିରପେକ୍ଷ ସ୍ଥାନରେ ଚାଲିଥିବା ପାକିସ୍ତାନ ଓ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ରବିବାର ଚତୁର୍ଥ ଦିବସ ଶେଷ ସୁଦ୍ଧା ଦ୍ୱିତୀୟ ପାଳିର ୬ ଓ୍ଵିକେଟ୍ ହାତରେ ଥାଇ ଶ୍ରୀଲଙ୍କା ୬୬ ରନ୍ରେ ଆଗୁଆ ରହିଛି। ସୋମବାର ପଞ୍ଚମ ତଥା ଶେଷ ଦିନ ମ୍ୟାଚ୍ରୁ ଫଳାଫଳ ପାଇବା ନେଇ ଉଭୟ ଦଳ ଆଶା ବାନ୍ଧିଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଅଧିନାୟକ ଦୀନେଶ ଚାନ୍ଦିମଲ୍ (୧୫୫)ଙ୍କ ଶତକ ସାଙ୍ଗକୁ ଦିମୁଥ୍ କରୁଣାରତ୍ନେ (୯୩) ଓ ଓ୍ଵିକେଟ୍ରକ୍ଷକ ନିରୋସାନ୍ ଡିକ୍େଓ୍ଵଲା (୮୩)ଙ୍କ ଅର୍ଧଶତକ ବଳରେ ପ୍ରଥମ ପାଳିରେ ୪୧୯ ରନ୍ କରିଥିଲା। ମହମ୍ମଦ ଆମୀର ଓ ୟାସିର୍ ଶାହା ୩ ଲେଖାଏଁ ଓ ହାସନ୍ ଅଲ୍ଲୀ ୨ ଓ୍ଵିକେଟ୍ ନେଇଥିଲେ। ଜବାବରେ ରଙ୍ଗନା ହେରାଥ୍ଙ୍କ ୫ ଓ୍ଵିକେଟ୍ ସଫଳତା ବ୍ୟତୀତ ସୁରଙ୍ଗ ଲାକ୍ମଲ ଓ ବିଶ୍ୱ ଫର୍ନାଣ୍ଡୋଙ୍କ ୨ ଲେଖାଏଁ ଓ୍ଵିକେଟ୍ ଅକ୍ତିଆର ସତ୍ତ୍ୱେ ପାକିସ୍ତାନ ୪୨୨ ରନ୍ କରି ୩ ରନ୍ର ଅଗ୍ରଣୀ ପାଇଥିଲା। ପାକିସ୍ତାନ ପକ୍ଷରୁ ୪ ଜଣ ଅର୍ଧଶତକ ଜମାଇଥିଲେ। ସନ୍ ମକ୍ସୁଦ ୫୯, ସାମି ଅସ୍ଲାମ୍ ୫୧, ଆଝାର ଅଲ୍ଲୀ ୮୫ ଓ ହାରିସ୍ ସୋହେଲ୍ ୭୬ ରନ୍ କରିଥିଲେ। ଏହାପରେ ୩ ରନ୍ରେ ପ୍ରଥମ ପାଳି ପଛରେ ପଡ଼ିଯାଇଥିବା ଶ୍ରୀଲଙ୍କା ଦ୍ୱିତୀୟ ପାଳିରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୟାସିର୍ ଶହାଙ୍କ ଯୁଗଳ ଝଟ୍କା ସାଙ୍ଗକୁ ଆସାଦ୍ ସଫିକ୍ ଓ ହାରିସ୍ ସୋହେଲଙ୍କ ଗୋଟିଏ ଲେଖାଏଁ ଓ୍ଵିକେଟ୍ ସହାୟତାରେ ପାକିସ୍ତାନ ଏକ ସମୟରେ ୬୫ ରନ୍ରେ ଶ୍ରୀଲଙ୍କାର ୪ଟି ଦ୍ୱିତୀୟ ପାଳି ଓ୍ଵିକେଟ୍ ଝଡ଼ାଇ ଦେଇଛି। କରୁଣାରତ୍ନେ ୧୦, କୌଶଲ୍ ସିଲ୍ଭା ୨୫, ଲାହିରୁ ଥିରିମାନେ ୭ ଓ ଚାନ୍ଦିମଲ୍ ୭ ପାଭିଲିୟନ୍ ଫେରି ଯାଇଥିଲା ବେଳେ ଚତୁର୍ଥ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ କୁସାଲ୍ ମେଣ୍ଡିସ୍ ୧୬ ଓ ଲକ୍ମଲ୍ ୨ ରନ୍ରେ ଅପରାଜିତ ରହିଛନ୍ତି।
୫,୦୦୦ ରନ୍ କ୍ଲବ୍ରେ ଆଝାର୍
ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍ ଅବସରରେ ପାକିସ୍ତାନର ମଧ୍ୟକ୍ରମ ବ୍ୟାଟସମ୍ୟାନ୍ ଆଝାର୍ ଅଲୀ ୫,୦୦୦ ରନ୍ କ୍ଲବରେ ଯୋଗ ଦେଇଛନ୍ତି। ୩୨ ବର୍ଷୀୟ ଆଝାର୍ ନିଜର ୬୧ତମ ଟେଷ୍ଟ୍ରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ୨୦୧୦ରେ ଲର୍ଡସରେ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରିଥିବା ଆଝାର୍ ଗତବର୍ଷ େଓ୍ଵଷ୍ଟଇଣ୍ଡିଜ୍ ବିପକ୍ଷର ପ୍ରଥମ ଖେଳାଳି ଭାବେ ଦିବାରାତ୍ର ଟେଷ୍ଟ୍ରେ ତ୍ରିଶତକ ଜମାଇଥିଲେ। ୫,୦୦୦ ରନ୍ କ୍ଲବ୍ରେ ଯୋଗଦେବାରେ ସେ ପଞ୍ଚମ ପାକିସ୍ତାନୀ ଖେଳାଳି ହୋଇଛନ୍ତି। ୟୁନିସ୍ ଖାନ୍ (୧୧୮ ଟେଷ୍ଟ୍, ୧୦, ୦୯୯ ରନ୍), ଜାଭେଦ୍ ମିଆଁଦାଦ (୧୨୪ ଟେଷ୍ଟ୍, ୮୮୩୨ ରନ୍), ଇଞ୍ଜାମମ୍ ଉଲ୍ ହକ୍ (୧୧୯ ଟେଷ୍ଟ୍, ୮୮୨୯ ରନ୍) ଏବଂ ମହମ୍ମଦ ୟୁସୁଫ୍ (୯୦ ଟେଷ୍ଟ୍, ୭୫୩୦) ଏହି ପାକିସ୍ତାନୀ କ୍ଲବ୍ରେ ଆଗୁଆ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/19-Azhar-Ali-Test16.png)