ଅନ୍‌ଏକାଡେମି ବିଶ୍ବ ସିରିଜ୍ କ୍ରିକେଟ୍: ଆଜି ସଚିନ-ଲାରା ଲଢ଼େଇ

ଭୁବନେଶ୍ବର/ମୁମ୍ବାଇ: ମୁମ୍ବାଇରେ ଶନିବାରଠାରୁ ଆରମ୍ଭ ହେବ ଅନ୍‌ଏକାଡେମି ବିଶ୍ବ ସିରିଜ୍ କ୍ରିକେଟ୍। ସଡ଼କସୁରକ୍ଷାର ବାର୍ତା ନେଇ ବିଶ୍ବର ମହାନ ଓ କିଂବଦନ୍ତି କ୍ରିକେଟରଙ୍କୁ ନେଇ ଖେଳାଯିବାକୁ ଥିବା ଏହି ସିରିଜ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ବାଧୀନ ଇଣ୍ଡିଆ ଲିଜେଣ୍ଡ୍‌ସ ଭେଟିବେ ବ୍ରାଏନ୍ ଲାରାଙ୍କ ୱେଷ୍ଟଇଣ୍ଡିଜ୍‌ ଲିଜେଣ୍ଡ୍‌ସକୁ। ସଚିନ ତେନ୍ଦୁଲକରଙ୍କ ପାଇଁ ଏହା ସ୍ବତନ୍ତ୍ର ସ୍ମୃତି ନେଇ ଆସିଛି। କାରଣ ୨୦୧୩ ମସିହାରେ ୱାଙ୍ଖ୍‌ଡେରେ ବିଦାୟୀ ଟେଷ୍ଟ୍ ଖେଳିବା ପରଠାରୁ ସଚିନ ନିଜ ସହରର ଏହି ପଡିଆରେ କୌଣସି ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌ ଖେଳିନାହାନ୍ତି। ସଚିନ ମଧ୍ୟ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଏହି ପଡିଆ ଏବଂ ସମାନ ପ୍ରତିଦ୍ବନ୍ଦ୍ବୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ। ସେହି ଦୃଷ୍ଟିରୁ ଶନିବାରର ମୁକାବିଲାକୁ ‘ସଚିନ ବନାମ ଲାରା’ର ଆଖ୍ୟା ମିଳିଛି। ସଚିନ ଓ ଲାରାଙ୍କ ସହିତ ଦୁଇ ଦେଶର ବହୁ କିଂବଦନ୍ତି କ୍ରିକେଟର୍‌ ଖେଳିବାକୁ ଯାଉଥିବାରୁ ଉତ୍ସୁକତା ଦେଖା ଦେଇଛି। ଭାରତୀୟ ଦଳରେ ୨୦୧୧ ବିଶ୍ବକପ୍‌ ବିଜେତା ଦଳର ଶ୍ରେଷ୍ଠ ଖେଳାଳି ଯୁବରାଜ ସିଂହ ରହିଛନ୍ତି। ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ରବିବାର ରାତି ୭ଟାରୁ ଆରମ୍ଭ ହେବ। ଶୁକ୍ରବାର ସିସିଆଇ ପଡିଆରେ ଉଭୟ ଦଳର ଖେଳାଳିମାନେ ଢ଼େର ଅଭ୍ୟାସ କରିବା ଅବସରେ ମଧ୍ୟ ପ୍ରଶଂସକଙ୍କ ଭିଡ ଲାଗିବା ପ୍ରତ‌ିଯୋଗିତାରର ଆକର୍ଷଣକୁ ପ୍ରମାଣିତ କରିଛି। ଏହି ପ୍ରତୀକ୍ଷିତ ପ୍ରତିଯୋଗିତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଇଣ୍ଡିଆ ଲିଜେଣ୍ଡ୍‌ସ: ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ଯୁବରାଜ ସିଂହ, ଅଜିତ ଅଗରକର, ସଞ୍ଜୟ ବାଙ୍ଗର, ମୁନାଫ ପଟେଲ୍‌, ମହମ୍ମଦ କୈଫ, ପ୍ରଞ୍ଜାନ ଓଝା, ସାଇରାଜ ବାହୁତୁଲେ, ଆବେ କୁରୁଭିଲା, ଜାହିର୍‌ ଖାନ୍‌, ଇରଫାନ୍ ପଠାନ୍‌, ସମୀର ଦୀଘେ।

ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡ୍‌ସ: ବ୍ରାଏନ୍ ଲାରା (ଅଧିନାୟକ), ଆଦାମ ସାନଫୋର୍ଡ, କାର୍ଲ ହୁପର, ଡାରେନ୍ ଗଙ୍ଗା, ଶିବନାରିନ୍ ଚନ୍ଦରପଲ୍‌, ରିକାର୍ଡୋ ପାୱେଲ୍‌, ରିଡଲି ଜାକବ୍ସ, ସାମୁଏଲ୍ ବଦ୍ରୀ, ସୁଲେମାନ୍‌ ବେନ୍, ଟିନୋ ବେଷ୍ଟ୍‌, ଦିନନାଥ ରାମନାରିନ୍, ପେ‌ଦ୍ରୋ କଲିନ୍ସ, ଡାଞ୍ଜା ହାୟାତ।

ସମ୍ବନ୍ଧିତ ଖବର