ଆସେସ୍‌ ଶୃଙ୍ଖଳା: ଅଷ୍ଟ୍ରେଲିଆ ପଛୁଆ ଇଂଲଣ୍ଡ ୨୯୪, ଅଷ୍ଟ୍ରେଲିଆ ୨୨୫

କୁକ୍‌ ଓ ସଚିନ୍‌ଙ୍କ କ୍ଲବ୍‌ରେ ରୁଟ୍‌

ଲଣ୍ଡନ, ୧୩|୯: ଇଂଲଣ୍ଡ ବିପକ୍ଷ ଆସେସ୍‌ ଶୃଙ୍ଖଳାର ପଞ୍ଚମ ତଥା ଶେଷ ଟେ‌ଷ୍ଟ୍‌ର ପ୍ରଥମ ପାଳିରେ ଅଗ୍ରଣୀ ନେଇ ପାରିନାହିଁ ବିଜେତା ଅଷ୍ଟ୍ରେଲିଆ। ଚମତ୍କାର ଫର୍ମରେ ଥିବା ଷ୍ଟିଭେନ୍ ସ୍ମିଥ୍‌ଙ୍କ ଆଉ ଏକ ଅର୍ଧଶତକ ଊର୍ଧ୍ବ ପାଳି ସତ୍ତ୍ବେ ଅଷ୍ଟ୍ରେଲିଆ ୨୨୫ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ପ୍ରଥମ ପାଳିରେ ୬୯ ରନ୍‌ ପଛରେ ପଡ଼ିଯାଇଛି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦ୍ବିତୀୟ ପାଳିରେ ବିନା ୱିକେଟ୍‌ରେ ୯ ରନ୍‌ ସଂଗ୍ରହ କରିଛି। ଶୁକ୍ରବାର ୨୭୧/୮ରୁ ଖେଳିଥିବା ଇଂଲଣ୍ଡ ପାଇଁ ଜୋସ୍ ବଟ୍ଟଲର ଏବଂ ଜ୍ୟାକ୍ ଲିଚ୍‌ ବିଶେଷ କିଛି କରିପାରିନଥିଲେ। ବିନା ରନ୍‌ରେ ଶେଷ ୨ ୱିକେଟ୍‌ ହରାଇ ଇଂଲଣ୍ଡ ୨୯୪ ରନ୍‌ରେ ସୀମିତ ରହିଯାଇଥିଲା। ମିଚେଲ ମାର୍ସ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ପ୍ରତ୍ୟାବର୍ତନ ଟେଷ୍ଟ୍‌ରେ ନିଜ ଖେଳ ଜୀବନର ପ୍ରଥମ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ଏହା ପରେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡ଼ି ଡେଭିଡ୍‌ ୱାର୍ନର (୫) ଏବଂ ମାର୍କସ ହ୍ୟାରିସ୍‌ (୩)ଙ୍କୁ ଜୋଫ୍ରା ଆର୍ଚର ୧୪ ରନ୍‌ ଭିତରେ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ମାର୍ନସ ଲାବୁସାନ୍‌ (୪୮, ୮୪ ବଲ୍‌) ଏବଂ ଷ୍ଟିଭ୍ ସ୍ମିଥ୍ (୮୦, ୧୪୫ ବଲ୍‌) କିନ୍ତୁ ଦଳର ମଧ୍ୟକ୍ରମ ସମ୍ଭାଳି ନେଇଥିଲେ। ଲାବୁସାନଙ୍କୁ ଆର୍ଚର ତୃତୀୟ ଶିକାର କରିବା ପରେ ଅଷ୍ଟ୍ରେଲିଆ ପାଇଁ ଏକା ଲଢ଼ିଥିଲେ ସ୍ମିଥ୍‌। କ୍ରିସ୍ ୱକ୍ସଙ୍କ ବଲ୍‌ରେ ଏଲବିଡବୁଲ୍ୟ ହେବା ଥିଲା ତାଙ୍କ ଚଳିତ ଶୃଙ୍ଖଳାର ସର୍ବନିମ୍ନ ସ୍କୋର୍‌। ଏହା ପରେ ଜୋଫ୍ରା ଆର୍ଚରଙ୍କ ୬ ୱିକେଟ୍‌ ସଫଳତା ଆଗରେ ଅଷ୍ଟ୍ରେଲିଆ ୨୨୫ ରନ୍‌ରେ ସୀମିତ ହୋଇ ୬୯ ରନ୍‌ ପଛରେ ରହିଯାଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୮୭.୧ ଓଭରରେ ୨୯୪ (ଜୋସ୍ ବଟ୍ଟଲର୍‌-୭୦, ଜୋ ରୁଟ୍‌-୫୭, ରୋରି ବର୍ନସ-୪୭, ଜାକ୍‌ ଲିଚ୍‌-୨୧, ମିଚେଲ୍‌ ମାର୍ଶ-୫/୪୬, ପ୍ୟାଟ୍‌ କମିନ୍ସ-୩/୮୪, ଜୋସ୍ ହାଜ୍‌ଲେଉଡ୍‌-୨/୭୬)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୨୫ (ଷ୍ଟିଭେନ୍ ସ୍ମିଥ୍-୮୦, ମାର୍ନସ ଲାବୁସାନ୍‌-୪୮, ନାଥନ୍ ଲାୟନ୍‌-୨୫, ଜୋଫ୍ରା ଅର୍ଚର-୬/୬୨, ସାମ୍ କରନ୍‌-୩/୪୬, କ୍ରିସ୍ ୱକ୍ସ-୧/୫୧)।

ଲଣ୍ଡନ: ଓଭଲ୍‌ରେ ଚାଲିଥିବା ଆସେସ୍‌ ଶୃଙ୍ଖଳାର ପଞ୍ଚମ ତଥା ଶେଷ ଟେଷ୍ଟ୍‌ର ପ୍ରଥମ ଦିବସରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଅର୍ଧଶତକ ହାସଲ କରିବା ଅବସରରେ ରୁଟ୍‌ (୫୭) ତୃତୀୟ ସର୍ବକନିଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଭାବେ ୭୦୦୦ ରନ୍‌ ପୂରଣ କରିବାର ଗୌରବ ପାଇଛନ୍ତି। ଏକ୍ଷେତ୍ରରେ ସେ ନିଜ ଦେଶର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍‌ ଏବଂ ଭାରତର ସଚିନ୍‌ ତେନ୍ଦୁଲକରଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। କୁକ୍‌ ୨୭ ବର୍ଷ ୩୪୬ ଦିନ ବୟସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ପ୍ରଥମ ସର୍ବକନିଷ୍ଠ ଖେଳାଳି ହୋଇଥିଲା ବେଳେ ସଚିନ୍‌ ୨୮ ବର୍ଷ ୧୯୩ ଦିନ ବୟସରେ ୭୦୦୦ ରନ୍‌ ପୂରଣ କରିଥିଲେ। ଏବେ ରୁଟ୍‌ ୭୦୦୦ ରନ୍‌ରେ ପହଞ୍ଚିଲା ବେଳକୁ ତାଙ୍କୁ ୨୮ ବର୍ଷ ୨୫୬ ଦିନ ବୟସ ହୋଇଛି। କେବଳ ସେତିକି ନୁହେଁ, ରୁଟ୍‌ ମଧ୍ୟ କମ୍‌ ପାଳିରେ ୭୦୦୦ ରନ୍‌ ପୂରଣ କରିବାରେ ଚତୁର୍ଥ ଦ୍ରୁତତମ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ ଏବଂ ବିଶ୍ବର ଦ୍ବାଦଶ ଖେଳାଳି ହୋଇଛନ୍ତି। ୮୬ ଟେଷ୍ଟ୍‌ ଖେଳୁଥିବା ରୁଟ୍‌ ୧୫୮ ପାଳିରୁ ଏହି ସଫଳତା ପାଇଛନ୍ତି। ତାଙ୍କ ପୂର୍ବରୁ ଇଂଲଣ୍ଡର ୱାଲି ହାମଣ୍ଡ (୧୩୧ ପାଳି), କେଭିନ୍‌ ପିଟରସନ୍‌ (୧୫୦ ପାଳି) ଓ କୁକ୍‌ (୧୫୧ ପାଳି) ଦ୍ରୁତତମ ୭୦୦୦ ରନ୍‌ କରିଥିଲେ। ପୁଣି ୭୦୦୦ ରନ୍‌ ଅତିକ୍ରମ କରିବା ସହିତ ରୁଟ୍‌ ମଧ୍ୟ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କୁ ଟପି ଯାଇଛନ୍ତି। ବ୍ରାଡ୍‌ମ୍ୟାନ୍‌ ମୋଟ ୬୯୯୬ ରନ୍‌ ସହିତ ତାଙ୍କ ଟେଷ୍ଟ୍‌ ଜୀବନ ଶେଷ କରିଥିଲା ବେଳେ ରୁଟ୍‌ ତାଙ୍କୁ ଅତିକ୍ରମ କରିଯାଇଛନ୍ତି। ଦୁର୍ଭାଗ୍ୟବଶତଃ ବ୍ରାଡ୍‌ମ୍ୟାନ୍‌ ୧୯୪୮ରେ ନିଜର ଅନ୍ତିମ ଟେଷ୍ଟ୍‌ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ସେହି ଟେଷ୍ଟ୍‌ର ପ୍ରଥମ ପାଳିରେ ଶୁନ ରନ୍‌ରେ ଆଉଟ୍‌ ହେବାରୁ ୭୦୦୦ ରନ୍‌ ପୂରଣରୁ ବଞ୍ଚିତ ହୋଇଥିଲେ। ଅଷ୍ଟ୍ରେଲିଆ ଏହି ଟେଷ୍ଟରେ ପାଳି ବିଜୟ ପାଇଥିଲା।

ସମ୍ବନ୍ଧିତ ଖବର