ସାଥୀ ଖେଳାଳିଙ୍କ ସୂଚନା, ସବୁବେଳେ ଏକାପ୍ରକାରର ଖାଦ୍ୟ ଖାଆନ୍ତି ରୋନାଲ୍‌ଡୋ

ଲିସବନ: ପର୍ତ୍ତଗାଲର ତାରକା ଫୁଟ୍‌ବଲର୍‌ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କୁ ୩୬ ବର୍ଷ ହେ‌ଲାଣି। ହେଲେ ଖେଳ ବେଳେ ଯେପରି ସେ ଚଳଚଞ୍ଚଳ ରହୁଛନ୍ତି କେହି ତାଙ୍କୁ ଏତେ ବୟସ ହୋଇଥିବା କହିବେନି। ସଂପ୍ରତି ଚାଲିଥିବା ୟୁରୋ କପ୍‌ରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ରହିଛି। ଏହାର ମୁଖ୍ୟ କାରଣ ହେଲା ସନ୍ତୁଳିତ ଖାଦ୍ୟ ଗ୍ରହଣ। ଏଥିରେ ସେ କେତେବେଳେ ହେଳା କରନ୍ତିନି ବୋଲି ତାଙ୍କ ଜୁଭେଣ୍ଟସ୍‌ ସାଥୀ ଖେଳାଳି ଦୌଡ଼ା ପିଟର୍ସ କହିଛନ୍ତି। ସେ ସର୍ବଦା ଏକାପ୍ରକାର ଖାଦ୍ୟ ଖାଇଥା’ନ୍ତି। ତାଙ୍କ ଖାଦ୍ୟରେ ବ୍ରୋକୋଲି, ଚିକେନ୍‌ ଓ ଭାତ ସବୁବେଳେ ରହିଥାଏ। ସେ ପାନୀୟ ଭାବେ ପାଣି ପିଅନ୍ତି କିନ୍ତୁ କୋକାକୋଲା ତାଙ୍କ ତାଲିକାରେ ନଥାଏ ବୋଲି ପିଟର୍ସ କହିଛନ୍ତି।

ରୋନାଲ୍‌ଡୋ ତାଙ୍କ ଚର୍ବି ଏବଂ ଶରୀରକୁ ବଜାୟ ରଖିବାର ରାଜ୍‌ ବିଷୟରେ ପିଟର୍ସ କହିଛନ୍ତି ଯେ ‘‘କ୍ରିଷ୍ଟିଆନୋ ସବୁବେଳେ ସବୁଠାରେ ବିଜୟ ଚାହାନ୍ତି। ତେଣୁ ଜିମ୍‌ରେ ବେଳେ ବେଳେ ମୁଁ ଆସିଲା ପରେ ବି ସେ ରହିଥା’ନ୍ତି। ମୁଁ ତାଙ୍କ ଦ୍ବାରା ପ୍ରଭାବିତ। ତାଙ୍କ ଶରୀର ଜଣେ ଫୁଟ୍‌ବଲର୍‌ ପାଇଁ ଉପଯୁକ୍ତ। ଭଲ ବ୍ୟାୟାମ ସହ ସୁଷମ ଖାଦ୍ୟ ନିହାତି ଜରୁରୀ। ରୋନାଲ୍‌ଡୋ ଦିନକୁ ୬ ଥର ଖାଇଥା’ନ୍ତି। ଖାଲି ‌ସେତିକି ନୁହେଁ ଶୋଇବା ଉପରେ ମଧ୍ୟ ସେ ଧ୍ୟାନ ‌ଦେଇଥାନ୍ତି।’’ ବୋଲି ପିଟର୍ସ କହିଛନ୍ତି।

ସମ୍ବନ୍ଧିତ ଖବର