ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଏତଲା ରୁଜୁ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍‌କୁ ନୋଟିସ୍‌ କରିବା ପରେ ଆନ୍ଦୋଳନରେ ବସିଥିବା ଶୀର୍ଷସ୍ତରୀୟ କୁସ୍ତିବିତ୍‌ଙ୍କୁ ହତ୍ୟା ଧମକ ଦିଆଯାଉଥିବା ନେଇ ନୂଆ ଅଭିଯୋଗ ଆସିଛି। ଏପରିକି ଟଙ୍କାର ଲୋଭ ମଧ୍ୟ ଦେଖାଯାଇଥିବା କୁହାଯାଇଛି।

Advertisment

ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତ କହିଛନ୍ତି ଯେ, ଡବ୍ଲୁଏଫ୍‌ଆଇ ସମ୍ପାଦକ ବିନୋଦ ତୋମର ଓ ସଭାପତି ବ୍ରିଜଭୂଷଣଙ୍କ ଦୁଇ ସହଯୋଗୀ ହରିୟାଣା କୁସ୍ତି ସଂଘର ସମ୍ପାଦକ ରାକେଶ ସିଂହ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିବା ମହାବୀର ବିଷ୍ଣୋଇ ଆଭିଯୋଗକାରୀଙ୍କୁ ଆନ୍ଦୋଳନରୁ ଉଠିଯିବାକୁ ପ୍ରବର୍ତ୍ତାଇବା ସହ ଅଭିଯୋଗ ଫେରସ୍ତ ନେବାକୁ ଚାପ ପକାଉଛନ୍ତି। ଏପରିକି ଧମକ ଦିଆଯିବାର ପ୍ରମାଣ ମଧ୍ୟ ତାଙ୍କ ପାଖରେ ରହିଥିବା ବଜରଙ୍ଗ କହିଛନ୍ତି। ଖୁବ୍‌ଶୀଘ୍ର ଏହା ଉପରେ ପୁଲିସ୍‌ ନିକଟରେ ଆଉ ଏକ ଏତଲା ଦିଆଯିବ ବୋଲି ବଜରଙ୍ଗ କହିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ‌ପୁଲିସ୍‌ର ପକ୍ଷପାତିତା ସଂପର୍କରେ ବଜରଙ୍ଗ କହିଛନ୍ତି ଯେ, ଯେତେବେଳେ ପ୍ରଥମେ ଦିଲ୍ଲୀ ପୁଲିସ୍‌ ପାଖରେ ଅଭିଯୋଗ କରାଯାଇଥିଲା, ସେତେବେଳେ ସେମାନେ ରାଜନୈତିକ ଚାପରେ ଥିଲେ ଓ ସେଠାରେ ଅର୍ଥବଳର ପ୍ରଭାବ ରହିଥିଲା।

ଦିଲ୍ଲୀ ପୁଲିସ୍‌ କେବଳ ଯେ ଏତଲା ରୁଜୁ କଲାନାହିଁ ତାନୁହେଁ ବରଂ ସମସ୍ତ ୭ ଅଭିଯୋଗକାରୀଙ୍କ ନାମକୁ ବ୍ରିଜଭୂଷଣଙ୍କୁ ଜଣାଇଦେଇଥିଲା। ଏହାପରଠୁ ଅଭିଯୋଗ କରିଥିବା ୩ରୁ ୪ ଜଣ ବାଳିକାଙ୍କୁ ବ୍ରିଜଭୂଷଣ ନିୟମିତ ଭାବେ ଭୟଭୀତ କରିବାକୁ ପ୍ରୟାସ କରୁଥିଲେ। ବାହୁବଳୀ ନାମରେ ଜଣାଶୁଣା ଜଣେ ବ୍ୟକ୍ତିଙ୍କଠାରୁ ସେମାନେ ହତ୍ୟା ଧମକ ପାଇଥିଲା ବେଳେ ଅଭିଯୋଗ ଉଠାଇ ନେବାକୁ ସେମାନଙ୍କୁ ଟଙ୍କା ଯଚାଯାଇଥିବା ବଜରଙ୍ଗ ସାମ୍ବାଦିକମାନଙ୍କୁ କହିଛନ୍ତି। ଅଭିଯୋଗ ଫେରାଇ ନେବା ପାଇଁ ବ୍ରିଜଭୂଷଣଙ୍କ ସହ ରାକେଶ ଓ ମହାବୀର ସାମ୍‌, ଦାମ୍‌, ଦଣ୍ଡ, ଭେଦ୍‌ ସବୁକିଛି ଲଗାଇବାକୁ ଚେଷ୍ଟା କରୁଛନ୍ତି। ଏପରିକି ଭ‌ିନେଶଙ୍କ ସ୍ବାମୀ ସୋମବୀର ରାଠିଙ୍କୁ ବାଡ଼ାବାଡି କରିବା ପାଇଁ ମହାବୀର ଧମକ ଦେଇଥିବା ଭିନେଶ ଅଭିଯୋଗ କରିଛନ୍ତି।

ବ୍ରିଜଭୂଷଣଙ୍କ ବିରୋଧରେ କୁସ୍ତିବିତ୍‌ଙ୍କ ଆନ୍ଦୋଳନର ନୂଆ ମୋଡ଼
ଆମେ ଓ ଆମ ପରିବାର ଅସୁରକ୍ଷିତ ଅଛୁ: ଆନ୍ଦୋଳନକାରୀ
ମୁହଁ ଖୋଲିଲେ ବ୍ରିଜଭୂଷଣ: ‘କୋର୍ଟଙ୍କୁ ନିଷ୍ପତ୍ତି ନେବାକୁ ଛାଡ଼ିଦିଆଯାଉ’

ଏହି ଘଟଣା ଉପରେ ଦିଲ୍ଲୀ ପୁଲିସ୍‌କୁ ଦାୟୀ କରାଯାଇଥିଲା ବେଳେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରାଯାଉଥିବାରୁ ଅଭିଯୁକ୍ତମାନେ ଆମକୁ ଫଟାଇବାକୁ ସମୟ ପାଇଯାଉଛନ୍ତି। କିଛି ଲୋକ ଧମକ ଦେବା ପାଇଁ ଆମ ଘର ସହିତ ସଂପର୍କିୟଙ୍କ ଘରକୁ ମଧ୍ୟ ଯାଇଥିଲେ। ସେଠାରେ ଆମ ବିଷୟରେ ପଚରାପଚରି କରୁଥିଲେ। କୁଆଡ଼େ ଯାଉଛି, କାହାକୁ ଭେଟୁଛି, କେବେ ତାଙ୍କ ସହ ଏକୁଟିଆ କଥାବାର୍ତ୍ତା କରିହେବ ଇତ୍ୟାଦି ପ୍ରଶ୍ନ ପଚାରୁଥିବା ଭିନେଶ କହିଛନ୍ତି। ଏପରିକି ଅଲିମ୍ପିକ୍ସ ସମୟରେ ଟୋକିଓରେ ମହାବୀର ତାଙ୍କୁ ଧମକ ଦେଇଥିଲେ। ବ୍ରିଜଭୂଷଣ ତାଙ୍କୁ ମାରିଦେବେ ବୋଲି ମହାବୀର କହିଥିଲେ। ଏବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟିବାକୁ ସୁଯୋଗ ପାଇଥିଲା ବେଳେ ତାଙ୍କୁ ଏବିଷୟରେ ଅବଗତ କରାଇଥିଲେ। ଏହାସତ୍ତ୍ବେ ବ୍ରିଜଭୂଷଣ ଗିରଫ ହୋଇନାହାନ୍ତି। ତେଣୁ ଆମେ ଆଉ ସୁରକ୍ଷିତ ମଣୁନାହୁଁ। ଆମ ସହିତ ଓ ପରିବାର ସହିତ ସେମାନେ କିଛି ବି କରିପାରନ୍ତି ବୋଲି ଭିନେଶ କହିଥିଲେ। ସେହିପରି ସାକ୍ଷୀ ମଲ୍ଲିକଙ୍କ କହିବାନୁସାରେ, ଯଦି ପୂର୍ବରୁ ମନ୍ତ୍ରଣାଳୟ ଠିକଣା ସମୟରେ କିଛି ପଦକ୍ଷେପ ନେଇଥା’ନ୍ତା, ତାହେଲେ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇନଥା’ନ୍ତା। କିନ୍ତୁ ଆଗାମୀ ପିଢିର କୁସ୍ତିବିତ୍‌ଙ୍କ ଭବିଷ୍ୟତ ଯେପରି ନଷ୍ଟ ନହେଉ, ସେଥିପାଇଁ ଏହି ଲଢେଇ ଜାରି ରହିବ।

publive-image

ଅଭିଯୋଗ ସଂପର୍କରେ‌ ଯେତେବେଳେ ମହାବୀରଙ୍କ ସହ ଯୋଗାଯୋଗ କରାଯାଇଥିଲା, ସେ ସବୁଗୁଡ଼ିକୁ ଖଣ୍ଡନ କରିଥିଲେ। କମିଟି ଆଗରେ ସେ ତାଙ୍କ କଥା ରଖିସାରିଛନ୍ତି। ଯାହା ସତ ସବୁ କୁହାଯାଇଛି। ଯଦି ସେମାନଙ୍କ ପାଖରେ ମୋ ବିରୋଧରେ କିଛି ପ୍ରମାଣ ଅଛି, ତାହେଲେ ସେଗୁଡ଼ିକୁ ପୁଲିସ୍‌କୁ ଦିଅନ୍ତୁ। ହେଲେ ତାହାକୁ ନେଇ ଗଣମାଧ୍ୟମ ଆଗରେ ଏତେ ନିନ୍ଦା, ଅପବାଦ କରାଯିବା ଠିକ୍‌ ନୁହେଁ ବୋଲି କହିଛନ୍ତି। ସେହିପରି ବ୍ରିଜଭୂଷଣ ମଧ୍ୟ ପ୍ରଥମ ଥର ପାଇଁ ତାଙ୍କ ପ୍ରତିକ୍ରିୟା ଦେଇଥିଲା ବେଳେ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ତେଣୁ କୋର୍ଟଙ୍କୁ ତାଙ୍କ ନିଷ୍ପତ୍ତି ନେବାକୁ ଛାଡ଼ିଦିଆଯାଉ। ଏବେ କିଛି ବି କହିବା ଅଦାଲତ ଅବମାନନା ହେବ ବୋଲି ସେ କହିଛନ୍ତି। ଏଥିସହ ଦିଲ୍ଲୀ ପୁଲିସ୍‌କୁ ନୋଟିସ୍‌ ଦିଆଯିବା ଘଟଣାକୁ ବ୍ରିଜଭୂଷଣ ସ୍ବାଗତ କରିଛନ୍ତି।

କ୍ରୀଡ଼ାବିତ୍‌ମାନେ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇବା ଲଜ୍ଜାଜନକ ଘଟଣା: ସତ୍ୟପାଲ୍‌
ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ ବୁଧବାର ଆନ୍ଦୋଳନରତ କୁସ୍ତିବିତ୍‌ଙ୍କ ସପକ୍ଷରେ ଯାଇଛନ୍ତି। ‌କ୍ରୀଡ଼ାବିତ୍‌ମାନଙ୍କ ସଫଳତା ପାଇଁ ଦେଶ ଗର୍ବିତ ହେଉଥିଲା ବେଳେ ଏବେ ନ୍ୟାୟ ପାଇଁ ସେମାନେ ରାସ୍ତାକୁ ଓହ୍ଲାଇବା ଲଜ୍ଜାଜନକ ଘଟଣା। ଯେତେବେଳେ ଆମ ଝିଅମାନେ ପଦକ ଜିତୁଛନ୍ତି ଓ ତ୍ରିରଙ୍ଗାର ଟେକ ରଖୁଛନ୍ତି, ସେହି ସମୟରେ ଆମେ ତାଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ ଦେଉଛେ ଓ ସେଲ୍‌ଫି ଉଠାଉଛେ। କିନ୍ତୁ ଏବେ ସେମାନେ ରାସ୍ତାକୁ ଆସିବା ଆମ ପାଇଁ ନିନ୍ଦନୀୟ। ତେଣୁ ସମସ୍ତେ ଏହି ଆନ୍ଦୋଳନକୁ ସମର୍ଥନ ଜଣାନ୍ତୁ ବୋଲି ସତ୍ୟପାଲ୍‌ ଆହ୍ବାନ କରିଥିଲେ। ଏହି ଭେଟେରାନ୍‌ ରାଜନେତା ଜଣକ ବଜରଙ୍ଗଙ୍କ ସହିତ ମଙ୍ଗଳବାର ରାତିରେ ଆଲୋଚନା କରିଥିଲା ବେଳେ ଆନ୍ଦୋଳନ ସ୍ଥଳକୁ ଆସିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଧାରଣା ସ୍ଥଳରେ ଅଭ୍ୟାସ
ଆନ୍ଦୋଳନରେ ଥିବା ଭାରତୀୟ କୁସ୍ତିବିତ୍‌ମାନେ ବୁଧବାର ଧାରଣା ସ୍ଥଳରେ ଅଭ୍ୟାସ କରିଛନ୍ତି। ପ୍ରଶିକ୍ଷକ ସୁଜିତ ମାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ବେଳେ ଏଥିରେ ବଜରଙ୍ଗ ପୁନିଆ, ଭିନେଶ ଫୋଗତ, ସଙ୍ଗୀତା ଫୋଗତ, ସାକ୍ଷୀ ମଲ୍ଲିକ ଓ ସତ୍ୟବ୍ରତ କାଦିୟାନ ସାମିଲ ‌ହୋଇଥିଲେ। ଏହି ଅଭ୍ୟାସ ଶିବିର ସକାଳ ୭.୩୦ରୁ ଆରମ୍ଭ ହୋଇ ୮.୪୫ରେ ଶେଷ ହୋଇଥିଲା। ରାସ୍ତାରେ ପ୍ରଶିକ୍ଷଣ ନେଲେ ଆହତ ଜନିତ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛିର ଉତ୍ତରରେ ପ୍ରଶିକ୍ଷକ ମାନ କହିଥିଲେ, ଏହା ଛଡ଼ା ଆମ ପାଖରେ କିଛି ବିକଳ୍ପ ନାହିଁ। ଅଗକୁ ଏସୀୟ କ୍ରୀଡ଼ା, ବିଶ୍ବ ଚାମ୍ପିଅନ୍‌ସିପ୍‌ ରହିଛି। ଏସବୁ ଅଲିମ୍ପିକ୍‌ ଯୋଗ୍ୟତା ଲାଗି ପ୍ରତିଯୋଗିତା।‌ ତେଣୁ କୁସ୍ତିବିତ୍‌ମାନେ ରାସ୍ତାରେ ଅଭ୍ୟାସ କରିଥିଲେ ବୋଲି ମାନ୍‌ କହିଛନ୍ତି।