ଏଜବାଷ୍ଟନ୍‌ (ବର୍ମିଂହାମ): ଆସେସ୍ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍ ଜିତିବାକୁ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଯାହାକି ଅଷ୍ଟ୍ରେଲିଆକୁ ୧୮ ବର୍ଷ ତଳର ସମାନ ସ୍ଥିତିକୁ ଫେରାଇନେଇଛି। ୨୦୦୫ରେ ଏଜବାଷ୍ଟନ୍‌ ଟେଷ୍ଟରେ ଅଷ୍ଟ୍ରେଲିଆ ୨୮୨କୁ ପଶ୍ଚାତଧାବନ କରି ୨ ରନ୍‌ରେ ହାରିଯାଇଥିଲା। ଏବେ ୨୮୧ ରନ୍‌ ଲକ୍ଷ୍ୟ ଅଧିକ ନୁହେଁ କି କମ୍ ବି ନୁହେଁ ବୋଲି କ୍ରିକେଟ୍‌ ବିସାରଦ ମାନେ ଆକଳନ କରିଛନ୍ତି। ଚତୁର୍ଥ ଦିବସ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୩ ୱିକେଟ୍‌ ହରାଇ ୧୦୭ ରନ୍‌ ସଂଗ୍ରହ କରିଥିବାରୁ ମ୍ୟାଚ୍‌ ରୋମାଞ୍ଚକ ସ୍ଥିତିରେ ରହିଛି।

Advertisment

ସୋମବାର ଚତୁର୍ଥ ଦିବସ ସକାଳେ ଇଂଲଣ୍ଡ ଏହାର ଅସମାପ୍ତ ଦ୍ବିତୀୟ ପାଳିକୁ ୨୮/୨ରୁ‌ ଖେଳିଥିବାବେଳେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଆଉ ୩ ୱିକେଟ୍‌ ହରାଇ ଦେଇଥିଲା। ତଥାପି ଦ୍ରୁତ ରନ୍‌ ସଂଗ୍ରହ କରି ୧୫୫/୫ରେ ପହଞ୍ଚିଯାଇଥିଲା। ଓଲି ପୋପ୍‌ଙ୍କୁ ପ୍ୟାଟ୍ କମିନ୍ସ ସଅଳ ଆଉଟ୍ କରିଦେବା ପରେ ନାଥନ୍ ଲାୟନ୍ ଜମିଯାଇଥିବା ଦୁଇ ବ୍ୟାଟର୍‌ ଜୋ ରୁଟ୍‌ ଏବଂ ହ୍ୟାରି ବ୍ରୁକ୍‌ଙ୍କୁ ଆଉଟ୍ କରିଥିଲେ। ଉଭୟ ସମାନ ୪୬ ରନ୍‌ ଲେଖାଏଁ କରିଥିଲେ। ବିରତି ପରେ ଜନି ବେୟାରଷ୍ଟୋଙ୍କୁ ଲାୟନ୍ ଏବଂ ବେନ୍ ‌ଷ୍ଟୋକ୍ସଙ୍କୁ କମିନ୍ସ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ମୋଇନ୍ ଅଲୀଙ୍କୁ ହାଜେଲଉଡ୍‌ ଆଗକୁ ବଢ଼ିବାକୁ ଦେଇନଥିଲେ। ରୁଟ୍‌, ବ୍ରୁକ୍ସ, ଷ୍ଟୋକ୍ସ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିବାବେଳେ ନିମ୍ନକ୍ରମରେ ଛୋଟ ଛୋଟ ଅବଦାନ କାରଣରୁ ଇଂଲଣ୍ଡ ୨୭୩ ରନ୍‌ରେ ପହଞ୍ଚିଯାଇଥିଲା। ପ୍ରଥମ ପାଳିର ୭ ରନ୍‌ ଆଗୁଆ କାରଣରୁ ମୋଟ ଅଗ୍ରଣୀ ୨୮୦ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପ୍ୟାଟ୍ କମିନ୍ସ ଓ ନାଥନ୍ ଲାୟନ୍ ୪-୪ ୱିକେଟ୍ ବାଣ୍ଟି ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୯୩/୮, ଘୋଷିତ (ଜୋ ରୁଟ୍-୧୧୮, ନାଥନ୍ ଲାୟନ-୪/୧୪୯)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୮୬/୧୦ (ଉସମାନ ଖୱାଜା-୧୪୧, ଆଲେକ୍ସ କ୍ୟାରି-୬୬, ଟ୍ରାଭିସ୍ ହେଡ୍‌-୫୦, ଓଲି ରବିନସନ୍‌-୩/୫୫, ଷ୍ଟୁଆର୍ଟ ବ୍ରଡ୍‌-୩/୬୮, ମୋଇନ୍ ଅଲୀ-୨/୧୪୭)। ଇଂଲଣ୍ଡ ଦ୍ବିତୀୟ ପାଳି: ୬୬.୨ ଓଭରରେ ୨୭୩/୧୦ (ଜୋ ରୁଟ୍‌-୪୬, ହ୍ୟାରି ବ୍ରୁକ୍‌-୪୬, ବେନ୍ ଷ୍ଟୋକ୍ସ-୪୩, ଓଲି ରବିନସନ୍-୨୭, ଜନି ବେୟାରଷ୍ଟୋ-୨୦, ‌ମୋଇନ ଅଲୀ-୧୯, ପ୍ୟାଟ୍ କମିନ୍ସ-୪/୬୩, ନାଥନ୍ ଲାୟନ-୪/୮୦, ଜୋସ ହାଜେଲଉଡ୍‌-୧/୪୮, ସ୍କଟ୍‌ ବୋଲାଣ୍ଡ୍‌-୧/୬୧)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି (ଲକ୍ଷ୍ୟ ୨୮୧): ୩୦ ଓଭରରେ ୧୦୭/୩ (ଡେଭିଡ୍‌ ୱାର୍ଣ୍ଣର-୩୬, ଉସମାନ ଖୱାଜା-୩୪*, ମାର୍ଣ୍ଣସ୍‌ ଲବୁସାନ-୧୩, ଷ୍ଟିଭେନ୍‌ ସ୍ମିଥ୍‌-୬, ସ୍କଟ୍‌ ବୋଲାଣ୍ଡ-୧୩*, ଷ୍ଟୁଆର୍ଟ ବ୍ରଡ୍‌-୨/୨୮, ଓଲି ରବିନସନ୍‌-୧/୨୨)।

ସଚିନ, କୋହଲିଙ୍କୁ ପଛରେ ପକାଇଲେ ରୁଟ୍‌
ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍‌ ସୋମବାର ଏକ ବିରଳ ମାଇଲ୍‌ଖୁଣ୍ଟ ଟପିଛନ୍ତି। ପ୍ରଥମ ପାଳିରେ ଶତକ (୧୧୮) ଅର୍ଜନ କରିଥିବା ରୁଟ୍‌ ସୋମବାର ୪୬ ରନ୍‌ କରିଥିଲା ବେଳେ ନାଥନ୍‌ ଲାୟନଙ୍କ ବଲ୍‌ରେ ଆଲେକ୍ସ କ୍ୟାରିଙ୍କ ଦ୍ବାରା ଷ୍ଟମ୍ପିଂ ହୋଇଥିଲେ। ୧୩୧ ଟେଷ୍ଟ ମ୍ୟାଚ୍‌ରେ ରୁଟ୍‌ ପ୍ରଥମ ଥର ଷ୍ଟମ୍ପ୍‌ ଆଉଟ୍‌ ହୋଇଛନ୍ତି। ଏଭଳି ଆଉଟ୍‌ ହେବା ପରେ ରୁଟ୍‌ ଭାରତୀୟ କ୍ରିକେଟ୍‌ କିଂବଦନ୍ତି ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ଟପି ଯାଇଛନ୍ତି। ରୁଟ୍‌ ଷ୍ଟମ୍ପିଂ ହେବା ପୂର୍ବରୁ ୧୧,୧୬୮ ଟେଷ୍ଟ ରନ୍‌ ସଂଗ୍ରହ କରିଥିଲେ। ଏହାଫଳରେ ‌ଅଧିକ ରନ୍‌ କରିବା ପରେ ପ୍ରଥମ ଥର ଷ୍ଟମ୍ପ୍‌ ଆଉଟ୍‌ ହେବାରେ ସେ ଦ୍ବିତୀୟ ବ୍ୟାଟର ହୋଇଯାଇଛନ୍ତି। ଏହି ତାଲିକାରେ ୱେଷ୍ଟଇଣ୍ଡିଜ୍‌ର ଶିବନାରାୟଣ ଚନ୍ଦ୍ରପଲ୍‌ (୧୧,୪୧୪ ରନ୍‌) ପ୍ରଥମ ସ୍ଥାନରେ ଥିଲା ବେଳେ ଗ୍ରେମ୍‌ ସ୍ମିଥ୍‌ (୮,୮୦୦ ରନ୍‌) ତୃତୀୟ, ବିରାଟ କୋହଲି (୮,୧୯୫ ରନ୍‌) ଚତୁର୍ଥ ଏବଂ ସଚିନ ତେନ୍ଦୁଲକର (୭,୪୧୯ ରନ୍‌) ପଞ୍ଚମ ସ୍ଥାନରେ ରହିଛନ୍ତି।