ଭୁବନେଶ୍ବର: ଓଡ଼ିଶାର ଦୁଇ ବ୍ୟାଡମିଣ୍ଟନ ତାରକା ପଣ୍ଡା ଭଉଣୀ ଋତାପର୍ଣ୍ଣା ଓ ଶ୍ବେତପର୍ଣ୍ଣା ବିଡବ୍ଲୁଏଫ୍ ତାଜିକସ୍ତାନ ଆନ୍ତର୍ଜାତିକ ସିରିଜ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଥିସହିତ କୌଣସି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଦୁଇ ଭାରତୀୟ ଭଉଣୀ ସ୍ବର୍ଣ୍ଣ ପଦକ ଜିତିବାରେ ଏହା ପ୍ରଥମ ଘଟଣା ହୋଇଛି। ଏହି ପ୍ରତିଯୋଗିତାର ମହିଳା ଯୁଗଳ ଫାଇନାଲ୍ରେ ଅଜରବାଇଜାନ୍ର ଇରା ମାଫତୁହା ଓ ହାଜର ନୁରିୟେଭାଙ୍କୁ ୨୧-୯, ୨୧-୭ ସିଧାସଳଖ ସେଟ୍ରେ ପରାସ୍ତ କରି ପଣ୍ଡା ଭଉଣୀ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏଥିପୂର୍ବରୁ ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଏହି ଦୁଇ ଭଉଣୀ ସେମିଫାଇନାଲ୍ରେ କାଜଖସ୍ତାନ୍ର ୟେଭା ବୁତ୍ପାୟେଭା ଓ ନର୍ଗିଜା ରଖମେତୁଲାୟେଭାଙ୍କୁ ୨୧-୧୦ ଓ ୨୧-୮ରେ ପରାଜିତ କରି ଫାଇନାଲ୍ରେ ପହଞ୍ଚିଥିଲେ। ଏହି ପ୍ରତିଯୋଗିତାରେ ଅନ୍ୟତମ ଭାରତୀୟ ଅନୁପମା ଉପାଧ୍ୟାୟ ମହିଳା ଏକକରେ ଇସ୍ରାଏଲ୍ର ସେନିଆ ପୋଲିକାର୍ପୋଭାଙ୍କୁ ୨୧-୧୯, ୯-୨୧, ୮-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ଏହି କୀର୍ତ୍ତିମାନ ଭରା ସ୍ବର୍ଣ୍ଣ ପଦକ ପାଇବା ପରେ ଦୁଇ ଭଉଣୀ ଉଲ୍ଲସିତ ହୋଇଛନ୍ତି। ଋତାପର୍ଣ୍ଣାଙ୍କ କହିବା ଅନୁସାରେ, ଏଭଳି ସଫଳତା ପାଇବା ପରେ ବହୁତ ଗର୍ବିତ ଅନୁଭବ କରିଛନ୍ତି। ଏପରିକି ଆମ ପାଇଁ ଏହା ପ୍ରଥମ ସ୍ବର୍ଣ୍ଣ ପଦକ ଥିଲା।
ଏଥିପୂର୍ବରୁ ଚୀନ୍ରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଖେଳିବା ପରେ ସେଠାରୁ ସିଧାସଳଖ ତାଜିକସ୍ତାନ ଖେଳିବାକୁ ଯାଇଥିଲୁ। କିଛି ମାସ ହେବ ଲଗାତାର ମ୍ୟାଚ୍ ଖେଳିଆସୁଥିବାରୁ ଶରୀର କ୍ଲାନ୍ତ ଥିଲା। ତଥାପି ଆହ୍ବାନକୁ ଗ୍ରହଣ କରି ସ୍ବର୍ଣ୍ଣ ଜିତିଥିବାରୁ ଆଶ୍ବସ୍ତି ମିଳିଥିବା ଋତାପର୍ଣ୍ଣା କହିଛନ୍ତି। ସେହିପରି ଏହି ପ୍ରତିଯୋଗିତା ଏକ ଭଲ ଅଭିଜ୍ଞତା ରହିଥିଲା ବୋଲି ଶ୍ବେତପର୍ଣ୍ଣା କହିଛନ୍ତି। ବିଭିନ୍ନ ଦେଶରେ ମ୍ୟାଚ୍ ଖେଳିବା ଦ୍ବାରା ନୂଆ ନୂଆ ଖେଳାଳିଙ୍କ ସହିତ ମିଶିବାକୁ ମିଳୁଛି। ସେମାନଙ୍କଠୁ ବହୁତ କିଛି ଶିଖିପାରୁଛି। ଏଭଳି ମ୍ୟାଚ୍ ଜିତିବା ପରେ ଆତ୍ମବିଶ୍ବାସ ବୃଦ୍ଧି ପାଉଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ଦୁଇ ଭଉଣୀଙ୍କ ଯୋଡ଼ି ଗତ ଜୁନ୍ରେ କାଜାକସ୍ତାନ୍ରେ ରୌପ୍ୟ ଜିତିଥିଲା ବେଳେ ପୂର୍ବରୁ ସେଣ୍ଟ ଡେନିସ୍ ରି’ୟୁନିଅନ୍ ଓପନ୍ରେ ରୌପ୍ୟ ଓ ଇନ୍ଫୋସିସ୍ ଇଣ୍ଟରନ୍ୟାସନାଲ୍ରେ କାଂସ୍ୟ ପଦକ ଜିତିଥିଲେ।