ନର୍ଥହାମ୍ପଟନ: ଇଂଲଣ୍ଡର ଦିନିକିଆ କପ୍‌ରେ ନର୍ଥହାମ୍ପଟନସାୟାର ପକ୍ଷରୁ ଖେଳୁଥିବା ଭାରତୀୟ ବ୍ୟାଟର୍‌ ପୃଥ୍ବୀ ସ’ ବୁଧବାର ନୂଆ କୀର୍ତ୍ତିମାନ କରିଛନ୍ତି। ନର୍ଥହାମ୍ପଟନ୍‌ର କାଉଣ୍ଟି ଗ୍ରାଉଣ୍ଡରେ ସମରସେଟ୍‌ ବିପକ୍ଷରେ ୨୩ ବର୍ଷୀୟ ପୃଥ୍ବୀ ୨୪୮ (୧୫୩ ବଲ୍‌, ୨୮ ଚୌକା, ୧୧ ଛକା) ରନ୍‌ର ପାଳି ଖେଳି ଅନେକ କୀର୍ତ୍ତିମାନର ଅଧିକାର ହୋଇଛନ୍ତି। ଏହି ପ୍ରତିଯୋଗିତା‌ରେ ସେ ସର୍ବୋଚ୍ଚ ସ୍କୋରର୍‌ ହେବା ସହ ଦ୍ବିଶତକ ମାରିବାରେ ତୃତୀୟ ବ୍ୟାଟର୍‌ ହୋଇଛନ୍ତି। ତାଙ୍କ ପୂର୍ବରୁ କେଣ୍ଟ୍‌ର ଓଲି ରବିନସନ୍‌ ଏବଂ ସସେକ୍ସର ଅଲୀ ଓର ଦ୍ବିଶତକ ମାରିଥିଲେ। ଉଭୟ ୨୦୬ ରନ୍‌ ଲେଖାଏଁ କରିଥିଲେ। ସେ ନିଜର ଏହି ୨୪୮ ରନ୍‌ର ବିସ୍ଫୋରକ ପାଳି ବଳରେ ଏମାନଙ୍କ ନାମରେ ଥିବା ସର୍ବୋଚ୍ଚ ସ୍କୋର୍‌ର କୀର୍ତ୍ତିମାନ ଭାଙ୍ଗିଥିଲେ।

Advertisment

ଲିଷ୍ଟ୍‌-ଏ’ରେ ଏହା ଷଷ୍ଠ ସର୍ବୋଚ୍ଚ ସ୍କୋର୍‌। ଏଥିସହ ଏହି ପ୍ରତିଯୋଗିତାରେ ଶତକ ମାରିବାରେ ଚେତେଶ୍ବର ପୂଜାରାଙ୍କ ପରେ ସେ ଦ୍ବିତୀୟ ଭାରତୀୟ ହୋଇଛନ୍ତି। ‌ପୂଜାରା ୧୦୩ ବଲ୍‌ରେ ୧୫୦ରୁ ଊର୍ଦ୍ଧ୍ବ ସ୍କୋର୍‌ କରିଥିଲା ବେଳେ ପୃଥ୍ବୀ ତାଙ୍କୁ ଟପିଯାଇଛନ୍ତି। ଏଥିସହ ୨ ବର୍ଷର ଲିଷ୍ଟ-ଏ’ ଶତକ ମରୁଡ଼ିର ଅନ୍ତ ଘଟାଇଛନ୍ତି। ଏହା ତାଙ୍କର ନବମ ଲିଷ୍ଟ-ଏ’ ଶତକ। ଶେ‌ଷ ଥର ଲାଗି ମାର୍ଚ୍ଚ ୨୦୨୧ରେ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଶତକ ଅର୍ଜନ କରିଥିଲେ। ପୃଥ୍ବୀ ୫୬ ଲିଷ୍ଟ-ଏ’ ମ୍ୟାଚ୍‌ ଖେଳି ୨୦ ଥର ୫୦ରୁ ଅଧିକ ସ୍କୋର୍‌ ଏବଂ ୫୦ରୁ ଊର୍ଦ୍ଧ୍ବ ହାରରେ ୨୮୦୦ରୁ ଅଧିକ ରନ୍‌ କରିଛନ୍ତି। ନର୍ଥହାମ୍ପଟନସାୟାର ପାଇଁ ଖେଳୁଥିବା ନିଜର ପଦାର୍ପଣ ମ୍ୟାଚ୍‌ରେ ସେ ୩୮ ରନ୍‌ରେ ହିଟ୍‌ ୱିକେଟ୍‌ ହୋଇ ପାଭିଲିୟନ ଫେରିଥିଲେ। ମୁମ୍ବାଇର ଏହି ତାରକା କ୍ରିକେଟର୍‌ ‌ଚଳିତ ବର୍ଷ ଜାନୁଆରିରେ ଶେଷ ଥର ଲାଗି ଭାରତୀୟ ଟ୍ବେଣ୍ଟି-୨୦ରେ ସ୍ଥାନ ପାଇଥିଲେ। ‌୨୦୨୧ରେ ‌ଭାରତ ପାଇଁ ଶେଷ ମ୍ୟାଚ୍‌ ଖେଳିଥିଲେ।