ସୂର୍ଯ୍ୟଙ୍କ କୀର୍ତ୍ତିମାନ: ଚଳିତ ବର୍ଷ ୧୦୦୦ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ରନ୍‌ କରିବାରେ ପ୍ରଥମ

ମେଲ୍‌ବର୍ଣ୍ଣ: ଭାରତୀୟ ମଧ୍ୟକ୍ରମ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ରବିବାର ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଜିମ୍ବାୱେ ବିପକ୍ଷ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଅପରାଜିତ ଅର୍ଦ୍ଧଶତକ ଜମାଇ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେ ୨୫ ବଲ୍‌ରୁ ୬ ଚୌକା ଓ ୪ ଛକା ସହାୟତାରେ ୬୧ ରନ୍‌ କରିଥିଲେ। ଏହି ଦମ୍‌ଦାର ପାଳି ବଳରେ ସୂର୍ଯ୍ୟକୁମାର ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଚଳିତ ବର୍ଷ ସେ ପ୍ରଥମ ବ୍ୟାଟର୍‌ ଭାବେ ୧୦୦୦ ରନ୍‌ ପୂରଣ କରିବାର ମାଇଲଖୁଣ୍ଟ ଛୁଇଁଛନ୍ତି। ଚଳିତ ୨୦୨୨ ଋତୁରେ ସେ ୨୮ ପାଳିରୁ ମୋଟ ୧୦୨୬* ରନ୍‌ କରିସାରିଲେଣି। ସେଥିରେ ୯ ଅର୍ଦ୍ଧଶତକ ସାମିଲ ଥିଲା ବେଳେ ଚଳିତ ବର୍ଷ ମଧ୍ୟ ତାଙ୍କ ବ୍ୟାଟ୍‌ରୁ ପ୍ରଥମ ‌ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଶତକ ଦେଖିବାକୁ ମିଳିଥିଲା। ଗତ ଜୁନ୍‌ ମାସରେ ଇଂଲଣ୍ଡ ବିପକ୍ଷରେ ସେ ଶତକ ଜମାଇଥିଲେ। ଚଳିତ ବର୍ଷ ସୂର୍ଯ୍ୟକୁମାର ମଧ୍ୟ ମୋଟ ୫୯ ଛକା ମାରିସାରିଲେଣି। ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୮୬.୫୪ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ସର୍ବୋଚ୍ଚ ରହିଛି। ଚଳିତ ବର୍ଷ ସର୍ବାଧିକ ରନ୍‌ କରିବାରେ ସୂର୍ଯ୍ୟକୁମାରଙ୍କ ପଛକୁ ପାକିସ୍ତାନ ୱିକେଟ୍‌ରକ୍ଷକ ମହମ୍ମଦ ରିଜ୍‌ୱାନ (୯୨୪*), ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି (୭୩୧) ରହିଛନ୍ତି।

ଅନ୍ୟପକ୍ଷରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍‌ କରିବା କ୍ଷେତ୍ରରେ ସୂର୍ଯ୍ୟକୁମାର ଏବେ ପାକିସ୍ତାନ ୱିକେଟ୍‌ରକ୍ଷକ ମହମ୍ମଦ ରିଜ୍‌ୱାନଙ୍କ ପଛକୁ ରହିଛନ୍ତି। ପ୍ରଥମ ବ୍ୟାଟର୍‌ ଭାବେ ରିଜ୍‌ୱାନ ୨୦୨୧ ଋତୁରେ ୨୬ ପାଳିରୁ ୧୩୨୬ ରନ୍‌ କରିଥିଲେ। ଫଳରେ ଏହି ଫର୍ମାଟ୍‌ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ୍‌ ପୂରଣ କରିବାରେ ସୂର୍ଯ୍ୟକୁମାର ଦ୍ବିତୀୟ ତଥା ପ୍ରଥମ ଭାରତୀୟ ହୋଇଛନ୍ତି। ଏହି ଦୁଇ ଜଣଙ୍କ ପଛକୁ ପାକିସ୍ତାନ ଅଧିନାୟକ ବାବର ଆଜମ (୯୩୯) ଏବଂ ଆୟର୍ଲାଣ୍ଡ୍‌ର ପଲ୍‌ ଷ୍ଟର୍ଲିଂ (୭୪୮) ରହିଛନ୍ତି।

ସମ୍ବନ୍ଧିତ ଖବର