ନୂଆଦିଲ୍ଲୀ: ତାଲାବନ୍ଦ ବେଳେ ରାମାୟଣ ଓ ମହାଭାରତ ଭଳି ପୌରାଣିକ ଧାରାବାହିକର ପୁନଃ ପ୍ରସାରଣ ସାଧାରଣ ଜନତାଙ୍କ ପାଇଁ ଅତ୍ୟନ୍ତ ଖୁସିର ଖବର ହୋଇଛି। ଏହା ମଧ୍ୟ ସେମାନଙ୍କ ପାଇଁ ଅତିରିକ୍ତ ଓ ଖାଲି ସମୟ ଅତିବାହିତ କରିବାର ବଳିଷ୍ଠ ମାଧ୍ୟମ ପାଲଟିଛି। ସମଗ୍ର ଭାରତ ବର୍ଷ ଏହି ଦୁଇ ଧାରାବାହିକକୁ ଏତେ ମାତ୍ରାରେ ପସନ୍ଦ କରୁଛି ଯେ ଅଚାନକ ଦୂରଦର୍ଶନର ଟିଆରପି ବହୁଗୁଣ ବଢ଼ିଯାଇଛି। ଉଭୟ ଧାରାବାହିକର ପ୍ରମୁଖ ଚରିତ୍ରରେ ଅଭିନୟ କରିଥିବା ଅଭିନେତାଙ୍କ ଲୋକପ୍ରିୟତା ମଧ୍ୟ ପୁଣି ଥରେ ଆକାଶଛୁଆଁ ହୋଇଛି। ମହାଭାରତର ଭୀମ ଚରିତ୍ରରେ ଅଭିନୟ କରିଥିବା ପ୍ରବୀଣ କୁମାର ସୋବତି କିନ୍ତୁ ନିଜ ନୂଆ ପ୍ରସିଦ୍ଧିକୁ ମନଭରି ଉପଯୋଗ କରୁଛନ୍ତି। ୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ମଧ୍ୟ ମହାଭାରତର ମହାବଳୀ ଭୀମ ଚରିତ୍ର ହିଁ ପ୍ରବୀଣ ଜୀବନକୁ ନୂଆ ମୋଡ଼ ଦେଇଥିଲା। ତେବେ ଭଲ ଅଭିନେତା ସହ ପ୍ରବୀଣ ଯେ ଜଣେ ଅଲିମ୍ପିଆନ୍ ଏବଂ ସେ ଏସୀୟ କ୍ରୀଡ଼ାରେ ଚାରି ଚାରିଟି ପଦକ ଜିତିଛନ୍ତି, ତାହା ସମ୍ଭବତଃ ଏବେକାର ପିଢ଼ି ଜାଣି ନଥିବେ। ଦୁଇ ଥର ଅଲିମ୍ପିକ୍ସ ଖେଳିଥିବା ପ୍ରବୀଣ ନିଜ କ୍ରୀଡ଼ା ସଫଳତା ଲାଗି ଅର୍ଜୁନ ପୁରସ୍କାର ବି ପାଇଛନ୍ତି।
/sambad/media/post_attachments/wp-content/uploads/2020/06/dg8j7dg98j7dg98j7dg89jdgjjjjjjjjjjjj-300x218.jpg)
ଡିସକସ୍ ଓ ହାମର୍ଥ୍ରୋ ମହାବଳୀ
୬ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ପଞ୍ଜାବୀ ଯୋଦ୍ଧା ପ୍ରବୀଣ ହାମର ଥ୍ରୋ ଓ ଡିସକସ୍ ଥ୍ରୋ’ରେ ଭାରତ ବର୍ଷ ପାଇଁ ଅନେକ ଗର୍ବ ଓ ଗୌରବ ଆଣିଥିଲେ। ଏସୀୟ କ୍ରୀଡ଼ାରେ ସେ ଦୁଇଟି ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ପାଇଥିଲେ। ୧୯୬୮ ମେକ୍ସିକୋ ସିଟି ଓ ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ତେବେ ବିଜ୍ଞାନ ସମ୍ମତ ପ୍ରଶିକ୍ଷଣର ଅଭାବ ତଥା ସରକାରୀ ଅସହଯୋଗ ପାଇଁ ଅଲିମ୍ପିକ୍ସ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ଏହା ହିଁ ତାଙ୍କର ଅବସୋସ। ଅଭିନୟକୁ ପେସା କରିଥିଲେ ମଧ୍ୟ କ୍ରୀଡ଼ା ତାଙ୍କର ପ୍ରଥମ ପ୍ରେମ ବୋଲି ୭୩ ବର୍ଷୀୟ ପ୍ରବୀଣ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି। ମହାଭାରତର ପୁନଃ ପ୍ରସାରଣ ପାଇଁ ମିଳୁଥିବା ଭଲପାଇବା, ପ୍ରଶଂସା ଓ ବଡ଼ ସେଲିବ୍ରେଟି ମାନ୍ୟତାକୁ ନେଇ ବି ସେ ବେଶ୍ ଗର୍ବିତ। ‘‘ ଚଳଚ୍ଚିତ୍ର ମୋତେ ବହୁତ କିଛି ଦେଇଛି। ହେଲେ କ୍ରୀଡ଼ା ସବୁବେଳେ ମୋର ପ୍ରଥମ ପ୍ରେମ ହୋଇ ରହିବ। ମୁଁ ଏବେବି ସେହି ସମୟକୁ ମନେ ପକାଇ ରୋମାଞ୍ଚିତ ହୁଏ। ଯେତେବେଳେ ଆପଣ ପୋଡିୟମ ଉପରେ ଛିଡ଼ା ହୁଅନ୍ତି ଏବଂ ଆପଣଙ୍କ ବେକରେ ପଦକ ଝୁଲୁଥାଏ। ସେହି ସମୟର ଭାବନାକୁ ଶବ୍ଦରେ ପରିପ୍ରକାଶ କରି ହୁଏନି। ସେହି ସ୍ମୃତିକୁ ଆପଣଙ୍କଠାରୁ କେହି ଛଡ଼େଇ ନେଇ ପାରିବେ ନାହିଁ। ଜଣେ କ୍ରୀଡ଼ାବିତ୍ ପାଇଁ ଏହା ହିଁ ସବୁଠାରୁ ବଡ଼ ଉପହାର। କ୍ରୀଡ଼ାରୁ ଆମେ ଅର୍ଥ ପାଇନୁ, ହେଲେ ଦେଶବାସୀଙ୍କଠାରୁ ସମ୍ମାନ ଓ ନିବିଡ଼ ଭଲ ପାଇବା ପାଇଛୁ। ଏବେ ଅବଶ୍ୟ ସ୍ଥିତି ବଦଳି ଯାଇଛି। ଏବେ କ୍ରୀଡ଼ାବିତଙ୍କୁ ପ୍ରସିଦ୍ଧି ସହ ମୋଟା ଅଙ୍କର ଅର୍ଥ ବି ମିଳୁଛି।’’ ବୋଲି ଭାବବିହ୍ବଳ ପ୍ରବୀଣ ନିଜ କ୍ରୀଡ଼ାବିତ୍ ଜୀବନକୁ ମନେ ପକାଇ କହିଛନ୍ତି।
ଏସୀୟ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା
ରୁପେଲି ପରଦା ଭଳି ପ୍ରବୀଣଙ୍କ କ୍ରୀଡ଼ା ଅଭିଯାନ ମଧ୍ୟ ବେଶ୍ ରୋଚକ ଓ ରୋମାଞ୍ଚକର। ଜାତୀୟ ସ୍ତରରେ ଅଗଣିତ ପଦକ ଜିତିଥିବା ପ୍ରବୀଣ ଏସୀୟ କ୍ରୀଡ଼ାରେ ଚାରିଟି ପଦକ ସହ ୧୯୬୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଗୋଟିଏ ପଦକ ଜିତିଥିଲେ। ୧୯୭୭ ଓ ୧୯୭୦ ଏସୀୟ କ୍ରୀଡ଼ାର ଡିସକସ୍ରେ ସେ ସ୍ବର୍ଣ୍ଣ ପଦକ ପାଇଥିଲେ। ସେହିଭଳି ୧୯୬୬ ଏସୀୟ କ୍ରୀଡ଼ାର ହାମର୍ଥ୍ରୋରେ କାଂସ୍ୟ ପଦକ ଜିତିଥିଲେ। ୧୯୭୪ ତେହେରାନ୍ ଏସୀୟ କ୍ରୀଡ଼ାର ଡିସ୍କସ୍ରେ ରୌପ୍ୟ ପଦକ ହାସଲ କରିବା ସହ ସେହିବର୍ଷ ଅର୍ଜୁନ ପୁରସ୍କାର ବି ପାଇଥିଲେ। ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ା ପଦକ ଜିତିଥିଲେ ମଧ୍ୟ ଅଲିମ୍ପିକ୍ସ ପଦକ ଜିତି ନପାରିବା, ତାଙ୍କ ଜୀବନର ସବୁଠାରୁ ବଡ଼ ଦୁଃଖ ବୋଲି ପ୍ରବୀଣ କହିଛନ୍ତି। ପିଠି ଯନ୍ତ୍ରଣା ପାଇଁ ହିଁ ଏଭଳି ଘଟିଥିଲା। ତେବେ ୧୯୬୮ ମସିହାରେ ଖେଳ ଜୀବନର ଶୀର୍ଷ ଫର୍ମରେ ଥିଲା ବେଳେ ସରକାରୀ ଅସହଯୋଗ ପାଇଁ ସମ୍ଭବତଃ ସେ ଅଲିମ୍ପିକ୍ସ ପଦକ ଜିତି ପାରି ନଥିଲେ ବୋଲି ପ୍ରବୀଣ କୁହନ୍ତି। ‘‘୧୯୬୮ରେ ମୁଁ ଅଲିମ୍ପିକ୍ସ ପଦକ ଜିତିବି ବୋଲି ଆତ୍ମବିଶ୍ବାସ ଥିଲା। ସେଥିପାଇଁ ବିଦେଶ ଯାଇ ଅଭ୍ୟାସ କରିବାକୁ ସର୍ବଭାରତୀୟ ଦୌଡ଼କୁଦ ମହାସଂଘର ତତକାଳୀନ ସଂପାଦକଙ୍କୁ ଅନୁରୋଧ କରିଥିଲି। ହେଲେ ସେ ମୋତେ ଘରକୁ ଫେରି ଯିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମୁଁ ଗାଁକୁ ପଳାଇ ଆସିଥିଲି। ରାଗରେ ତିନି ସପ୍ତାହ ପର୍ଯ୍ୟନ୍ତ ହାମର ଛୁଇଁ ନଥିଲି। ତେବେ ତୁରନ୍ତ ଦିଲ୍ଲୀ ପହଞ୍ଚିବାକୁ ମହାସଂଘ ପକ୍ଷରୁ ଏକ ଟେଲିଗ୍ରାମ ପାଇଥିଲି। ଦିଲ୍ଲୀରେ ପହଞ୍ଚିଲା ପରେ ସରକାର ମୋତେ ଅଲିମ୍ପିକ୍ସକୁ ପଠାଇବାକୁ ଚାହୁଁଛନ୍ତି ବୋଲି ସୂଚନା ପାଇଥିଲି। କାଗଜ ପତ୍ର ଯୋଗାଡ଼ କରି ଅଲିମ୍ପିକ୍ସ ପାଇଁ ମେକ୍ସିକୋ ଯାତ୍ରା କରିଥିଲି। ସେଠାରେ ପହଞ୍ଚିଲା ପରେ ଅଭ୍ୟାସ ପଡ଼ିଆକୁ ଯାଇ ପାରି ନଥିଲି। ବହୁ ଅସୁବିଧାର ସମ୍ମୁଖୀନ ହେବା ପରେ ୨୦ତମ ସ୍ଥାନରେ ରହିଥିଲି। ପ୍ରଶିକ୍ଷକ ଓ ମହାସଂଘର ଅସହଯୋଗ ପାଇଁ ମ୍ୟୁନିକ ଅଲିମ୍ପିକ୍ସରେ ମଧ୍ୟ ନୈରାଶ୍ୟଜନକ ଭାବେ ୨୬ତମ ସ୍ଥାନ ଅଧିକାର କରିଥିଲି।’’ ବୋଲି ପ୍ରବୀଣ କହିଛନ୍ତି।
କ୍ରୀଡ଼ା ଜଗତରୁ ଅଭିନୟ
ସତୁରୀ ଦଶକର ଶେଷ ଭାଗରେ କାଶ୍ମୀର ଯାଇଥିଲା ବେଳେ ନିର୍ଦ୍ଦେଶକ ରବିକାନ୍ତ ନାଗଇଚ୍ ପ୍ରବୀଣଙ୍କ ବଳିଷ୍ଠ ଚେହେରା ଦେଖି ତାଙ୍କୁ ଫର୍ଜ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ। ରବିକାନ୍ତଙ୍କ ଏହି ପ୍ରସ୍ତାବକୁ ପ୍ରବୀଣ କିନ୍ତୁ ସିଧା ସିଧା ମନା କରି ଦେଇଥିଲେ। ପରେ ବନ୍ଧୁ ଓ ନିକଟ ସଂପର୍କୀୟଙ୍କ ପରାମର୍ଶ ନେଇ ଅଭିନୟ ଜଗତରେ ପାଦ ଥାପିଥିଲେ। ହେଲେ ପ୍ରଥମ ଚଳଚ୍ଚିତ୍ରରେ ତାଙ୍କର ଗୋଟିଏ ହେଲେ ବି ସଂଳାପ କହିବାର ନଥିଲା। କେବଳ ମୁଖ୍ୟ ଚରିତ୍ର ନିଜ ସଂଳାପ କହି ସାରିବା ପରେ ସାଙ୍ଗମାନଙ୍କ ସହ ବସି ହସିବାର ଥିଲା। ଏହାକୁ ପ୍ରବୀଣ ଆଦୗ ପସନ୍ଦ କରି ନଥିଲେ। ଏହା ପରେ ୧୯୮୧ ମସିହାରେ ରକ୍ଷା ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଶେଷରେ ଶାହନଶାହ ଚଳଚ୍ଚିତ୍ରରେ ମୁକ୍ତାର ସିଂହ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ।
ଭୀମ ଚରିତ୍ର ଜୀବନ ବଦଳାଇ ଦେଇଥିଲା
ନିଜ ଅଭିନୟ ଜୀବନରେ ପ୍ରବୀଣ ଅଧିକାଂଶ ସମୟ ଗୁଣ୍ଡା ଓ ବଦମାସ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ବିଆର ଚୋପ୍ରା ତାଙ୍କ ଭୀମ ଚରିତ୍ରରେ ଅଭିନୟ କରିବାର ପ୍ରସ୍ତାବ ଦେଇଥିଲେ। ଏହି ଚରିତ୍ର ହିଁ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେତେବେଳେ ସେ ଯେଉଁଠିକି ବି ଯାଉଥିଲେ, ଲୋକେ ତାଙ୍କ ଭୀମ ବୋଲି ଡାକୁଥିଲେ। ପ୍ରଥମେ ପ୍ରଥମେ ମହାଭାରତର କଷ୍ଟକର ସଂଳାପ କହିବା ସହଜ ନଥିଲା। ସେଥିପାଇଁ ବିଆର ଚୋପ୍ରା ତାଙ୍କ ସଂଳାପ ଅନ୍ୟଜଣଙ୍କ କଣ୍ଠରେ କହିବାର ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରବୀଣ ଏଥିରେ ରାଜି ହୋଇ ନଥିଲେ। ଅନେକ ପରିଶ୍ରମ କରି ନିଜେ ହିଁ ନିଜ ସଂଳାପ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/fsh7fs98h7s98h7sf98h798hsfhfshfshsfhsfhshsh.jpg)