ଆପାର୍ଟମେଣ୍ଟରୁ ଡେଇଁ ଅଭିନେତ୍ରୀଙ୍କ ଆତ୍ମହତ୍ୟା 

ମୁମ୍ବାଇ: ଅସଫଳତା ପାଇଁ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି | ମୁମ୍ବାଇର ଲୋଖଣ୍ଡଵାଲାରେ ଥିବା ନିଜ ଆପାର୍ଟମେଣ୍ଟରୁ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି | ତାଙ୍କ ନାମ ପର୍ଲ ପଂଜାବୀ ହୋଇଥିବାବେଳେ ବୟସ ୨୨ରୁ ୨୫ ବର୍ଷ ହେବ ବୋଲି ଜଣାପଡିଛି | ପର୍ଲ ଜଣେ ମଡେଲ ଥିବାବେଳେ ଫିଲ୍ମ ଦୁନିଆରେ ଅଭିନୟ କରିବାକୁ ଚାଁହୁଥିଲେ | କିନ୍ତୁ ଏଥିରେ ସେ ସଫଳ ହୋଇପାରିନଥିଲେ |

ନିଜ ମା ଙ୍କ ସହ ଏହି ଘଟଣାକୁ ନେଇ ବାରମ୍ବାର କଳହ ଲାଗୁଥିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି | ପୁଲିସର କହିବା ମୁତାବକ ତାଙ୍କର ମାନସିକ ସ୍ଥିତି ଠିକ ନଥିଲା | ପୂର୍ବରୁ ମଧ୍ୟ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ବର୍ତ୍ତିଯାଇଥିଲେ | କୁହାଯାଉଛି ଗତକାଲି ରାତିରେ ଘରେ କୌଣସି କାରଣରୁ କଳହ ଲାଗିଥିଲା |

ଯାହାକୁ ନେଇ ନିଜ ଆପାର୍ଟମେଣ୍ଟରୁ ଛାତକୁ ଅଭିନେତ୍ରୀ ଜଣକ ଚାଲିଯାଇଥିଲେ | କିଛି ସମୟ ପରେ ଗୁରୁତର ଅବସ୍ଥାରେ ଆପାର୍ଟମେଣ୍ଟ ତଳେ ତାଙ୍କୁ ଦେଖିବାକୁ ମିଳିଥିଲା | ତୁରନ୍ତ ତାଙ୍କୁ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ପୁଲିସ ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରୁଛି |

ସମ୍ବନ୍ଧିତ ଖବର