ଏସୀୟ ଟ୍ରଫି ବଜାୟ ରଖିଲେ ଆଡ୍‌ଭାନୀ

ୟାଙ୍ଗୁନ୍‌ (ମିଆଁମାର୍‌): ଭାରତୀୟ କ୍ୟୁ ସ୍ପୋର୍ଟସ୍‌ ତାରକା ପଙ୍କଜ ଆଡ୍‌ଭାନୀ ଏସୀୟ ବିଲିୟାର୍ଡସ୍‌ ଟ୍ରଫି ବଜାୟ ରଖିଛନ୍ତି। ଏଠାରେ ଚାଲିଥିବା ଏସୀୟ ପ୍ରତିଯୋଗିତାର ଫାଇନାଲ୍‌ରେ ଶନିବାର ତାଙ୍କ ଅଭ୍ୟାସ ସାଥୀ ବି ଭାସ୍କରଙ୍କୁ ୬-୧ରେ ପରାସ୍ତ କରି ଆଡ୍‌ଭାନୀ ବିଜେତା ହେବା ସାଙ୍ଗକୁ ଟ୍ରଫି ନିଜ ପାଖରେ ରଖିଛନ୍ତି। ଆଉ ଏହି ବିଜୟ ସହ ଆଡ୍‌ଭାନୀ ମଧ୍ୟ ୨୦୧୭-୧୮ ବର୍ଷରେ ଭାରତ, ଏସୀୟ ଏବଂ ବିଶ୍ୱ ବିଜେତା ହେବାର ଗୌରବ ବହନ କରିଛନ୍ତି। କ୍ୟୁ ସ୍ପୋର୍ଟସ୍‌ର ଏସୀୟ ପ୍ରତିଯୋଗିତାରେ ଆଡ୍‌ଭାନୀ ମଧ୍ୟ ନିଜର ଏକାଦଶ ଏସୀୟ ଏବଂ ସପ୍ତମ ଉପମହାଦେଶୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଆଡ୍‌ଭାନୀ ମଧ୍ୟ ୨୦୦୬ ଓ ୨୦୧୦ରେ ଲାଗ ଲାଗ ଏସୀୟ ସ୍ୱର୍ଣ୍ଣ ଜିତିଥିଲେ। ଅନ୍ୟପକ୍ଷରେ ଅନ୍ୟତମ ଭାରତୀୟ ଆମୀ କମାନି ଏସୀୟ ମହିଳା ସ୍ନକର ଟ୍ରଫି କରାୟତ କରିଛନ୍ତି। ଏଠାରେ ଶନିବାର ଫାଇନାଲ୍‌ରେ କମାନି ୩-୦ରେ ସିରିପାପୋର୍ନ ନୁଆନ୍‌ଥାକାମ୍‌ଜାନ୍‌ଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଉପରେ କବ୍‌ଜା କରିନେଇଛନ୍ତି।

ସମ୍ବନ୍ଧିତ ଖବର