ଆଡିଲେଡ ଦିନିକିଆରେ ଟିମ୍‌ ଇଣ୍ଡିଆର ୫ ହିରୋ ଏମାନେ

ଆଡିଲେଡ଼: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ଶୃଙ୍ଖଳାର ୨ୟ ମ୍ୟାଚରେ ଟିମ୍‌ ଇଣ୍ଡିଆ ମଙ୍ଗଳବାର ୬ ଓ୍ଵିକେଟରେ ପରାସ୍ତ କରି ପୁଣି ଥରେ ଫର୍ମକୁ ଫେରିଛି। ଦିନିକିଆ ଶୃଙ୍ଖଳା ୧-୧ରେ ପହଂଚିଥିବା ବେଳେ ଉଭୟ ଦେଶ ମଧ୍ୟରେ ଜାନୁଆରି ୧୮ରେ ମେଲବର୍ଣ୍ଣରେ ନିର୍ଣ୍ଣାୟକ ମୁକାବିଲା ହେବ। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଦମଦାର ଶତକ ବ୍ୟତୀତ ମହେନ୍ଦ୍ର ସିଂହ ଧୋନିଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଭାରତ ଆଜି ସହଜରେ ମ୍ୟାଚ ଜିତିଛି। ଆଜିର ବିଜୟ ପଛରେ ଅନ୍ୟ କିଛି କାରଣ ମଧ୍ୟ ରହିଛି।

ବିରାଟ କୋହଲିଙ୍କ ଶତକ

ଭାରତକୁ ଏହି ମ୍ୟାଚ ବିଜୟ ପାଇଁ ୨୯୯ ରନ୍‌ ଲକ୍ଷ୍ୟ ମିଳିଥିଲା। ଦ୍ୱିତୀୟ ଇନିଂସର ୩୧ ଓଭରରେ ଅମ୍ବାତି ରାୟଡୁ ଓ ବିରାଟ କୋହଲି ବ୍ୟାଟିଂ କରୁଥିଲେ। ରାୟଡୁ ଆଉଟ ହୋଇଯିବା ପରେ କୋହଲିଙ୍କ ଉପରେ ଅଧିକ ଦାୟିତ୍ୱ ରହିଯାଇଥିଲା। ବିରାଟ କୋହଲି ୬୬ ବଲ୍‌ରେ ୫୦ ରନ କରିଥିଲେ। ସେହିଭଳି ସେ ୧୧୨ ବଲରେ ୧୦୪ ରନ କରି ଆଉଟ୍‌ ହୋଇଥିଲେ।

ଫିନିସର ଧୋନି

ଦର୍ଶକପୂର୍ଣ୍ଣ ଆଡିଲେଡ ଦିନିକିଆରେ ଏମ୍‌ଏସ୍‌ ଧୋନି ପୁଣି ଥରେ ହିରୋ ଭାବରେ ଉଭା ହୋଇଛନ୍ତି। ଭାରତ ୬ ଓ୍ଵିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅନ୍ତିମ ଓଭରରେ ୭ ରନ୍‌ ଦରକାର ଥିବା ବେଳେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କୁଲ୍‌ ମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି(ଅପରାଜିତ ୫୫ ରନ୍‌, ୫୪ ବଲ୍‌, ୨ଛକା) ଶେଷ ଓଭରର ପ୍ରଥମ ବଲକୁ ଛକା ମାରି ପ୍ରଶଂସକଙ୍କ ମନର ଆଶାର ସଂଚାର ଆଣିଥିଲେ। ଧୋନି ୨ୟ ଓଭରରେ ଆଉ ଗୋଟିଏ ରନ୍‌ କରି ଭାରତକୁ ବିଜୟୀ କରିଥିଲେ।

ରୋହିତ-ଧାଓ୍ଵନଙ୍କ ଭଲ ବ୍ୟାଟିଂ

ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଆରମ୍ଭରୁ ଭଳ ବ୍ୟାଟିଂ କରିଥିଲେ। ପ୍ରଥମ ମେଡେନ ହେବା ପରେ ରୋହିତ ଓ ଧାଓ୍ଵନ ଓ୍ଵିକେଟ ବଂଚାଇବା ଲକ୍ଷ୍ୟରେ ବ୍ୟସ୍ତ ହୋଇ ଖେଳି ନଥିଲେ। ଭାରତ ୮ମ ଓଭରରେ ୪୭ ରନରେ ଶିଖର (୩୨)ଙ୍କୁ ହରାଇଥିଲା। ରୋହିତ ଶର୍ମା ୧୮ ଓଭର ପର୍ଯ୍ୟନ୍ତ ଖେଳୁଥିଲେ । ସେ ୪୩ ରନ କରି ଆଉଟ ହୋଇଥିଲେ।

ଭୁବି-ସାମିଙ୍କ ପ୍ରଶଂସନୀୟ ଭୂମିକା

ଭାରତୀୟ ବୋଲରମାନେ ମଧ୍ୟ ଆଡିଲେଡ ଦିନିକିଆରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭୁବନେଶ୍ୱର କୁମାର ୪ ଓ୍ଵିକେଟ ନେଇଥିବା ବେଳେ ମହମ୍ମଦ ସାମି ୨ ଜଣେ କଙ୍ଗାରୁ ଦେଶର ଖେଳାଳିଙ୍କୁ ଆଉଟ୍‌ କରିଥିଲେ।

ସମ୍ବନ୍ଧିତ ଖବର