ମୁମ୍ବାଇ: ଆଦିଦାସ ଭାରତୀୟ କ୍ରିକେଟ୍‌ ଦଳର ନୂଆ କିଟ୍‌ ପ୍ରାୟୋଜକ ହେବାକୁ ଯାଉଛି। ଏସଂପର୍କରେ ବିସିସିଆଇ ସମ୍ପାଦକ ଜୟ ଶାହ ସୋମବାର ଘୋଷଣା କରିଛନ୍ତି। ପୂର୍ବରୁ ଆସିଥିବା ଏକ ରିପୋର୍ଟ ଅନୁଯାୟୀ, ଆଦିଦାସ ସହିତ ବିସିସିଆଇ ପାଖାପାଖି ୩୫୦ କୋଟି ଟଙ୍କାର ଚୁକ୍ତି କରିବାକୁ ଯାଉଛି। କିନ୍ତୁ ଏହି ଚୁକ୍ତିର ମୂଲ୍ୟ ଓ ସମୟସୀମା ସଂପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ। ଭାରତୀୟ ଦଳର ବର୍ତ୍ତମାନର କିଟ୍‌ ପ୍ରାୟୋଜକ କିଲର ଜିନ୍ସର ଚୁକ୍ତି ମେ ୩୧ ତାରିଖରେ ଶେଷ ହେବ। ଏହାପରଠୁ ଆଦିଦାସ ସହିତ ନୂଆ ଚୁକ୍ତି ଲାଗୁ ହେବ। ସେହିପରି ମୁଖ୍ୟ ପ୍ରାୟୋଜକ ବାୟଜୁସ୍‌ ଏହାର ଚୁକ୍ତିକୁ ନଭେମ୍ବର ମାସ ପରେ ଆଉ ବଢ଼ାଇବା ଲକ୍ଷ୍ୟରେ ନାହିଁ। ତେଣୁ ବିସିସିଆଇ ଏଥିପାଇଁ ଆଉ ଏକ ନୂଆ ପ୍ରାୟୋଜକ ଯୋଗାଡ଼ କରିବାକୁ ଲାଗିପଡ଼ିଛି।