ଭାରତ ବିପକ୍ଷ ଧଳାବଲ୍‌ ଶୃଙ୍ଖଳାରୁ ବଞ୍ଚିତ ହେବେ ରସିଦ

ଲଣ୍ଡନ : ଆସନ୍ତା ମାସରେ ଭାରତ ବିପକ୍ଷ ଧଳାବଲ୍‌ (ସୀମିତ ଓଭର) ଶୃଙ୍ଖଳାରେ ଇଂଲଣ୍ଡ ଦଳ ଲେଗ୍‌ ସ୍ପିନର ଆଦିଲ ରସିଦଙ୍କ ସେବାରୁ ବଞ୍ଚିତ ହେବ। ହଜ୍‌ ଯାତ୍ରା ଲାଗି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ତାଙ୍କୁ ଅନୁମତି ଦେଇଛି। ଏଥିଲାଗି ରସିଦ ଶନିବାର ସାଉଦି ଆରବ ଗସ୍ତ କରିବେ। ତେଣୁ ସେ ୟର୍କସାୟର ଟ୍ବେଣ୍ଟି-୨୦ ବ୍ଲାଷ୍ଟରେ ଭାଗନେଇ ପାରିବେନି। ‘ମୁଁ ହଜ୍‌ ଯାତ୍ରା କରିବା ଲାଗି ୟର୍କସାୟର ଓ ଇସିବିର ଅନୁମତି ମାଗିଥିଲି। ସେମାନେ ମତେ ଅନୁମତି ଦେଇଥିବାରୁ ଧନ୍ୟବାଦ’ ବୋଲି ରସିଦ କହିଛନ୍ତି। ଭାରତ-ଇଂଲଣ୍ଡ ଧଳାବଲ୍‌ ଶୃଙ୍ଖଳା (ଟ୍ବେଣ୍ଟି-୨୦ ଓ ଦିନିକିଆ) ଜୁଲାଇ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୩୪ ବର୍ଷୀୟ ରସିଦ ଜୁଲାଇ ମଧ୍ୟ‌ଭାଗରେ ‌ଫେରିବେ ତେଣୁ ଏହି ଶୃଙ୍ଖଳାରୁ ପୂରା ବଞ୍ଚିତ ହେବେ। ତେବେ ଏହାପରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ଶୃଙ୍ଖଳାରେ ସେ ଉପଲବ୍‌ଧ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର