ଆଡିଲେଡ୍‌ରେ ୧୩ ଓ୍ଵିକେଟ୍‌ ପତନ

ଆଡିଲେଡ୍‌: ଦ୍ୱିତୀୟ ଆସେସ୍‌ ଟେଷ୍ଟ୍‍ର ତୃତୀୟ ଦିନରେ ମୋଟ ୧୩ ଓ୍ଵିକେଟ୍‌ର ପତନ ସତ୍ତ୍ୱେ ଘରୋଇ ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼ ରହିଛି। ଅଷ୍ଟ୍ରେଲିଆର ୪୪୨ରନ୍‌ ଜବାବରେ ଇଂଲଣ୍ଡ ପ୍ରଥମ ପାଳିରେ ମାତ୍ର ୨୨୭ ରନ୍‌ କରିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ କିନ୍ତୁ ଦ୍ୱିତୀୟ ପାଳିରେ ୫୩ ରନ୍‌ରେ ୪ ଓ୍ଵିକେଟ୍‌ ହରାଇ ବସିଛି। ତଥାପି ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଦଳ ୨୬୮ ରନ୍‌ରେ ଆଗୁଆ ହୋଇ ସାରିଥିବାରୁ ସୁରକ୍ଷିତ ଆଡ଼କୁ ଗତି କରିଛି।
ଆଡିଲେଡ୍‌ ଓଭାଲ୍‌ରେ ସୋମବାର ଇଂଲଣ୍ଡ ୨୯/୧ରୁ ଖେଳିଥିଲା। କିନ୍ତୁ ଅଷ୍ଟ୍ରେଲିଆର ଦ୍ରୁତ ବୋଲରମାନେ ୫ ଓ୍ଵିକେଟ୍‌ କାଢ଼ିନେବା ପରେ ସ୍ପିନର୍‌ ନାଥନ୍‌ ଲିଅନ୍‌ଙ୍କ ଖେଳ ଇଂଲଣ୍ଡକୁ ଆଗକୁ ବଢ଼ିବାକୁ ଦେଇ ନ ଥିଲା। ଏକ ସମୟରେ ଇଂଲଣ୍ଡ ୧୦୨ ରନରେ ୫ ଓ୍ଵିକେଟ୍‌ ହରାଇ ଦେଇଥିଲା। କିନ୍ତୁ ନିମ୍ନକ୍ରମରେ କ୍ରେଗ୍‌ ଓଭରର୍ଟନ (୪୧*, ୭୯ ବଲ୍‌, ୫ ଚୌକା) ଏବଂ କ୍ରିସ୍‌ ଓ୍ଵକ୍‌ସ (୩୬, ୬୨ ବଲ୍‌, ୪ ଚୌକା) ଯୋଡ଼ିବାରୁ ଦଳ ୨୦୦ ରନ୍‌ ଅତିକ୍ରମ କରିପାରିଥିଲା। ଏହା ପରେ ଜେମ୍‌ସ ଆଣ୍ଡର୍‌ସନ୍‌ ଏବଂ କ୍ରିସ୍‌ ଓ୍ଵକ୍‌ସ ୨-୨ ଓ୍ଵିକେଟ୍‌ ଦଖଲ କରି ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଛନ୍ତି। ଫଳରେ ଭ୍ରମଣକାରୀ ଦଳ ପାଇଁ ପ୍ରତ୍ୟାବର୍ତନ ସୁଯୋଗ ସୃଷ୍ଟି ହୋଇଛି।
ସଂକ୍ଷୀପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୪୨ (ସନ୍‌ ମାର୍ସ-୧୨୬*, କ୍ରେଗ୍‌ ଓଭର୍ଟନ-୩/୧୦୫)। ଇଂଲଣ୍ଡ ପ୍ରଥମ ପାଳି: ୨୨୭ (କ୍ରେଗ୍‌ ଓଭର୍ଟନ-୪୧*, ଆଲେଷ୍ଟର୍‌ କୁକ୍‌-୩୭, କ୍ରିସ ଓ୍ଵକ୍‌ସ-୩୬, ମୋଇନ୍‌ ଅଲୀ-୨୫, ନାଥନ୍‌ ଲିଅନ୍‌-୪/୬୦, ମିଚେଲ୍‌ ଷ୍ଟାର୍କ-୩/୪୯, ପ୍ୟାଟ୍‌ କମିନସ-୨/୪୭, ଜୋସ୍‌ ହାଜେଲ୍‌ଉଡ୍‌-୧/୫୬)। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ୨୬ ଓଭରରେ ୫୩/୪ (ଉସମାନ ଖଓ୍ଵାଜା-୨୦, ହ୍ୟାଣ୍ଡ୍‌ସ୍କମ୍ବ-୩*, ଲିଅନ୍‌-୩*, କ୍ରିସ୍‌ ଓ୍ଵକ୍‌ସ-୨/୧୩, ଜେମ୍‌ସ ଆଣ୍ଡର୍‌ସନ୍‌-୨/୧୬)।

ସମ୍ବନ୍ଧିତ ଖବର