ଆଡିଲେଡ୍‌ ଦିନିକିଆ ଆଜି : ଧୋନିଙ୍କୁ ନେଇ ଚିନ୍ତା

ଆଡିଲେଡ୍,: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ମଙ୍ଗଳବାର ଆଡିଲେଡ୍‌ରେ ଖେଳାଯିବ। ବିଶ୍ବ କ୍ରିକେଟ୍‌ର ଦୁଇ ଲୋକପ୍ରିୟ ଦଳ ମଧ୍ୟରେ ଚାଲିଥିବା ଏହି ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜିତି ଘରୋଇ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ସେଥିଲାଗି ଭାରତ ପାଇଁ ମଙ୍ଗଳବାର ମୁକାବିଲା କର ବା ମର ହୋଇଛି। ଶୃଙ୍ଖଳା ବଞ୍ଚାଇବା ଲାଗି ବିରାଟ ବାହିନୀ ପାଇଁ ଏଠାରେ ବିଜୟ ହାସଲ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇ ଯାଇଛି।
ଟେଷ୍ଟ୍‌ ଶୃଙ୍ଖଳାରେ ପରାଜିତ ହେବା ପରେ ‌ସିଡ୍‌ନିରେ ଖେଳିଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଚିତ୍ତାକର୍ଷକ ବିଜୟ ହାସଲ କରିଥିଲା। ଗତ ଦୁଇ ବର୍ଷ ମଧ୍ୟରେ ସମ୍ଭବତଃ କଙ୍ଗାରୁ ଦଳର ଏହା ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଅଷ୍ଟ୍ରେଲିଆ ଭାରତ ଉପରେ ଭାରି ପଡ଼ିଥିଲା। ପଦାର୍ପଣକାରୀ ଜାସନ ବେହେରନ୍‌ଡ୍ରଫ୍ ଓ ଝେ ରିଚାର୍ଡସନଙ୍କ ଶାଣିତ ବୋଲିଂରେ ଭାରତର ତାରକା ଖଚିତ ବ୍ୟାଟିଂକ୍ରମ ପୂରା ଘାଇଲା ହୋଇ ଯାଇଥିଲା। ଭାରତ ୪ ରନ୍‌ରେ ୩ ୱିକେଟ୍ ହରାଇବା ପରେ ଏହି ଧକ୍କାରୁ ଆଉ ମୁକୁଳି ପାରି ନଥିଲା। ସେହିଭଳି ମହେନ୍ଦ୍ର ସିଂହ ଧୋନିଙ୍କ ମନ୍ଥର ବ୍ୟାଟିଂ ଏବେ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଧୋନିଙ୍କୁ ଚତୁର୍ଥ ସ୍ଥାନରେ ଖେଳାଇବାକୁ ଉପଅଧିନାୟକ ରୋହିତ ଶର୍ମା ଚାହୁଁଥିଲା ବେଳେ ଅଧିନାୟକ ବିରାଟ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀ ତାଙ୍କୁ ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ଖେଳାଇବା ସପକ୍ଷରେ ରହିଛନ୍ତି। ଟେଷ୍ଟ୍‌ ଶୃଙ୍ଖଳାରେ ଦମଦାର ପ୍ରଦର୍ଶନ କରିଥିବା ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କୁ ସୁଯୋଗ ଦେବାକୁ ଦାବି ମଧ୍ୟ ଆରମ୍ଭ ହୋଇଗଲାଣି। ଆଗକୁ ବିଶ୍ବକପ୍ ଥିବାରୁ ଦଳର ସନ୍ତୁଳନ ଠିକ୍ କରିବା ଏବେ ଚୟନକର୍ତାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଅଷ୍ଟ୍ରେଲିଆ ପାଇଁ ଅଧିନାୟକ ଅରୋନ ଫିଞ୍ଚଙ୍କ ବିଫଳତା ବଡ଼ ବିପଦ ହେବାରେ ଲାଗିଛି। ପ୍ରଥମ ଦିନିକିଆରେ ରାୟୁଡୁ ଖାତା ଖୋଲି ନଥିବାରୁ ତାଙ୍କ ଉପରେ ମଧ୍ୟ ମଙ୍ଗଳବାର ସମସ୍ତଙ୍କ ନଜର ରହିବ।
ଦଳ: ଆଡିଲେଡ୍ ଦିନିକିଆରେ ଉଭୟ ଦଳରେ ଛୋଟ କାଟିଆ ଅଦଳ ବଦଳ ହେବାର ଢେର ସମ୍ଭାବନା ରହିଛି। ସୁସ୍ଥ ହେବା ପରେ ଅଲରାଉଣ୍ଡର ମିଚେଲ ମାର୍ସ ଅଷ୍ଟ୍ରେଲିଆ ଦଳକୁ ଫେରି ପାରନ୍ତି। ସେପଟେ ଭାରତ ଦୀନେଶ କାର୍ତିକଙ୍କ ସ୍ଥାନରେ କେଦାର ଯାଦବଙ୍କୁ ଖେଳାଇପାରେ। ସିଡ୍‌ନିରେ ସଂଘର୍ଷ କରିଥିବା ଖଲିଲ ଅହମ୍ମଦ ଆଡିଲେଡ୍‌ରେ ଆଉ ଏକ ସୁଯୋଗ ପାଇ ପାରନ୍ତି।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ‌ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତିକ/କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, କୁଲଦୀପ ଯାଦବ, ଖଲିଲ ଅହମ୍ମଦ, ମହମ୍ମଦ ସାମି।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଆଲେକ୍ସ କ୍ୟାରେ, ଉସମାନ ଖୱାଜା, ସନ୍ ମାର୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ମାର୍କସ ଷ୍ଟୋଇନିସ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ପିଟର ସିଡଲ, ଝେ ରିଚାର୍ଡସନ୍, ନାଥନ ଲାୟନ, ଜାସନ ବେହେରନ୍‌ଡ୍ରଫ୍।
ପିଚ୍ ଓ ପାଗ: ଆଡିଲେଡ୍‌ରେ ଖେଳା ଯାଇଥିବା ଗତ ଦୁଇଟି ଦିନିକିଆରେ ବଡ଼ ସ୍କୋର ହୋଇ ନଥିଲା। ଏପରିକି ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାତ୍ର ୨୩୧ ରନ୍ କରି ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଦ୍ରୁତ ବୋଲରମାନେ ଆଡିଲେଡ୍‌ରେ ବୋଲିଂ କରିବାକୁ ମନ ଭରି ଉପଯୋଗ କରିଥିଲେ। ମଙ୍ଗଳବାର ପାଗ ଶୁଖିଲା ରହିବା ସହ ବର୍ଷା ହେବାର ଆଶଙ୍କା କମ୍ ଥିବା ଆଡିଲେଡ୍ ପାଣିପାଗ କାର୍ଯ୍ୟାଳୟ ଭବିଷ୍ୟବାଣୀ କରିଛି।

ବ୍ୟାଟିଂ କ୍ରମକୁ ନେଇ ଦ୍ବନ୍ଦ୍ବ
ସିଡ୍‌ନି ଦିନିକିଆରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ୫୧ ରନ୍‌ର ପାଳି ଖେଳିଥିଲେ। ତେବେ ଏଥିଲାଗି ସେ ୯୬ ବଲ୍ ନେଇଥିଲେ। ମଧ୍ୟଓଭର ଗୁଡ଼ିକରେ ରନ୍ ହାର ‌ବଢ଼ାଇବାକୁ ସେ ଏକପ୍ରକାର ଅସମର୍ଥ ହୋଇଥିଲେ। ଯାହା ଏବେ ଭାରତୀୟ ଦଳ ପାଇଁ ଚିନ୍ତାର କରଣ ହୋଇଛି। ହାର୍ଦିକ ପାଣ୍ଡ୍ୟାଙ୍କ ନିଲମ୍ବନ ପରେ ଦଳର ସନ୍ତୁଳନ ଯେମିତି ପୂରା ବିଗିଡ଼ି ଯାଇଛି। ସେହିଭଳି ଶିଖର ଧାୱନ ଏବଂ ଅମ୍ବାତି ରାୟୁଡୁଙ୍କ ବିଫଳତା ଦଳ ପାଇଁ ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। ଧୋନି ଅବଶ୍ୟ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରି ୫୨.୯୫ ହାରରେ ରନ୍ କରିଛନ୍ତି। ଯାହା ଗତ ୩୩ ମ୍ୟାଚ୍‌ରେ ସେ କରିଥିବା ରନ୍ ସଂଗ୍ରହ ହାରଠାରୁ ଯଥେଷ୍ଟ ଭଲ। ପଞ୍ଚମ ଓ ଷଷ୍ଠ ସ୍ଥାନରେ ବ୍ୟାଟିଂ କଲା ବେଳେ ତାଙ୍କ ରନ୍ କରିବା ହାର ଯଥାକ୍ରମେ ୫୦.୭୦ ଓ ୪୬.୩୩ ରହିଛି। ତେବେ ନିମ୍ନକ୍ରମରେ ବ୍ୟାଟିଂ କଲା ବେଳେ ରନ୍ ସଂଗ୍ରହ କରିବା ହାର ଅପେକ୍ଷା ଏହାକୁ ହାସଲ କରିବା ଗତିର ଅଧିକ ମହତ୍ବ ଥାଏ। ଯାହା କରିବା ଏବେ ଧୋନିଙ୍କ ପାଇଁ କାଠିକର ପାଠ ହେବାରେ ଲାଗିଛି। ଧୋନି ଚତୁର୍ଥ ସ୍ଥାନରେ ବ୍ୟାଟିଂକଲା ବେଳେ ତାଙ୍କ ରନ୍ ସଂଗ୍ରହ ଗତି ବା ଷ୍ଟ୍ରାଇକ୍ ରେଟ୍ ହେଉଛି ୯୪.୨୧। ମୋଟ ଉପରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ କିନ୍ତୁ ୮୭.୬୦। ପଞ୍ଚମ ସ୍ଥାନରେ ଖେଳିଲା ବେଳେ ସେ ୮୭.୬୦ ଏବଂ ଷଷ୍ଠ ସ୍ଥାନରେ ୮୩.୨୩ ହାରରେ ରନ୍ କରି ଥାଆନ୍ତି। ୨୦୧୬ରେ ଭାରତ ଯେତେବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଶୃଙ୍ଖଳା ଖେଳିଥିଲା ଦୁଇଟି ଦିନିକିଆରୁ ଧୋନି ମାତ୍ର ୧୬ ରନ୍ କରିଥିଲେ। ଖେଳ ଜୀବନରେ ମାତ୍ର ୮ ମ୍ୟାଚ୍‌ରେ ସେ ଚତୁର୍ଥ ସ୍ଥାନରେ ଖେଳିଥିଲା ବେଳେ ଶେଷ ଥର ପାଇଁ ଗତବର୍ଷର ଏସିଆ କପରେ ସେ ଏହି ସ୍ଥାନରେ ବ୍ୟାଟିଂ କରିଥିଲେ। ୨୦୧୬ରୁ ତାଙ୍କ ରନ୍ ସଂଗ୍ରହ ହାର ମାତ୍ର ୨୪.୭୫ ଥିଲା ବେଳେ ଷ୍ଟ୍ରାଇକ୍ ରେଟ୍ ମାତ୍ର ୭୭.୩୪ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଅକ୍ଟୋବର ୨୦୧୬‌ରେ କରିଥିବା ୮୦ ରନ୍ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ରନ୍ ହୋଇ ରହିଛି। ଏଣୁ ଆଡିଲେଡରେ ତାଙ୍କୁ କେଉଁ ସ୍ଥାନରେ ଖେଳାଇବେ, ତାହା ଅଧିନାୟକ କୋହଲିଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର