ଆଡିଲେଡ୍‌ ଟେଷ୍ଟ୍‍ରେ ରୋମାଞ୍ଚ: ଅଷ୍ଟ୍ରେଲିଆକୁ ଆଣ୍ଠେଇଲେ ଆଣ୍ଡର୍‌ସନ୍‌

ଆଡିଲେଡ୍‌୍‌: ଆଡିଲେଡ୍‌ ଓଭାଲ୍‌ରେ ଚାଲିଥିବା ଦ୍ୱିତୀୟ ଆସେସ୍‌ ଟେଷ୍ଟ୍‌ ରୋମାଞ୍ଚକ ମୋଡ଼ ନେଇଛି। ତୃତୀୟ ଦିନ ୧୩ ଓ୍ଵିକେଟ୍‌ର ପତନ ପରେ ମଙ୍ଗଳବାର ଚତୁର୍ଥ ଦିନ ୧୦ ଓ୍ଵିକେଟ୍‌ର ପତନ କାରଣରୁ ମ୍ୟାଚ୍‌ ନିର୍ଣ୍ଣାୟକ ସ୍ଥିତିକୁ ଆସିଛି। ଅଷ୍ଟ୍ରେଲିଆ ମାଟିରେ ଅଭିଜ୍ଞ ଜେମ୍‌ସ ଆଣ୍ଡରସନ୍‌ଙ୍କ ପ୍ରଥମ ୫ ଓ୍ଵିକେଟ୍‌ ସଫଳତା ହିଁ ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଛି। ଇଂଲଣ୍ଡ ଦଳ ସମ୍ମୁଖରେ ୩୫୪ ରନ୍‌ ବିଜୟ ଲଧ୍ୟ ଧାର୍ଯ୍ୟ ହୋଇଛି। ଭ୍ରମଣକାରୀ ଦଳ କିନ୍ତୁ ୪ ଓ୍ଵିକେଟ୍‌ରେ ୧୭୬ ରନ୍‌ କରି ଆଉ ୧୭୮ ରନ୍‌ ଦୂରରେ ରହିଛି। ବୁଧବାର ଶେଷ ଦିନରେ ରୋମାଞ୍ଚକର ସମାପ୍ତିର ପ୍ରତିଶ୍ରୁତି ରଖିଛି ଆଡିଲେଡ୍‌ ଟେଷ୍ଟ୍‍।
ମଙ୍ଗଳବାର ଅଷ୍ଟ୍ରେଲିଆ ୫୩/୪ରୁ ଖେଳିବା ପରେ ମାତ୍ର ୧୩୮ ରନ୍‌ରେ ସମସ୍ତ ଓ୍ଵିକେ୍‌ଟ ହରାଇଥିଲା। ମାତ୍ର ୨ ଜଣ ୨୦ ରନ୍‌ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ। ଜେମ୍‌ସ ଆଣ୍ଡରସନ୍‌ (୨୨-୭-୪୩-୫) ଏବଂ କ୍ରିସ୍‌ ଓ୍ଵକ୍‌ସ (୧୬-୩-୩୬-୪) କଙ୍ଗାରୁ ଦଳକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଥିଲେ। ୧୫ ଟେଷ୍ଟ୍‍ ଓ ୩୦ ପାଳି ପରେ ଅଷ୍ଟ୍ରେଲିଆରେ ଜେମ୍‌ସ ଆଣ୍ଡରସନ୍‌ ପ୍ରଥମ ଥର ପାଇଁ ୫ ଓ୍ଵିକେଟ୍‌ ସଫଳତା ପାଇଥିଲେ। ୨୦୧୦-୧୧ ବିଜେତା ଶୃଙ୍ଖଳାରେ ଆଣ୍ଡର୍‌ସନ୍‌ ୩ ଥର ୪ ଓ୍ଵିକେଟ୍‌ ନେଇଥିଲେ। ବିଦେଶ ମାଟିରେ ମଧ୍ୟ ଆଣ୍ଡରସନ୍‌ଙ୍କ ଏହା ପଞ୍ଚମ ୫ ଓ୍ଵିକେଟ୍‌ ସଫଳତା। ମୋଟ ଉପରେ ସେ ୨୫ ଥର ପାଇଁ ଏହି ସଫଳତା ପାଇ ନିଜ ଦେଶର ଇଆନ୍‌ ବୋଥାମ୍‌ (୨୭)ଙ୍କ ତଳେ ରହିଛନ୍ତି। ଅନ୍ୟୁନ ୫୦୦ ଟେଷ୍ଟ୍‍ ଓ୍ଵିକେଟ୍‌ ନେଇଥିବା ଖେଳାଳିଙ୍କ ମଧ୍ୟରେ ଗ୍ଲେନ୍‌ ମ୍ୟାକ୍‌ଗ୍ରା, କର୍ଟନୀ ଓ୍ଵାଲ୍‌ସଙ୍କ ପରେ ଆଣ୍ଡରସନ୍‌ଙ୍କ ହାରାହାରି କିନ୍ତୁ ସବୁଠୁ ଖରାପ ରହିଛି। ଅଷ୍ଟ୍ରେଲିଆର ତୃତୀୟ ପାଳି ସର୍ବନିମ୍ନ ସ୍କୋର୍‌ କିନ୍ତୁ ଇଂଲଣ୍ଡକୁ ଆହ୍ଵାନଭରା ବିଜୟ ସୁଯୋଗ ଦେଇଛି। ଇଂଲଣ୍ଡ ବିଜୟୀ ହେଲେ ଅଷ୍ଟ୍ରେଲିଆରେ ନୂଆ କୀର୍ତିମାନ କରିବ। ୧୯୨୮ ମସିହାରେ ମେଲବର୍ନରେ ଇଂଲଣ୍ଡ ସର୍ବାଧିକ ୩୩୨ ରନ୍‌ କରି ଜିତିଥିଲା। ଇଂଲଣ୍ଡର ସବୁ ଆଶା ଏବେ ଅଧିନାୟକ ଜୋ ରୁଟ୍‌ (୬୭*)ଙ୍କ ଉପରେ ରହିଛି।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୪୨ (ମାର୍ସ-୧୨୬*, କ୍ରେଗ୍‌ ଓଭର୍ଟନ-୩/୧୦୫)। ଇଂଲଣ୍ଡ ପ୍ରଥମ ପାଳି: ୨୨୭ (ଓଭର୍ଟନ-୪୧*, ଲିଅନ୍‌-୪/୬୦, ଷ୍ଟାର୍କ-୩/୪୯, କମିନସ-୨/୪୭)। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ୫୮ ଓଭରରେ ୧୩୮ (ଉସମାନ ଖଓ୍ଵାଜା-୨୦, ମିଚେଲ୍‌ ଷ୍ଟାର୍କ-୨୦, ଜେମ୍‌ସ ଆଣ୍ଡର୍‌ସନ୍‌-୫/୪୩, କ୍ରିସ୍‌ ଓ୍ଵକ୍‌ସ-୪/୩୬)। ଇଂଲଣ୍ଡ ଦ୍ୱିତୀୟ ପାଳି: ୬୨ ଓଭରରେ ୧୭୬/୪ (ଷ୍ଟୋନ୍‌ମ୍ୟାନ୍‌-୩୬, ମଲନ୍‌-୨୯, ଜୋ ରୁଟ୍‌-୬୭*, କ୍ରିସ୍‌ ଓ୍ଵକ୍‌ସ-୫*, ଷ୍ଟାର୍କ-୨/୬୫, କମିନସ-୧/୨୯, ଲିଅନ-୧/୩୭)।

ସମ୍ବନ୍ଧିତ ଖବର