ରୌପ୍ୟ ପଦକ ଦୌଡ଼ରେ ଅଦିତି

ଟୋକିଓ : ଟୋକିଓ ଅଲିମ୍ପିକ୍ସର ମହିଳା ଏକକ ଷ୍ଟ୍ରୋକ୍‌ ପ୍ଲେ ଇଭେଣ୍ଟରେ ଭାରତୀୟ ଯୁବତୀ ଅଦିତି ଅଶୋକ ତାଙ୍କ ଚମତ୍କାର ପ୍ରଦର୍ଶନ ଜାରି ରଖି ରୌପ୍ୟ ପଦକ ଦୌଡ଼ରେ ରହିଛନ୍ତି। ଶୁକ୍ରବାର ସୁଦ୍ଧା ତୃତୀୟ ରାଉଣ୍ଡ୍‌ ଶେଷ ହୋଇଥିବା ବେଳେ ଅଦିତି ଏବେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। କାସୁମିସାଗେକି କଣ୍ଟ୍ରି କ୍ଲବ୍ କୋର୍ସରେ ଚାଲିଥିବା ଟୋକିଓ୨୦୨୦ ଗଲ୍‌ଫ ପ୍ରତିଯୋଗିତାରେ ବିଶ୍ବର ଏକ ନମ୍ବର ମହିଳା ଖେଳାଳି ନେଲି କୋର୍ଡା ଶୀର୍ଷରେ ଥିବାରୁ ସ୍ବର୍ଣ୍ଣ ପଦକ ଦାବିଦାର ଅଛନ୍ତି। ଗତକାଲିଠାରୁ ୪ ଷ୍ଟ୍ରୋକରେ ଆଗୁଆ ଥିବା ଆମେରିକୀୟ ଯୁବତୀ କୋର୍ଡା ଶୁକ୍ରବାର ୨ ଅଣ୍ଡର୍‌ ୬୯ ସ୍କୋର ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।‌ ମୋଟ ଉପରେ କୋର୍ଡା ୧୫ ଆଣ୍ଡର୍‌ ୧୯୮ ସ୍କୋର୍ ଅର୍ଜନ କରିଛନ୍ତି। ୨୩ ବର୍ଷୀୟା ଅଦିତି ୫ ବର୍ଡି ସହିତ ୧୨ ଅଣ୍ଡର୍‌ ୨୦୧ ସ୍କୋର୍‌ ଅର୍ଜନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଜାପାନ ଓ ଡେନମାର୍କର ଜଣେ ଲେଖାଏଁ ଗଲ୍‌ଫର ସମାନ ୨୦୩ ପଏଣ୍ଟ୍ ସହ ମିଳିତ ତୃତୀୟରେ ରହିଛନ୍ତି। ମାତ୍ର ୩ ପଏଣ୍ଟର ବ୍ୟବଧାନ ଥିବାରୁ କୋର୍ଡାଙ୍କୁ ପଛରେ ପକାଇ ଅଦିତି ଶୀର୍ଷକୁ ଉଠିବାର ସମ୍ଭାବନା ରହିଛି। ତେବେ ସବୁକିଛି ପାଗ ଉପରେ ନିର୍ଭର କରିବ। ଶନିବାର ଶେଷ ରାଉଣ୍ଡ୍‌ ଖେଳାଯାଇନପାରିଲେ ଏହାକୁ ୫୪‌ ହୋଲ୍‌ରେ ସୀମିତ ରଖାଯିବ। ଶୁକ୍ରବାର କୋର୍ଡାଙ୍କ ୩ ପ୍ରାରମ୍ଭିକ ବର୍ଡି ଆତ୍ମବିଶ୍ବାସ ବଢ଼ାଇଥିଲେ ମଧ୍ୟ ପାର୍‌ ୫ ଅଷ୍ଟମ ହୋଲ୍‌ରେ ବୋଗି ପାଇବା ତାଙ୍କ ଲୟକୁ ରୋକି ଦେଇଥିଲା। ତଥାପି ୧୦ଟି ଲଗାତାର ପାର୍‌ ସ୍କୋର୍‌ ସହ ସେ ଫାଇଦାରେ ରହିଛନ୍ତି। ଅନ୍ୟପକ୍ଷରେ ବିଶ୍ବ ମାନ୍ୟତାରେ ୨୦୦ତମ ସ୍ଥାନରେ ଥିଲେ ମଧ୍ୟ ନିଜ ଦ୍ବିତୀୟ ଅଲିମ୍ପିକ୍ସ ଖେଳୁଥିବା ଅଦିତି ୧୭ତମ ହୋଲ୍‌ରେ ବର୍ଡି ସହିତ କୋର୍ଡାଙ୍କୁ ଆହ୍ବାନ ଦେଇଥିଲେ। ରିଓ ବିଜୟିନୀ ପାର୍କ ଇନ୍‌ବୀଙ୍କ ଆଶା ମଉଳିଯାଇଛି କାରଣ ସେ ଏବେ କୋର୍ଡାଙ୍କଠାରୁ ୧୨ ଷ୍ଟ୍ରୋକ୍‌ ପଛରେ ପଡ଼ିଯାଇଛନ୍ତି।

ସମ୍ବନ୍ଧିତ ଖବର