ଆଦିତ୍ୟ ଗ୍ରୁପ୍‌ ସିସିସିଏଲ୍‌ ବିଜେତା

ଭୁବନେଶ୍ୱର: ଆଦିତ୍ୟ ଗ୍ରୁପ୍‌ ଓ୍ଵି-ଫର୍‌-ୟୁ ପକ୍ଷରୁ ଆୟୋଜିତ ଅଷ୍ଟମ ଚାରିଟେବୁଲ କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌ (ସିସିସିଏଲ୍‌) ବିଜେତା ହୋଇଛି। ଭୁବନେଶ୍ୱର ୟୁନିଟ୍‌-୧ସ୍ଥିିତ କିଶୋର କ୍ଲବ୍‌ ପଡିଆରେ ଖେଳାଯାଇଥିବା ଫାଇନାଲ୍‌ରେ ଆଦିତ୍ୟ ଗ୍ରୁପ୍‌ ୧୦ ରନ୍‌ରେ ଉତ୍କଳ ଆଲୁମିନାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆଦିତ୍ୟ ଗ୍ରୁପ୍‌ ୬ ଓ୍ଵିକେଟ୍‌ ହରାଇ ୧୩୨ ରନ୍‌ କରିଥିଲା। ଜବାବରେ ଉତ୍କଳ ଆଲୁମିନା ୮ ଓ୍ଵିକେଟ୍‌ ହାଇ ୧୨୨ ରନ୍‌ କରିପାରିଥିଲା। ଫାଇନାଲର ଶ୍ରେଷ୍ଠ ଖେଳାଳି ସେକ୍‌ ଅନଓ୍ଵର ଅଲ୍ଲୀ, ପ୍ରତିଯୋଗିତାର ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟନ୍‌ ପୁରସ୍କାର ଜୋଗେଶ୍‌ ଗଡ଼ନାୟକଙ୍କୁ ମିଳିଥିଲା। ଜିତେନ୍ଦ୍ର କୁମାର ନାୟକ (୧୦୭)ଙ୍କୁ ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାବେ ସ୍ୱତନ୍ତ୍ର ପୁରସ୍କାର ମିଳିଥିଲା। ସେହିଭଳି ଶ୍ରେଷ୍ଠ ଓ୍ଵିକେଟ୍‌ ରକ୍ଷକ ପୁଲସ୍ତି ସାହୁ, ଶ୍ରେଷ୍ଠ ବୋଲର ଏମ୍‌ଡି. ସଦାମ୍‌, ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଶୁଭଙ୍କର ପଣ୍ଡା, ଶ୍ରେଷ୍ଠ ଦଳୀୟ ପ୍ରବନ୍ଧକ ତେଜ୍‌ବାଲି ୟାଦବଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।
ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଏସ୍‌ଏସ୍‌ପିଡି ବିଭାଗର ପ୍ରମୁଖ ସଚିବ ନିତିନ୍‌ ଚନ୍ଦ୍ରା, ଏସ୍‌ଏସ୍‌ପିଡି ବିଭାଗର ନିର୍ଦେଶକ ମାନସୀ ନିମ୍ବାଲ, ଆଦିତ୍ୟ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ଆଦିତ୍ୟ ପାତ୍ର ଏବଂ ଜଷ୍ଟ୍‌ ଭେରିଫାଏଡ୍‌ର ନିର୍ଦେଶକ ସଂଜୀବ ପାତ୍ର ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଗତବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ଏହା ବଡ ଆକାରରେ ଆୟୋଜନ ହୋଇଥିଲା।
ସୂଚନାଯୋଗ୍ୟ, ଓ୍ଵି-ଫର-୍‌ୟୁ ନିଜର ଦାତବ୍ୟ ଓ ସାମାଜିକ କାର୍ଯ୍ୟକଳାପ ନିମନ୍ତେ ଧନରାଶି ଯୋଗାଡ଼ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଏହି କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌ର ଆୟୋଜନ କରିଥାଏ। ଚଳିତବର୍ଷ ଏହି କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌-୨୦୧୬ରୁ ମିଳିଥିବା ଧନରାଶିକୁ ଦୃଷ୍ଟିହୀନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଅଡିଓ ଆଲବମ୍‌ର ପ୍ରସ୍ତୁତି ନିମନ୍ତେ ଖର୍ଚ୍ଚ କରାଯିବ। ଏହାଫଳରେ ରାଜ୍ୟରେ ହଜାର ହଜାର ଦୃଷ୍ଟିହୀନ ଉପକୃତ ହୋଇପାରିବେ।

ସମ୍ବନ୍ଧିତ ଖବର