ପାରଳାଖେମୁଣ୍ଡି: ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ‘ନିସାନ୍ ସାଲୋମ୍’ରୁ ୪୫ ଓ ୪୬ତମ ଅନାଥ ଦୁଇ ଶିଶୁ କନ୍ୟାଙ୍କୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ସ୍ପେନ୍‌ର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଗଜପତି ଜିଲ୍ଲା ରା.ଉଦୟଗିରି ଅଞ୍ଚଳର ଏହି ଶିଶୁମାନେ କୋଭିଡ୍ ମହାମାରୀ ସମୟରେ ସେମାନଙ୍କ ପିତାମାତାଙ୍କୁ ହରାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ ଶିଶୁଦ୍ବୟଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ନିମନ୍ତେ ଜିଲ୍ଲାରେ ଥିବା ଏକମାତ୍ର ସ୍ବତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ‘ନିସାନ୍ ସାଲୋମ୍’ରେ ରଖିଥିଲେ। ଶିଶୁ ମଙ୍ଗଳ ସମିତି ଶିଶୁମାନଙ୍କ ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲରେ ଅପଲୋଡ୍‌ କରିଥିଲେ। ତିନି ବର୍ଷ ଧରି ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରିଥିବା ସ୍ପେନ୍‌ ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଦମ୍ପତି ଭିଡିଓ ମାଧ୍ୟମରେ ଶିଶୁଦ୍ବୟଙ୍କୁ ପସନ୍ଦ କରି ପାଖକୁ ନେବା ପାଇଁ ସ୍ଥିର କରିବା ପରେ ପରେ ଆବଶ୍ୟକ ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ। ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଦ୍ବୟଙ୍କୁ ସ୍ପେନ୍ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ।

Advertisment

ଦୁଇ ଶିଶୁ କନ୍ୟାଙ୍କ ବୟସ ୪ ଓ ୬ ବର୍ଷ ହୋଇଥିବା ବେଳେ ଦୁହେଁ ପରସ୍ପର ଭଉଣୀ। ଏମାନଙ୍କୁ ପାଇ ଦମ୍ପତି ବେଶ୍‌ ଖୁସି ଥିବା ବେଳେ ଭାରତରୁ କାହିଁକି ପୋଷ୍ୟ ସନ୍ତାନ ଗ୍ରହଣ କଲେ ବୋଲି ପଚାରିବାରୁ ଉତ୍ତରରେ ସେମାନେ କହିଥିଲେ, ଭାରତ ଏକ ସୁନ୍ଦର ଦେଶ ଓ ଏଠିକାର ସଂସ୍କୃତି ଓ ପରମ୍ପରା ସେମାନଙ୍କୁ ଭଲ ଲାଗେ। ହସ୍ତାନ୍ତର ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଅଶ୍ବିନୀ କୁମାର ମହାପାତ୍ର, ସଭ୍ୟ ବିଚିତ୍ରାନନ୍ଦ ପାଣି, ‘ନିସାନ ସାଲୋମ୍‌’ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।