ନୂଆଦିଲ୍ଲୀ : ମଣ୍ଟେନେଗ୍ରୋ (ବୁଦ୍ବା)ରେ ଚାଲିଥିବା ୩୦ତମ ଆଡ୍ରିଆଟିକ୍ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗୀମାନେ ୧୨ ପଦକ ସୁନିଶ୍ଚିତ କରିଛନ୍ତି। ଏସୀୟ ଯୁବ ସ୍ବର୍ଣ୍ଣ ବିଜେତା ବାବିରୋଜିସାନା ଚାନୁ (୫୧ କେଜି) ଏବଂ ବିନିକା (୬୦ କେଜି) ନିଜ ନିଜର ପ୍ରଥମ ରାଉଣ୍ଡ୍ ବିଜୟ ସହ ସେମିଫାଇନାଲ୍ରେ ପହଞ୍ଚି ଯାଇଥିବାରୁ ଅତିକମ୍ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି। ଏମ୍ସି ମେରି କମ୍ ଏକାଡେମିରେ ପ୍ରଶିକ୍ଷଣ ନେଉଥିବା ମଣିପୁର ବାଳିକା ଚାନୁ ତାଙ୍କ ବୁଲ୍ଗେରିଆ ପ୍ରତିଦ୍ବନ୍ଦ୍ବୀ ଜର୍ଜିଏଭା ବ୍ଲାଗୋଭେଷ୍ଟାଙ୍କ ବିପକ୍ଷରେ ଆଧିପତ୍ୟ ବିସ୍ତାର କରିଥିଲେ। ସେମିଫାଇନାଲ୍ରେ ଚାନୁଙ୍କ ଲଢ଼େଇ ଉଜ୍ବେକିସ୍ତାନର ଫେରୁଜା କାଜାକୋଭାଙ୍କ ସହ ହେବ। ଅନ୍ୟପକ୍ଷରେ ବିନିକା ଅନ୍ୟତମ ଉଜ୍ବେକିସ୍ତାନ ପ୍ରତିଦ୍ବନ୍ଦ୍ବୀ ସେଭାରା ଆଶୁରୋଭାଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍ରେ ତାଙ୍କର ମୁକାବିଲା ଫିନ୍ଲାଣ୍ଡ୍ର ଶୁଭି ତୁଜୁଲାଙ୍କ ସହ ହେବ।
ଏହି ଦୁଇ ଜଣଙ୍କ ବ୍ୟତୀତ ୨୦୧୮ ପାଇଁ ଏସିଆର ଶ୍ରେଷ୍ଠ ବାଳିକା ମୁଷ୍ଟିଯୋଦ୍ଧା ବିବେଚିତ ହୋଇଥିବା ଅରୁନ୍ଧତୀ ଚୌଧୁରୀ (୬୯ କେଜି) ମଧ୍ୟ ଅତିକମ୍ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି। ସେ ଫିନ୍ଲାଣ୍ଡ୍ର ଇଭେଲିନା ତାଇମିଙ୍କୁ ୫-୦ରେ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ପୁଣି ନେହା (୫୪ କେଜି), ପ୍ରୀତି (୫୭ କେଜି), ଲୁସି ରାଣା (୬୪ କେଜି) ଓ ସାନମାଚା ଚାନୁ (୭୫ କେଜି) ମଧ୍ୟ ସେମିଫାଇନାଲ୍ ପହଞ୍ଚି ପଦକ ନିଶ୍ଚିତ କରିଛନ୍ତି। ପୁରୁଷ ବର୍ଗରେ ଜୁଗ୍ନୁ (୯୧+ କେଜି) ୱାକ୍ଓଭର ପାଇ ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିଥିଲା ବେଳେ ପ୍ରିୟାଂଶୁ ଦାବସ (୪୯ କେଜି) ମଧ୍ୟ ସେମିଫାଇନାଲ୍ ପହଞ୍ଚିଛନ୍ତି। ଅଲ୍ଫିୟା ପଠାନ୍ (୮୧+ କେଜି), ଗିତିକା (୪୮ କେଜି) ଓ ରାଜ ସାହିବା (୭୫ କେଜି) ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି।
କିନ୍ତୁ ଅରମ୍ବମ୍ ନାଓବା ସିଂହ (୫୨ କେଜି), ସୁମିତ (୬୯ କେଜି) ଏବଂ ବିଷ୍ଣୁ ଗୁପ୍ତା (୯୧ କେଜି) ନିଜ ନିଜ କ୍ବାର୍ଟର ଫାଇନାଲ ଲଢ଼େଇ ହାରି ପଦକରୁ ବଞ୍ଚିତ ରହିଛନ୍ତି।