ଚେନ୍ନାଇ: ଘରୋଇ ଦର୍ଶକଙ୍କ ସମ୍ମୁଖରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ମଙ୍ଗଳବାର ଫାଇନାଲ୍ ସ୍ଥାନ ପାଇଁ ବିଜେତା ଗୁଜରାଟ ଟାଇଟନ୍ସକୁ ଭେଟିବ। ଚଳିତ ଋତୁର ଏହି ପ୍ରଥମ ପ୍ଲେ ଅଫ୍ ମ୍ୟାଚ୍ ବିଜେତା ରବିବାର ଖେଳାଯିବାକୁ ଥିବା ଫାଇନାଲ୍ରେ ପହଞ୍ଚିବ। ପରାଜିତ ଦଳ ପ୍ଲେ ଅଫ୍-୨ରେ ଖେଳିବ। ୧୪ ମ୍ୟାଚ୍ରୁ ଗୁଜରାଟ ୨୦ ପଏଣ୍ଟ ଏବଂ ଚେନ୍ନାଇ ୧୭ ପଏଣ୍ଟ ସହ ପ୍ରଥମ ଦୁଇ ଦଳ ଭାବେ ପ୍ଲେ ଅଫ୍ରେ ପହଞ୍ଚିଥିଲେ। ୪୧ ବର୍ଷୀୟ ମହେନ୍ଦ୍ର ସିଂହ ଧୋନିଙ୍କ ଏହା ସମ୍ଭବତଃ ଶେଷ ଆଇପିଏଲ୍ ହୋଇଥିବାରୁ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି କ୍ବାଲିଫାୟାର-୧ରେ ଘରୋଇ ଦର୍ଶକ ନିଜର ପ୍ରିୟ ଅଧିନାୟକଙ୍କୁ ବିଦାୟ ଦେବାକୁ ବହୁସଂଖ୍ୟାରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ତେଣୁ ଘରୋଇ ଦର୍ଶକଙ୍କ ସମର୍ଥନରେ ଚେନ୍ନାଇ ଜିତିବାକୁ ପୂରା ଚେଷ୍ଟା କରିବ ଏବଂ ସମସ୍ତଙ୍କ ନଜର ଧୋନିଙ୍କ ଉପରେ ରହିବ। ୪ ଥରର ବିଜେତା ଚେନ୍ନାଇକୁ କିନ୍ତୁ ଟେବୁଲର ଶୀର୍ଷରେ ଥିବା ଗୁଜରାଟକୁ ହରାଇବା ସହଜ ହେବନି। ଚେନ୍ନାଇର ଦୁଇ ଓପନର୍ ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଭଲ ଆରମ୍ଭ ଦେଉଛନ୍ତି। ଶିବମ ଦୁବେ ଚଳିତ ଋତୁରେ ମଧ୍ୟ ସଫଳ ରହିଛନ୍ତି। ସିଏସ୍କେର ଅଭିଜ୍ଞ ଶେଷ ଓଭର ବୋଲର ମାଥୀଶା ପଥିରଣା ଗୁଜରାଟ ବ୍ୟାଟର୍ଙ୍କୁ ଭଲ ଚ୍ୟାଲେଞ୍ଜ ଦେଇପାରିବେ। ଚଳିତ ଆଇପିଏଲ୍ରେ ୧୦ ମ୍ୟାଚ୍ରୁ ୧୫ ୱିକେଟ୍ ନେଇଥିବା ଏହି ସିଂହଳୀ ବୋଲର ଗୁଜରାଟର ଫିନିସର ଡେଭିଡ ମିଲର ଓ ରାହୁଲ ତିୱାତିଆଙ୍କୁ ଅଡ଼ୁଆରେ ପକାଇବାକୁ ସକ୍ଷମ। ସ୍ପିନ୍ରେ ଅଭିଜ୍ଞ ରବୀନ୍ଦ୍ର ଜାଦେଜା ଓ ମୋଇନ ଅଲୀ ରହିଛନ୍ତି।
ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ରବିବାର ମ୍ୟାଚ୍ରେ ଗୁଜରାଟ ଶୁବମନ ଗିଲ୍ଙ୍କ ଶତକ ବଳରେ ୧୯୮ ରନ୍ର ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା। ଗିଲ୍ ଲଗାତାର ୨ ଶତକ ମାରି ଚେନ୍ନାଇକୁ ସତର୍କ କରାଇଛନ୍ତି। ଗିଲ୍ (୬୮୦ ରନ୍)ଙ୍କ ପାଖରେ ମଧ୍ୟ କମଳା ଟୋପି ଜିତିବାର ସୁଯୋଗ ରହିଛି। ସେ ସର୍ବୋଚ୍ଚ ରନ୍ ସ୍କୋରର୍ ଦୌଡ଼ରେ ଫାଫ ଡୁ’ପ୍ଲେସିସ୍ (୭୩୦ ରନ୍)ଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି। ଗୁଜରାଟର ବୋଲିଂ ମଧ୍ୟ ଭଲ ରହିଛି। ତାରକା ଦ୍ରୁତ ବୋଲର ମହମ୍ମଦ ସାମି ଚମତ୍କାର କରୁଥିଲା ବେଳେ ସ୍ପିନ୍ରେ ରସିଦ ଖାନ ଓ ନୂର ଅହମ୍ମଦ ବିପକ୍ଷ ଦଳକୁ ଅସୁବିଧାରେ ପକାଉଛନ୍ତି। ୫ଟି ଟ୍ବେଣ୍ଟି-୨୦ ପାଳିରେ ଗାଏକ୍ବାଡଙ୍କୁ ରସିଦ ୨ ଥର ଆଉଟ କରିଛନ୍ତି। ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ ୮.୪୩ ରନ୍ ରେଟ୍ ସହ ଚଳିତ ଋତୁର ଦ୍ବିତୀୟ ସର୍ବନିମ୍ନ ସ୍କୋର୍ ଭେନ୍ୟୁ। ଡେଥ୍ ଓଭରରେ ୧୨.୦୨ ରେଟ୍ରେ ରନ୍ ସଂଗ୍ରହ କରୁଥିବା ଗୁଜରାଟ ଚେପକ ପିଚ୍ରେ କିଭଳି ଖେଳୁଛି ଦେଖିବାର ଅଛି।
ଗୁଜରାଟ ଟାଇଟନ୍ସ ସମ୍ବାବ୍ୟ ଦ୍ବାଦଶ: ଶୁବମନ ଗିଲ, ରିଦ୍ଧିମାନ ସାହା, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ଦସୁନ ଶଣକା, ରାହୁଲ ତିୱାତିଆ, ରସିଦ ଖାନ, ୟାଶ ଦୟାଲ, ମହମ୍ମଦ ସାମି, ନୂର ଅହମ୍ମଦ, ମୋହିତ ଶର୍ମା।
ଚେନ୍ନାଇ ସୁପର କିଙ୍ଗ୍ସ ସମ୍ବାବ୍ୟ ଦ୍ବାଦଶ: ଡେଭନ କନୱେ, ଋତୁରାଜ ଗାଏକ୍ବାଡ, ଅଜିଙ୍କ୍ୟ ରାହାଣେ, ଶିଭମ ଦୁବେ, ମୋଇନ ଅଲୀ, ଅମ୍ବାତି ରାୟୁଡ଼ୁ, ରବୀନ୍ଦ୍ର ଜାଦେଜା, ଏମ୍ଏସ୍ ଧୋନି (ଅଧିନାୟକ), ଦୀପକ ଚହର, ମହେଶ ଥୀକ୍ଷଣା, ତୁଷାର ଦେଶପାଣ୍ଡେ, ମାଥୀଶା ପଥିରାଣା।