କ୍ରିକେଟ୍ ପଡ଼ିଆରେ ମୁକାବିଲା ପୂର୍ବରୁ ଭାରତ-ପାକିସ୍ତାନ ବିଜ୍ଞାପନ ଯୁଦ୍ଧ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ-ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ଦୁଇଦେଶ ମଧ୍ୟରେ ବିଜ୍ଞାପନ ଯୁଦ୍ଧ ସୁରୁ ହୋଇଯାଇଛି । ଗଣମାଧ୍ୟମକୁ  ଆସିଛି ପରସ୍ପରକୁ ଅପମାନିତ କଲା ଭଳି ବିଜ୍ଞାପନ । ଦୁଇ ଦେଶ ମଧ୍ୟରେ ତିକ୍ତତା ଶୀର୍ଷରେ ପହଂଚିଥିବା ବେଳେ କୁଟନୈତିକ ଛକାପଂଝା ଲାଗିରହିଛି । ଏପଟେ  ବିଶ୍ୱକପରେ ମୁହାଁମୁହିଁ ହେବା ପୂର୍ବରୁ କ୍ରିକେଟ୍ ଚ୍ୟାନେଲ ପକ୍ଷରୁ ରିଲିଜ କରାଯାଇଥିବା ବିଜ୍ଞାପନ ଭିଡିଓକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।


ପାକିସ୍ତାନୀ କ୍ରୀଡ଼ା ଚ୍ୟାନେଲ ଜୋଜ୍ ଟିଭି ପକ୍ଷରୁ ଏକ ବିଜ୍ଞାପନ ଜାରି କରାଯାଇଥିଲା । ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନର ବାଲାକୋଟରେ ଏୟାର ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଭାରତ । ଏହାର ଜବାବ ଦେବାକୁ ଭାରତୀୟ ବାୟୁସୀମାକୁ ଯୁଦ୍ଧ ଜାହାଜ ପଠାଇଥିଲା ପାକିସ୍ତାନ । ପାକିସ୍ତାନୀ ଯୁଦ୍ଧ ବିମାନର ମୁକାବିଲା କରିବାକୁ ଯାଇ ପାକିସ୍ତାନରେ ବନ୍ଦୀ ହୋଇଥିଲେ ଭାରତୀୟ ବାୟୁସେନା କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ପାକିସ୍ତାନ କବଜାରେ ଥିବାବେଳେ ଏହିଭଳି ଚା’ ପିଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ସେଭଳି ଢଙ୍ଗରେ ଅଭିନନ୍ଦନଙ୍କ ପରି ନିଶ୍ ରଖିବା ସହ ହାତରେ ଚା’ କପ୍ ଧରି ବ୍ୟକ୍ତି ଜଣଙ୍କ ପିନ୍ଧିଥିଲେ ଭାରତୀୟ ଖେଳାଳିଙ୍କ ପୋଷାକ । ସେହି ବ୍ୟକ୍ତିଙ୍କୁ କେତେକ ପ୍ରଶ୍ନ କରାଯାଉଥିବାବେଳେ ସେ ଭୟଭୀତ ହୋଇ ଉତ୍ତର ରଖୁଥିବା ବିଜ୍ଞାପନରେ ପ୍ରଦର୍ଶିତ କରାଯାଇଥିଲା ।


ଆଉ ଏବେ ପଡ଼ିଛି ଭାରତର ପାଳି । ଉକ୍ତ ବିଜ୍ଞାପନର ଜବାବରେ  ଭାରତୀୟ ଚ୍ୟାନେଲ  ପକ୍ଷରୁ ଏକ ବିଜ୍ଞାପନ ଜାରି କରାଯାଇଛି । ଏଥିରେ ପରୋକ୍ଷ ଭାବରେ ଭାରତକୁ ପାକିସ୍ତାନର ବାପା ବୋଲି ଦର୍ଶାଯାଇଛି । ଏଥିରେ ଜଣେ ପାକିସ୍ତାନ ଖେଳାଳି ସେଲୁନକୁ ଆସି ଭାରତୀୟ ଖେଳାଳିଙ୍କୁ ଉପହାର ଦେଉଛନ୍ତି ଏବଂ ରୁମାଲଟିଏ ବଢ଼ାଇ ଦେଉଥିବାର ଦେଖାଯାଉଛି । ରୁମାଲ ବଢ଼ାଇ ସେ କହୁଛନ୍ତି, ଏଇଟି ରଖନ୍ତୁ ହାରିବା ପରେ ମୁହଁ ଲୁଚାଇବା ପାଇଁ କାମରେ ଆସିବ । ଆଉ ତା’ପରେ ସେଲୁନରେ ଦାଢ଼ି କାଟୁଛନ୍ତି । ହେଲେ ଆଇନାରରେ ନିଜ ଚେହେରା ଦେଖି ଚମକି ପଡୁଛନ୍ତି ପାକିସ୍ତାନୀ ପ୍ରଶଂସକ । କାରଣ ସେଲୁନ କର୍ମଚାରୀ ତାଙ୍କୁ ଅଭିନନ୍ଦନ କଟ୍ ଦେଇଛନ୍ତି । ଏହା ପରେ ଭାରତୀୟ ଜର୍ସି ପିନ୍ଧିଥିବା ଖେଳାଳି ଜଣକ ତାଙ୍କୁ ରୁମାଲଟି ଫେରାଇ ଦେଇ ମୁହଁ ଲୁଚାଇବା ପାଇଁ ପରାମର୍ଶ ଦେଉଛନ୍ତି ।

ସମ୍ବନ୍ଧିତ ଖବର