ଏଏଫ୍‌ସି କପ୍‌ ଫୁଟ୍‌ବଲର ସମସ୍ତ ମ୍ୟାଚ୍ ସ୍ଥଗିତ

ହଂକଂ: ଏସୀୟ ଫୁଟବଲ୍ ମହାସଂଘ (ଏଏଫ୍‌ସି) ଏଏଫ୍‌ସି କପ୍ ଫୁଟ୍‌ବଲ୍ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍‌କୁ ସ୍ଥଗିତ କରି ଦେଇଛି। କରୋନା ମହାମାରୀ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି‌ରେ କୁହାଯାଇଛି। ଏହା ପୂର୍ବରୁ ପଶ୍ଚିମ ଏସିଆରେ ଖେଳା ଯାଉଥିବା ସମସ୍ତ ଫୁଟ୍‌ବଲ୍ ପ୍ରତିଯୋଗିତାକୁ ଏଏଫ୍‌ସି ସ୍ଥଗିତ କରି ସାରିଥିଲା। ଏଏଫ୍‌ସି କପ୍ ଏସିଆ ମହାଦେଶର ଦ୍ବିତୀୟସ୍ତରୀୟ ଫୁଟବଲ୍ ପ୍ରତି‌ଯୋଗିତା ହୋଇଥିଲା ବେଳେ ଏଥିରେ ଜୋର୍ଡାନ୍, ଲେବାନନ୍, ସିଙ୍ଗାପୁର, ବାଂଲାଦେଶ ଓ ତାଜିକିସ୍ତାନ ଭଳି ଦେଶର ଦଳ ଅଂଶଗ୍ରହଣ କରନ୍ତି। ପରବର୍ତ୍ତୀ ସୂଚୀ ଘୋଷଣା କରାଯିବା ପୂର୍ବରୁ କରୋନା ପାଇଁ ସୃଷ୍ଟି ହୋଇଥିବା ବିପଜ୍ଜନକ ସ୍ଥିତିକୁ ସମୀକ୍ଷା କରାଯିବ ବୋଲି ଏଏଫ୍‌ସି କହିଛି। ଫୁଟବଲ୍ ଜଗତରେ କରୋନା ବ୍ୟାପକ ପ୍ରଭାବ ପକାଇଥିଲା ବେଳେ ଚାଇନିଜ୍ ସୁପର ଲିଗ୍, ଦକ୍ଷିଣ କୋରିଆର କେ-ଲିଗ୍, ଜାପାନର ଜେ-ଲିଗ୍, ସ୍ପେନ ଓ ଇଟାଲିର ସମସ୍ତ ଫୁଟ୍‌ବଲ୍ ମ୍ୟାଚ୍‌କୁ ସ୍ଥଗିତ କିମ୍ବା ବାତିଲ କରି ଦିଆଯାଇଛି।

ସମ୍ବନ୍ଧିତ ଖବର