ଭୁବନେଶ୍ବର: ଏଏଫ୍ସି କପ୍ ଇଣ୍ଟର ଜୋନ୍ ପ୍ଲେ ଅଫ୍ ସେମିଫାଇନାଲ୍ର ଦ୍ବିତୀୟ ତଥା ପାଲଟା ଲେଗ୍ରେ ଗୁରୁବାର ଘରୋଇ ଦଳ ଓଡ଼ିଶା ଏଫ୍ସି ଓ ଅଷ୍ଟ୍ରେଲିଆର ସେଣ୍ଟ୍ରାଲ୍ କୋଷ୍ଟ୍ ମାରିନର୍ସ ଦଳ କଳିଙ୍ଗ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ। ଏଥିଲାଗି ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି। ସେହିଭଳି ଗୁରୁବାର ବିଜୟୀ ହେବେ ବୋଲି ଉଭୟ ଦଳର ପ୍ରଶିକ୍ଷକ ଓ ଅଧିନାୟକ ବୁଧବାରର ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦୁଇ ଦଳ ମଧ୍ୟରେ ନ୍ୟୁ ସାଉଥ୍ ୱେଲ୍ସର ସେଣ୍ଟ୍ରାଲ କୋଷ୍ଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ଲେଗ୍କୁ ସେଣ୍ଟ୍ରାଲ୍ କୋଷ୍ଟ୍ ମାରିନର୍ସ ଏକତରଫା ଭାବେ ୪-୦ରେ ଜିତି ନେଇଥିଲା। ଓଡ଼ିଶା ଏଫ୍ସି ଏଥର ଘରୋଇ ପରିବେଶରେ ଖେଳିବାକୁ ଯାଉଥିବାରୁ ସେହି ଲଜ୍ଜାଜନକ ପରାଜୟର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ସେଣ୍ଟ୍ରାଲ୍ କୋଷ୍ଟ୍ ମାରିନର୍ସ ଘରୋଇ ସହ ବିଦେଶ ମ୍ୟାଚ୍କୁ ଜିତି ତାଲିକାରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ୨-୦ ବିଜୟ ସହ ଫାଇନାଲ୍ ଖେଳିବାକୁ ଲକ୍ଷ୍ୟ ରଖିଛି।
ତେବେ ଗତ ମ୍ୟାଚ୍ର ପ୍ରଦର୍ଶନକୁ ତର୍ଜମା କଲେ ଓଡ଼ିଶା ଏଫ୍ସି ପାଇଁ ଏହି ଲକ୍ଷ୍ୟ ପୂରଣ କରିବା ଆଦୌ ସହଜ ହେବନି ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହି ମ୍ୟାଚ୍କୁ ନଜିତିଲେ ଭୁବନେଶ୍ବର ଭିତ୍ତିକ ଏହି ଦଳର ଫାଇନାଲ୍ ଖେଳିବା ଆଶା ମଉଳିଯିବ। ସେହିଭଳି ବେଙ୍ଗାଲୁରୁ ଏଫ୍ସି ପରେ ଦ୍ବିତୀୟ ଭାରତୀୟ ଦଳ ଭାବେ ଏଏଫ୍ସି କପ୍ ଇଣ୍ଟର ଜୋନ୍ ପ୍ଲେ ଅଫ୍ ଫାଇନାଲ୍ ଖେଳିବା ସ୍ବପ୍ନ ଭାଙ୍ଗି ଚୂରମାର୍ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/dgdagdgda.jpg)