ନୂଆଦିଲ୍ଲୀ: ଅକ୍ଟୋବର ୨୩ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏଏଫ୍‌ସି ମହିଳା ଅଲିମ୍ପିକ୍‌ କ୍ବାଲିଫାୟର ରାଉଣ୍ଡ-୨ ପାଇଁ ଭାରତ ଗ୍ରୁପ୍‌-ସି’ରେ ସ୍ଥାନ ପାଇଛି। ଏହି କଷ୍ଟସାଧ୍ୟ ଗ୍ରୁପ୍‌ରେ ଭାରତ ଆୟୋଜକ ଉଜ୍‌ବେକିସ୍ତାନ, ଭିଏତନାମ ଓ ଜାପାନ ସହ ପ୍ରତିଦ୍ବନ୍ଦ୍ବିତା କରିବ। ଚଳିତ ବର୍ଷ ପ୍ରାରମ୍ଭରେ ଦୁଇ ଚରଣ ବିଶିଷ୍ଟ ପ୍ଲେ-ଅଫ୍‌ରେ କିର୍ଗିଜ୍‌ ରିପବ୍ଲିକ୍‌ ବିପକ୍ଷରେ ଯଥାକ୍ରମେ ୫-୦ ଓ ୪-୦ ଗୋଲ୍‌ ବିଜୟ ବଳରେ ଭାରତ ରାଉଣ୍ଡ-୨କୁ ଉନ୍ନୀତ ହୋଇଥିଲା। ଏହି ରାଉଣ୍ଡ ପାଇଁ ଘୋଷିତ ଗ୍ରୁପ୍‌ରେ ଭାରତ (୬୧) ସର୍ବନିମ୍ନ ମାନ୍ୟତା ଦଳ ରହିଥିଲା ବେଳେ ୨୦୧୨ ଅଲିମ୍ପିକ୍‌ ରୌପ୍ୟ ବିଜେତା ଜାପାନ ବିଶ୍ବ ମାନ୍ୟତାର ଏକାଦଶ ଭାବେ ସବୁଠୁ ଶକ୍ତିଶାଳି ଦଳ ରହିଛି।

Advertisment

ଗତବର୍ଷ ଫିଫା ମହିଳା ବିଶ୍ବକପ୍‌ରେ ପଦାର୍ପଣ କରିଥିବା ଭିଏତନାମ ୩୩ ଏବଂ ଉଜ୍‌ବେକିସ୍ତାନ ୫୦ତମ ମାନ୍ୟତାପ୍ରାପ୍ତ ଅଛନ୍ତି। ରାଉଣ୍ଡ-୧ରେ କିର୍ଗିଜସ୍ତାନ ବିପକ୍ଷରେ ଖେଳିଥିବା ଭାରତ ମଧ୍ୟ ଉଜ୍‌ବେକିସ୍ତାନ ସହ ଗୋଟିଏ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିଥିଲା। ସେଥିରେ ୨-୩ ଗୋଲ୍‌ରେ ପରାଜୟ ବରଣ କରିଥିଲା। କେବଳ ସେତିକି ନୁହେଁ, ଉଜ୍‌ବେକିସ୍ତାନ ବିପକ୍ଷରେ ଖେଳିଥିବା ପୂର୍ବ ୩ ଥର ଭାରତ ମଧ୍ୟ ଗୋଟିଏ ଲେଖାଏଁ ଗୋଲ୍‌ ବ୍ୟବଧାନରେ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ଶେଷଥର ପାଇଁ ଭାରତ ୨୦୧୯ରେ ଭିଏତନାମକୁ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌‌ରେ ଭେଟିଥିଲା ବେଳେ ୧-୧ରେ ଅମୀମାଂସିତ ରଖିଥିଲା। ସେହିପରି ଜାପାନ ବିପକ୍ଷରେ ଶେଷ ଥର ପାଇଁ ମୁହାଁମୁହିଁ ହୋଇଥିଲା ୧୯୯୭ ଏସୀୟ ମହିଳା ଚାମ୍ପିଅନ୍‌ସିପ୍‌ରେ। ଏହି ମୁକାବିଲାକୁ ମଧ୍ୟ ଭାରତ ୦-୧ ଗୋଲ୍‌ରେ ହାରିଯାଇଥିଲା।

ଏଏଫ୍‌ସି ମହିଳା ଅଲିମ୍ପିକ୍‌ କ୍ବାଲିଫାୟର ରାଉଣ୍ଡ-୨ରେ ତିନିଟିଯାକ ଗ୍ରୁପ୍‌ର ବିଜେତା‌ ଏବଂ ‌ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ରନର୍ସ ଅପ୍‌ ଦଳ ରାଉଣ୍ଡ-୩କୁ ଉନ୍ନୀତ ହେବେ। ଆସନ୍ତାବର୍ଷ ଫେବ୍ରୁଆରି ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ପର୍ଯ୍ୟାୟରେ ଦଳଗୁଡ଼ିକ ଦୁଇଟି ଲେଖାଏଁ ଘରୋଇ ଓ ବାହାର ମ୍ୟାଚ୍‌ ଖେଳିବେ। ଶେଷରେ ବିଜେତା ଦଳଗୁଡ଼ିକ ୨୦୨୪ ଅଲିମ୍ପିକ୍ସ ପାଇଁ ମହିଳା ଫୁଟ୍‌ବଲ୍‌ରେ ଏସିଆ ପାଇଁ ଉପଲବ୍‌ଧ ଥିବା ଦୁଇଟି ସ୍ଥାନ ଦଖଲ କରିବେ।