ଆଇପିଏଲ୍‌କୁ ଆଫ୍ରିଦିଙ୍କ ଶ୍ରେୟ

ନୂଆଦିଲ୍ଲୀ: ପାକିସ୍ତାନକୁ ସପ୍ତମ ଥର ବିଶ୍ବକପ୍‌ରେ ହରାଇଥିବା ଭାରତୀୟ ଦଳର ଏହି ବିଜୟ ପାଇଁ ଆଇପିଏଲ୍‌ ଏକ ବଡ କାରଣ ବୋଲି ପାକିସ୍ତାନୀ ଅଲରାଉଣ୍ଡର ସାହିଦ ଆଫ୍ରିଦି କହିଛନ୍ତି। ସେ କହିଛନ୍ତି, ଭାରତୀୟ ଖେଳାଳିଙ୍କ ଖେଳର ମାନ ବହୁତ ଉଚ୍ଚଧରଣର। ଏଥି ପାଇଁ ଆଇପିଏଲ୍‌କୁ ସବୁ ଶ୍ରେୟ ଯିବ। ଆଇପିଏଲ୍‌ରେ ଯୁବ ଖେଳାଳିଙ୍କୁ ବଛାଯାଇ ସେମାନଙ୍କୁ ଚାପଯୁକ୍ତ ପରିସ୍ଥିତିରେ ଖାପ୍‌ ଖୁଆଇବା କୌଶଳ ସହ ଜଡିତ କରାଯାଉଛି। ଏହି ବିଜୟ ପାଇଁ ସେ ବିସିସିଆଇକୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ଖେଳାଳିମାନେ ୪୦-୫୦ ରନ୍‌କୁ ବଡ଼ ସ୍କୋରରେ ପରିଣତ କରିପାରୁଛନ୍ତି। ଯଦ୍ବାରା ମ୍ୟାଚ୍‌ରେ ଜିତିବା ସମ୍ଭାବନା ବଢ଼ିଯାଇଥାଏ। ଖେଳାଳିମାନେ ନିଜକୁ ଶାନ୍ତ ରଖି ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ତଥାପି କ୍ଷେତ୍ରରକ୍ଷଣ ଏକ ବଡ଼ ଭୂମିକା ନିର୍ବାହ କରୁଛି। ଏହାଦ୍ବାରା ଦଳର ବିଜୟ ସୁଯୋଗ ୭୦ରୁ ୮୦ ପ୍ରତିଶତ ବଢିଯାଇଥାଏ ବୋଲି ଆଫ୍ରିଦି କହିଛନ୍ତି। ପୂର୍ବରୁ କିମ୍ବଦନ୍ତୀ ଦ୍ରୁତ ବୋଲର ଵାସିମ୍‌ ଆକ୍ରମ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବିସିସିଆଇ ଅଧିକ ଧ୍ୟାନ ଦେଉଥିବାରୁ ଭାରତୀୟ ବୋର୍ଡକୁ ସେ ପ୍ରଶ˚ସା କରିଥିଲେ।

ସମ୍ବନ୍ଧିତ ଖବର