ସାରଜା : ସାରଜାଠାରେ ଆଜି ଖେଳାଯାଇଥିବା ଟି-୨୦ ବିଶ୍ବକପ ଗ୍ରୁପ-ବିର ଏକ ମ୍ୟାଚରେ ଆଫଗାନିସ୍ତାନ ସ୍କଟଲାଣ୍ଡକୁ ୧୩୦ ରନର ଏକ ବିଶାଳ ବ୍ୟବଧାନରେ ପରାସ୍ତ କରିଛି ।
ଆଫଗାନିସ୍ତାନ ଦ୍ବାରା ଧାର୍ଯ୍ୟ ୧୯୧ ରନ ଲକ୍ଷ୍ୟର ଜବାବରେ ସ୍କଟଲାଣ୍ଡ ୧୦. ୨ ତମ ଓଭରରେ ମାତ୍ର ୬୦ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଆଫଗାନ ବୋଲିଂର ସାମନା କରିପାରିନଥିଲେ । ଆଫଗାନିସ୍ତାନ ପକ୍ଷରୁ ମୁଜିବୁର ରେହମାନ ୫ଟି ଓ ରସିଦ ଖାଁ ୪ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଆଫଗାନିସ୍ତାନ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ହାଜରାତୁଲ୍ଲା ଜଜାଇ ଓ ମହମ୍ମଦ ଶେହଜାଦ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ରନ କରି ଏକ ଦୃଢ ମୂଳଦୁଆ ପକାଇଥିଲେ । ଜଜାଇ ୪୪ ରନ କରିଥିବାବେଳେ ଶେହଜାଦ ୨୨ରନ କରିଥିଲେ । ଅନ୍ୟପକ୍ଷରେ ରେହମାନୁଲ୍ଲା ଗୁରବାଜ ୪୬ ରନ , ନଜିବୁଲ୍ଲା ଜଡରାନ ୫୯ ରନ କରିଥିଲେ । ଏହା ଫଳରେ ଦଳ ୨୦ ଓଭରରେ ୧୯୦ରନ କରିପାରିଥିଲା ।
ସ୍କଟଲାଣ୍ଡ ପକ୍ଷରୁ ସଫାନ ସରିଫ ୨ଟି, ଜୋସ ଡାଭି ଓ ମୋର୍କ ଓ୍ବାଟ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।