ମୁହାଁମୁହିଁ ହେଲେ ଆଫ୍‌ଗାନ-ପାକିସ୍ତାନ ପ୍ରଶଂସକ

ଆସିଫଙ୍କୁ ବାସନ୍ଦ କରାଯାଉ: ଗୁଲବଦିନ

ସାରଜା: ବୁଧବାରର ନାଟକୀୟ ଏସିଆ କପ୍‌ ସୁପର-୪ ମ୍ୟାଚ୍‌ରେ ପଡ଼ିଆ‌ ଭିତରେ ପାକିସ୍ତାନ ଏବଂ ଆଫଗାନିସ୍ତାନ କ୍ରିକେଟର୍‌ ଲଢ଼େଇ କରୁଥିଲା ବେଳେ ପଡ଼ିଆ ବାହାରେ ଦୁଇଦେଶର ପ୍ରଶଂସକ ମୁହାଁମୁହିଁ ହୋଇଥିଲେ। ଶେଷ ଓଭରରୁ ବିଜୟ ପାଇଁ ୧୧ ରନ୍‌ ଦରକାର ଥିଲା ବେଳେ ନସୀମ ସାହ ପ୍ରଥମ ଦୁଇ ବଲ୍‌କୁ ଲଗାତାର ଛକା ମାରି ପାକିସ୍ତାନକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ। ଏହାର ଠିକ୍ ପରେ ପରେ ହିଁ ଉଭୟ ଦେଶର କ୍ରିକେଟ୍ ପ୍ରଶଂସକ ହାତାହାତି ହୋଇଥିବାର ଖବର ଆସିଥିଲା। ସାରଜା ଷ୍ଟାଡିୟମ୍ ଗ୍ୟାଲେରିରେ ଆଫ୍‌ଗାନିସ୍ତାନ ଏବଂ ପାକିସ୍ତାନ ପ୍ରଶଂସକ ପରସ୍ପରକୁ ଆକ୍ରମଣ କରୁଥିବାର ଭିଡିଓ ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର ଟ୍ବିଟ୍ କରିଥିଲେ। ଆଫ୍‌ଗାନିସ୍ତାନ ପ୍ରଶଂସକ ହିଁ ହିଂସା କରିଥିଲେ ବୋଲି ଅଭିଯୋଗ କରିଥିଲେ ସେ। ଭିଡିଓରେ କିଛି ଦର୍ଶକ ଚେୟାର ଭାଙ୍ଗି ପରସ୍ପରକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଆଫ୍‌ଗାନିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ସଫିକ ଷ୍ଟାନିକଜା‌ଇଙ୍କୁ ଅଖତର ଟ୍ବିଟ୍ କରିଥିଲେ ଯେ ‘ଯଦି ତୁମେମାନେ କ୍ରିକେଟ୍‌ରେ ଉନ୍ନତି କରିବାକୁ ଚାହୁଛ, ତେବେ ତୁମ ପ୍ରଶଂସକ ଏବଂ ଖେଳାଳିଙ୍କୁ ଅନେକ କିଛି କଥା ଶିଖିବାକୁ ପଡ଼ିବ। ଏହି ଟ୍ବିଟ୍‌ର ଉତ୍ତର କଡ଼ା ଭାଷାରେ ଦେଇ ସଫିକ୍ ଜବାବ ଦେଇଥିଲେ ଯେ ଲୋକଙ୍କ ଭାବନାକୁ ତୁମେ ନିୟନ୍ତ୍ରଣ କରିପାରିବନାହିଁ। ଏଭଳି ଘଟଣା ବିଶ୍ବ କ୍ରିକେଟ୍‌ରେ ବହୁବାର ଘଟିଛି। ତୁମେ କବୀର ଖାନ୍, ଇଞ୍ଜାମାମ ଭାଇ ଏବଂ ରସିଦ ଲତିଫଙ୍କୁ ପଚାର ଆମେ ସେମାନଙ୍କୁ କିଭଳି ବ୍ୟବହାର କରୁ। ମୁଁ ତୁମକୁ ଏକ ଛୋଟିଆ ପରାମର୍ଶ ଦେଉଛି, ଆସନ୍ତାଥର କଥାକୁ ଦେଶ ପର୍ଯ୍ୟନ୍ତ ନେବନି।

ଆସିଫଙ୍କୁ ବାସନ୍ଦ କରାଯାଉ: ଗୁଲବଦିନ
ବୋଲର ଫରିଦ ଅହମ୍ମଦଙ୍କୁ ବ୍ୟାଟ୍ ଉଠାଇ ପିଟିବାକୁ ଉଦ୍ୟମ କରିଥିବା ପାକିସ୍ତାନ ବ୍ୟାଟର୍‌ ଆସିଫ ଅଲ୍ଲୀଙ୍କୁ ବାସନ୍ଦ କରିବାକୁ ଦାବି କରିଛନ୍ତି ଆଫ୍‌ଗାନିସ୍ତାନ ଖେଳାଳି ଗୁଲବଦିନ ନୈବ। ଆସିଫଙ୍କ ଏଭଳି ବ୍ୟବହାରକୁ ତୀବ୍ର ନିନ୍ଦା କରି ନୈବ କହିଛନ୍ତି ଯେ ଆସିଫ ଅଲୀ ଯାହା କଲେ, ତାହା ଅଭଦ୍ରାମୀର ‌ଶୀର୍ଷ ସ୍ତର। ତାଙ୍କୁ ଏସିଆ କପ୍‌ର ଅବଶିଷ୍ଟ ମ୍ୟାଚ୍‌ରୁ ତୁରନ୍ତ ବାସନ୍ଦ କରାଯାଉ। ୱିକେଟ୍ ନେବା ପରେ ଉତ୍ସବ ପାଳନ କରିବାର ଅଧିକାର ସବୁ ବୋଲରଙ୍କର ଅଛି। ହେଲେ ଏଥିପାଇଁ ହିଂସା କରିବା ଆଦୌ ଗ୍ରହଣୀୟ ନୁହେଁ।

ସମ୍ବନ୍ଧିତ ଖବର