ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ ଏବେ ତାଲିବାନ ଦଖଲରେ: ଆଇସିସିର ତୀକ୍ଷ୍‌ଣ ନଜର

କାବୁଲ : କାବୁଲସ୍ଥିତ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡର ସଦର ମହକୁମାକୁ ମଧ୍ୟ ତାଲିବାନ ନିଜ ଦଖଲକୁ ନେଇଯାଇଛି। ପୂର୍ବତନ କ୍ରିକେଟର୍‌ ଅବଦୁଲା ମଜାରିଙ୍କ ସହଯୋଗରେ ଏହି ଦଖଲ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶର ଖ୍ୟାତି ସମ୍ପନ୍ନ ଅନ୍ତର୍ଜାତୀୟ କ୍ରିକେଟର୍‌ ରସିଦ୍ ଖାନ୍ ଏବଂ ମହମ୍ମଦ ନବି ପ୍ରମୁଖ ଏବେ ଚିନ୍ତିତ ହୋଇପଡ଼ିଛନ୍ତି। ଦେଶର କ୍ରିକେଟ୍‌ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ‌ହୋଇଥିବାରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନିଜର ଏହି ସଦସ୍ୟ ରାଷ୍ଟ୍ରର ସାମ୍ପ୍ରତିକ ପରିସ୍ଥିତି ଉପ‌ରେ ତୀକ୍ଷ୍‌ଣ ନଜର ରଖିଛି। ତେବେ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ (ଏସିବି)ର ମୁଖ୍ୟ ନିର୍ବାହୀ ଅଧିକାରୀ ହମିଦ୍ ସିନୱାରୀ କ୍ରିକେଟ ପ୍ରଶଂସକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ଦେଶରେ କ୍ରିକେଟ୍ ପ୍ରଭାବିତ ହେବ ନାହିଁ। ‘ତାଲିବାନ କ୍ରିକେଟକୁ ଭଲ ପାଆନ୍ତି, ଆରମ୍ଭରୁ ସେମାନେ ଆମକୁ ସମର୍ଥନ କରି ଆସିଛନ୍ତି। ଆମ କାର୍ଯ୍ୟକଳାପରେ ସେମାନେ ହସ୍ତକ୍ଷେପ କରନ୍ତି ନାହିଁ। କ୍ରିକେଟ୍ ଆଗକୁ ବଢ଼ିବାରେ ମଧ୍ୟ ସେମାନେ ସମର୍ଥନ କରିବେ ବୋଲି ଆଶା ରଖିଛୁ’ ବୋଲି ସିନୱାରୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩ ତାରିଖରୁ ଶ୍ରୀଲଙ୍କାରେ ଆଫଗାନିସ୍ତାନ-ପାକିସ୍ତାନ ସୀମିତ ଓଭର ଶୃଙ୍ଖଳା ଖେଳାଯିବାକୁ ଧାର୍ଯ୍ୟ ରହିଛି। ଏଥି ସହିତ ଆଫଗାନିସ୍ତାନର ୧୯ ବ‌ର୍ଷରୁ କମ୍‌ ଦଳ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବାର ରହିଛି। ଆମେ ନିୟମିତ ଏସିବି ଅଫିସ୍ ଯାଉଛୁ, ଖେଳାଳିଙ୍କ ପାଇଁ କେବଳ କାବୁଲ ବିମାନବନ୍ଦର ଭିଡ଼ ପ୍ରତିବଂଧକ ହୋଇପାରେ ବୋଲି ସିନୱାରୀ ଆଶଙ୍କା କରିଛନ୍ତି।

ସମ୍ବନ୍ଧିତ ଖବର