ନୂଆଦିଲ୍ଲୀ: ଆହତ ଓ୍ଵିକେଟ୍‌ରକ୍ଷକ ରିଦ୍ଧିମାନ ଶାହା ବେଙ୍ଗାଲୁରୁରେ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଫ୍‌ଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ଦଳରୁ ବାଦ୍‌ ପଡ଼ିଛନ୍ତି। ଆଇପିଏଲ୍‌ ଏକାଦଶ ସଂସ୍କରଣରେ ଖେଳୁଥିଲା ବେଳେ ରିଦ୍ଧିମାନ ଆହତ ହୋଇଥିଲେ। ତାଙ୍କ ବୁଢ଼ା ଆଙ୍ଗୁଠିରେ ଚୋଟ ଲାଗିଥିଲା। କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷ ମେ ୨୫ ତାରିଖ ଆଇପିଏଲ୍‌ କ୍ୱାଲିଫାର ମ୍ୟାଚ୍‌ରେ ଶିବମ୍‌ ମାଭିଙ୍କ ବାଉଁସର ବଲ୍‌ରେ ରିଦ୍ଧିମାନ ଆହତ ହୋଇଥିଲେ। ଯାହାଫଳରେ ସେସନ୍‌ ରାଇଜର୍ସ ହାଇଦ୍ରାବାଦ ପାଇଁ ୬ ମ୍ୟାଚ୍‌ ଖେଳିପାରିନଥିଲେ। ତାଙ୍କୁ ସୁସ୍ଥ ହେବା ପାଇଁ ଏବେ ୫ରୁ ୬ ସପ୍ତାହ ଲାଗିଯିବ ବୋଲି ଆକଳନ କରାଯାଇଛି। ତେଣୁ ରିଦ୍ଧିମାନ ଆଫ୍‌ଗାନିସ୍ତାନ ବିପକ୍ଷ ଐତିହାସିକ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ତାଙ୍କ ସ୍ଥାନରେ ଆଫ୍‌ଗାନିସ୍ତାନ ଟେଷ୍ଟ ପାଇଁ ଦୀନେଶ କାର୍ତିକଙ୍କୁ ଦଳରେ ସାମିଲ କରାଯାଇଛି।

Advertisment

ରିଦ୍ଧିମାନଙ୍କ ବଦଳ ଖେଳାଳି ଭାବେ କାର୍ତିକଙ୍କ ସହିତ ପାର୍ଥିବ ପଟେଲ ଦୌଡ଼ରେ ଥିଲେ। ହେଲେ କାର୍ତିକଙ୍କୁ ସବୁଠୁ ପସନ୍ଦର ଖେଳାଳି ଭାବେ ଚୟନକର୍ତା ବାଛିଛନ୍ତି। ଏହା ପୂର୍ବରୁ ମଧ୍ୟ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ରିଦ୍ଧିମାନ ଆହତ ଯୋଗୁଁ ବାଦ୍‌ ପଡ଼ିଥିଲେ ଏବଂ ଉଭୟ କାର୍ତିକ ଓ ପାର୍ଥିବ ଦଳରେ ସ୍ଥାନ ପାଇଥିଲେ। ସେହି ଗସ୍ତରେ ପାର୍ଥିବ ଦୁଇଟି ଟେଷ୍ଟ ଖେଳି ୪ ପାଳିରୁ ମାତ୍ର ୫୬ ରନ୍‌ କରିଥିଲେ। ସେଥିପାଇଁ ତାଙ୍କୁ ଏଥର କାର୍ତିକଙ୍କ ପଛକୁ ରହିବାକୁ ପଡ଼ିଲା। ଫଳରେ କାର୍ତିକ ୨୦୧୦ ପରେ ନିଜର ପ୍ରଥମ ଟେଷ୍ଟ ଖେଳିବାର ସୁଯୋଗ ପାଇଛନ୍ତି। ଏପରିକି ୨୦୦୪ରେ ପଦାର୍ପଣ କରିଥିବା କାର୍ତିକ ମଧ୍ୟ ମୋଟ ୨୪ତମ ଟେଷ୍ଟ ଖେଳିବାକୁ ଯାଉଛନ୍ତି। ନିକଟରେ ସେ କୋଲ୍‌କାତା ନାଇଟ୍‌ ରାଇଡର୍ସର ନେତୃତ୍ୱ ନେଇ ଆଇପିଏଲ୍‌ରେ ୧୬ ପାଳିରୁ ୪୯୮ ରନ୍‌ କରି ଚମତ୍କାର ଫର୍ମ ଜରିଆରେ ଚୟନକର୍ତାଙ୍କୁ ପ୍ରଭାବିତ କରିଥିଲେ। ତେବେ ଅଗଷ୍ଟ ୧ ତାରିଖରୁ ଭାରତର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଏଜ୍‌ବାଷ୍ଟନରେ ଆରମ୍ଭ ହେବାକୁ ଥିବାରୁ ରିଦ୍ଧିମାନଙ୍କୁ ପୂରା ବିଶ୍ରାମ ଦିଆଯାଇ ସୁସ୍ଥ ହେବାକୁ ପରାମର୍ଶ ଦିଆଯାଇଛି।