ଶ୍ରୀଲଙ୍କାକୁ ବିଦାକଲା ଆଫଗାନିସ୍ତାନ

ଦୁବାଇ: ଆଫଗାନିସ୍ତାନ ସୋମବାର ୫ ଥର ବିଜେତା ଶ୍ରୀଲଙ୍କାକୁ ୯୧ ରନ୍‌ରେ ହରାଇ ଦେଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ବାଂଲାଦେଶଠୁ ହାରିଥିବା ଶ୍ରୀଲଙ୍କା ଏଥି ସହିତ ଏସିଆ କପ୍‌ରୁ ବାଦ୍‌ ପଡ଼ିଛି। ଏହି ଫଳାଫଳ ମଧ୍ୟ ଗ୍ରୁପ୍‌ ‘ବି’ର ଶେଷ ରାଉଣ୍ଡ୍‌ ପୂର୍ବରୁ ଆଫଗାନିସ୍ତାନ ଓ ବାଂଲାଦେଶକୁ ସୁପର୍‌ ଫୋର୍‌ ପ୍ରବେଶର ସୁଯୋଗ ଦେଇଛି। ସୋମବାର ଶ୍ରୀଲଙ୍କା ସମ୍ମୁଖରେ ୨୫୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଆଞ୍ଜେଲୋ ମାଥ୍ୟୁସଙ୍କ ଦଳ କିନ୍ତୁ ଅତି ଦୟନୀୟ ତଥା ଦାୟିତ୍ୱହୀନ ବ୍ୟାଟିଂ କରି ୧୫୮ ରନରେ ସମସ୍ତ ଓ୍ଵିକେଟ୍‌ ହରାଇ ଦେଇଥିଲା।
ଶ୍ରୀଲଙ୍କା ପାଳିର ଦ୍ୱିତୀୟ ବଲ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କୁଶାଲ ମେଣ୍ଡିସ (୦)ଙ୍କୁ ହରାଇବା ପରେ ଉପୁଲ ଥରଙ୍ଗା (୩୬) ଏବଂ ଧନଞ୍ଜୟ ଡି’ ସିଲଭା (୨୩) ୫୪ ରନ୍‌ ଭାଗୀଦାରି କରିଥିଲେ। ଏହା ପରେ ଆଫଗାନିସ୍ତାନି ସ୍ପିନ୍‌ରମାନେ ଶ୍ରୀଲଙ୍କାକୁ ପ୍ରତ୍ୟାବର୍ତନ ସୁଯୋଗ ନ ଦେଇ ସହଜ ବିଜୟ ହାସଲ କରିନେଇଥିଲେ। ମୁଜିବ୍‌ ଉର୍‌ ରହମାନ, ରସିଦ୍‌ ଖାନ୍‌, ମହମ୍ମଦ ନବି ଏବଂ ଗୁଲବଦିନ୍‌ ନାଏବ ପ୍ରତ୍ୟେକ ୨ ଓ୍ଵିକେଟ୍‌ ଲେଖାଏଁ ଓ୍ଵିକେଟ୍‌ ନେଇଥିବାବେଳେ ଅବଶିଷ୍ଟ ୨ ଜଣ ରନ୍‌ ଆଉଟ୍‌ ହୋଇଥିଲେ।
ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ପାଇଁ ଦୁଇ ପ୍ରାରମ୍ଭିକ ଯୋଡ଼ି ମହମ୍ମଦ ସେହଜାଦ (୩୪) ଓ ଇସାନୁଲ୍ଲା ଜନତ (୪୫) ଭଲ ଦୃଢ଼ ମୂଳଦୁଆ ପକାଇଥିଲେ। ହେଲେ ରହମତ ସାହା (୭୨)ଙ୍କ ଅର୍ଧଶତକ ବଳରେ ହିଁ ଏହି ଦଳ ୨୪୯ ରନର ସମ୍ମାନଜନକ ସ୍କୋର କରି ପାରିଥିଲା। ତୃତୀୟ ସ୍ଥାନରେ ବ୍ୟାଟିଂ କରି ରହମତ ୬୩ ବଲ୍‌ରୁ ୩ ଚୌକା ସହାୟତାରେ ଖେଳ ଜୀବନର ପ୍ରଥମ ଅର୍ଧଶତକ ହାସଲ କରିଥିଲେ। ଏହା ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହସମ୍ମତୁଲ୍ଲା ସାହିଦି ୩୭ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ଶୀଷକ୍ରମ ଭଲ ଖେଳିଥିଲେ ମଧ୍ୟ ନିମ୍ନକ୍ରମ ବିଫଳତା ପାଇଁ ଆଫଗାନିସ୍ତାନ ୩୦୦ ରନର ନିକଟତର ହୋଇ ପାରି ନଥିଲା। ଶ୍ରୀଲଙ୍କାର ସଫଳତମ ବୋଲର ଭାବେ ଥିସାରା ପେରେରା ଚତୁର୍ଥ ଥର ପାଇଁ ପାଞ୍ଚ ଓ୍ଵିକେଟ୍‌ ସଫଳତା ଲାଭ କରିଥିଲେ।
ସଂକ୍ଷିପ୍ତ ସ୍କୋର: ଆଫଗାନିସ୍ତାନ ୫୦ ଓଭରରେ ୨୪୯ (ରହମତ ସାହା ୭୨, ଇସାନୁଲ୍ଲା ୪୫, ହସମ୍ମତୁଲ୍ଲା ସାହିଦି ୩୭, ମହମ୍ମଦ ସେହଜାଦ ୩୪, ତିସରା ପେରେରା ୫/୫୫, ଅକିଳ ଧନଞ୍ଜୟ ୨/୩୯)। ଶ୍ରୀଲଙ୍କା ୪୧.୨ ଓଭରରେ ୧୫୮ (ଉପୁଲ ଥରଙ୍ଗା-୩୬, ତିସରା ପେରେରା-୨୮, ଧନଞ୍ଜୟ ଡି’ସିଲ୍‌ଭା-୨୩, ଆଞ୍ଜେଲୋ ମାଥ୍ୟୁସ୍‌-୨୨, ରସିଦ୍‌ ଖାନ୍‌-୨/୨୬, ଗୁଲବାଦିନ୍‌ ନାଏବ-୨/୨୯, ମହମ୍ମଦ ନବି-୨/୩୦, ମୁଜିବ୍‌ ଉର୍‌ ରହମାନ୍‌-୨/୩୨)।

ସମ୍ବନ୍ଧିତ ଖବର