ଚେନ୍ନାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆଫ୍ଗାନିସ୍ତାନ ବିଜୟ ସହ ଅଭିଯାନ ଶେଷ କରିଛି। ସୁପର-୮ରୁ ବାଦ୍ ପଡ଼ିଥିବା ଆଫ୍ଗାନିସ୍ତାନ ଗୁରୁବାର ନିଜର ଶେଷ ଗ୍ରୁପ୍ ମ୍ୟାଚ୍ରେ କାନାଡ଼ାକୁ ୮୨ ରନ୍ରେ ପରାସ୍ତ କରିଛି। ସ୍ଥାନୀୟ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଟସ୍ ହାରି ବ୍ୟାଟିଂ କରିଥିବା ଆଫ୍ଗାନିସ୍ତାନ ଭଲ ଆରମ୍ଭ କରିଥିଲା। ହେଲେ ରହମାନୁଲ୍ଲା ଗୁରବାଜ (୩୦) ଓ ଗୁଲବଦିନ ନୈବ (୧)ଙ୍କୁ ଯଶକରନ ସିଂହ ୪ ବଲ୍ ବ୍ୟବଧାନରେ ପ୍ୟାଭିଲିୟନ୍ ପଠାଇ ଦେଇଥିଲେ।
ତୃତୀୟ ୱିକେଟ୍ରେ ଇବ୍ରାହିମ ଜଦ୍ରାନ ଓ ସେଦିକୁଲ୍ଲା ଅଟଳ ୯୫ ରନ୍ର ଭାଗୀଦାର ଗଢ଼ି ପାଳି ସମ୍ଭାଳି ନେଇଥିଲେ। ୧୬ତମ ଓଭରରେ ଅଟଳ (୪୪, ୩୨ ବଲ୍) ଅର୍ଦ୍ଧଶତକ ଅର୍ଜନ କରିବା ପୂର୍ବରୁ ଆଉଟ୍ ହୋଇଥିଲା ବେଳେ ଜଦ୍ରାନ ଅପରାଜିତ ରହି ୭ ଚୌକା ଓ ୫ ଛକା ସହାୟତାରେ ୫୬ ବଲ୍ରୁ ୯୫* ରନ୍ କରି ଦଳୀୟ ସ୍କୋର୍ ୨୦୦/୪ରେ ପହଞ୍ଚାଇଥିଲେ। ଜବାବରେ ଆଫ୍ଗାନିସ୍ତାନ ବୋଲିଂକୁ ସାମ୍ନା କରି ନପାରି କାନାଡ଼ା ୧୧୮/୮ରେ ଅଟକି ଯାଇଥିଲା। ହର୍ଷ ଠକ୍କର (୩୦ ରନ୍) ଓ ସାଦ୍ ବିନ୍ ଜାଫର (୨୮ ରନ୍) ଭଲ ଖେଳିବାରୁ ଦଳ ୧୦୦ ରନ୍ ପାର୍ କରିବାକୁ ସକ୍ଷମ ହୋଇଥିଲା। ଆଫ୍ଗାନିସ୍ତାନର ମହମ୍ମଦ ନବି ୪-୦-୭-୪ ବୋଲିଂ ସଫଳତା ପାଇଥିଲା ବେଳେ ରସିଦ ଖାନ ୨ ୱିକେଟ୍ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/19/19bbs_162_19022026_112-2026-02-19-22-44-42.jpg)