କୁଆଲାଲୁମ୍ପୁର: ଏସିଆ କ୍ରିକେଟ୍‌ ଏଥର ନୂଆ କନିଷ୍ଠ ବିଜେତା ପାଇଛି। ପୂର୍ବ ତିନିଟି ସଂସ୍କରଣରେ ସେମିଫାଇନାଲ୍‌ରୁ ବିଦାୟ ନେଇଥିବା ଆଫ୍‌ଗାନିସ୍ତାନ ପ୍ରଥମଥର ଫାଇନାଲ୍‌ରେ ପହଞ୍ଚିବା ସାଙ୍ଗକୁ ଟ୍ରଫି ଉପରେ କବ୍‌ଜା କରିନେଇଛି। ଏଥି ସହିତ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଶକ୍ତିଶାଳୀ ଦଳକୁ ପଛରେ ପକାଇ ଆଫ୍‌ଗାନିସ୍ତାନ ନୂଆ ବିଜେତା ହେବାରେ ଇତିହାସ ରଚିଛି। ରବିବାର ଏଠାରେ ଖେଳାଯାଇଥିବା ୧୯ ବର୍ଷରୁ କମ୍‌ ଫାଇନାଲ୍‌ରେ ନବିଦ୍‌ ଓବିଦ୍‌ଙ୍କ ନେତୃତ୍ୱାଧୀନ ଆଫ୍‌ଗାନିସ୍ତାନ ଦଳ ୧୮୫ ରନ୍‌ର ବଡ଼ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରି ପ୍ରଥମ ଥର ପାଇଁ ଏସିଆ କପ୍‌ ଜିତି ନେଇଛି। ଇକ୍ରମ୍‌ ପୈଜିଙ୍କ ଅପରାଜିତ ଶତକ ପରେ ଅଫ୍‌ ସ୍ପିନର ମୁଜିବ୍‌ ଜଦ୍ରାନ୍‌ଙ୍କ ୫ ଓ୍ଵିକେଟ୍‌ ସଫଳତା ହିଁ ଆଫ୍‌ଗାନିସ୍ତାନକୁ ବିଜେତା ହେବାରେ ମୁଖ୍ୟ ଭୂମିକା ନେଇଥିଲା।

Advertisment

ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆଫ୍‌ଗାନିସ୍ତାନ ଇକ୍ରାମଖ ପୈଜିଙ୍କ ଅପରାଜିତ ୧୦୭ ସାଙ୍ଗକୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରହମନ୍‌ ଗୁଲ୍‌ (୪୦) ଓ ଇବ୍ରାହିମ୍‌ ଜଦ୍ରାନ୍‌ (୩୬)ଙ୍କ ଉପଯୋଗୀ ପାଳି ବଳରେ ନିର୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ବିନିମୟରେ ୨୪୮ ରନ୍‌ କରିଥିଲା। ପାକିସ୍ତାନର ସଫଳ ବୋଲର ଭାବେ ମହମ୍ମଦ ମୁସା ୩ ଓ ସାହିନ୍‌ ଶାହା ଆଫ୍ରିଦି ୨ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ମୁଜିବ୍‌ (୭.୨୧-୨-୧୩-୫) ଓ କ୍ୱାଇସ୍‌ ଅହମ୍ମଦ (୬-୧-୧୮-୩)ଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ପାକିସ୍ତାନ ଦଳ ମାତ୍ର ୨୨.୧ ଓଭରରେ ୬୩ ରନ୍‌ର ମାମୁଲି ସ୍କୋର୍‌ କରି ସମସ୍ତ ଖେଳାଳିଙ୍କୁ ହରାଇଥିଲା। କେବଳ ମହମ୍ମଦ ତହା (୧୯) ଓ ଅଧିନାୟକ ହାସନ୍‌ ଖାନ୍‌ (୧୦) ହିଁ ଦୁଇ ଅଙ୍କ ଛୁଇଁଥିଲା ବେଳେ ତିନି ଜଣ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬ ଓ ସେମିଫାଇନାଲ୍‌ରେ ନେପାଳ ବିପକ୍ଷରେ ମଧ୍ୟ ୬ ଓ୍ଵିକେଟ୍‌ ନେଇଥିବା ମୁଜିବ୍‌ ଫାଇନାଲ୍‌ରେ ପାକିସ୍ତାନ ବିପକ୍ଷରେ ୫ ଓ୍ଵିକେଟ୍‌ ନେଇ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ଶତକ ହାସଲକାରୀ ଇକ୍ରାମ୍‌ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।