ଭାରତ ନଜରରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌

ଦୁବାଇ/ସାରଜା: ରବିବାର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍‌-୨ରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ଅପରାହ୍ଣରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ୍‌ ଏବଂ ରାତିରେ ପାକିସ୍ତାନ-ସ୍କଟ୍‌ଲାଣ୍ଡ୍‌ ମୁକାବିଲା ରହିଛି। ଭାରତୀୟ ଦଳ ସହିତ ଏହାର ପ୍ରଶଂସକମାନେ କିନ୍ତୁ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ୍ ମ୍ୟାଚ୍‌ ଉପରେ ସମ୍ପୂର୍ଣ୍ଣ ନଜର ରଖିବେ। କାରଣ ଏହି ମ୍ୟାଚ୍‌ର ଫଳାଫଳ ଉପରେ ଭାରତର ଭାଗ୍ୟ ନିର୍ଣ୍ଣୟ କରିବ। ନ୍ୟୁଜିଲାଣ୍ଡ୍ ଜିତିଲେ ସିଧାସଳଖ ଯୋଗ୍ୟତା ଅର୍ଜନ କରି ସେମିଫାଇନାଲ୍ ପହଞ୍ଚିଯିବ। କିନ୍ତୁ ଆଫଗାନିସ୍ତାନ ଜିତିଲେ ନିଜ ସୁଯୋଗ ସହିତ ଭାରତ ସମ୍ଭାବନାକୁ ବି କାଏମ ରଖିବ। ଏଭଳି କ୍ଷେତ୍ରରେ ସୋମବାର ଖେଳାଯିବାକୁ ଥିବା ଭାରତ-ନାମିବ୍ୟା ମ୍ୟାଚ୍‌ର ଫଳାଫଳକୁ ଉଭୟ ଭାରତ ଓ ଆଫଗାନିସ୍ତାନ ଅପେକ୍ଷା କରିବେ। ରବିବାର ଆଫଗାନିସ୍ତାନ ଜିତିଥିଲେ ଭାରତକୁ ମଧ୍ୟ ଉନ୍ନତ ନେଟ୍ ରନ୍‌ ରେଟ୍‌ (ଏନ୍‌ଆର୍‌ଆର୍‌)ରେ ଜିତିବାକୁ ହେବ। ଭାରତ କେବଳ ଏହି ଗ୍ରୁପ୍‌ର ନୁହେଁ ଶେଷ ଲିଗ୍‌ ଖେଳିବାକୁ ଯାଉଥିବାରୁ ନିଜ ସମ୍ଭାବନା ଓ ସୁଯୋଗ ସମ୍ପର୍କରେ ସ୍ପଷ୍ଟ ଚିତ୍ର ପାଇସାରିଥିବ। ରବିବାର ଯଦି ନ୍ୟୁଜିଲାଣ୍ଡ୍ ଜିତିଯିବ ତାହାଲେ ସୋମବାରର ଭାରତ-ନାମିବ୍ୟା ମୁକାବିଲା କେବଳ ଏକ ଔପଚାରିକତା ହୋଇରହିଯିବ।

ସବୁ ଦୃଷ୍ଟିରୁ ଦେଖିଲେ ରବିବାରର ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍ ଏକ ପ୍ରକାର କ୍ବାର୍ଟରଫାଇନାଲ୍ ଭଳି। ଭାରତର ଦୁଇ ବୃହତ ବିଜୟ ପରେ ଏନ୍ଆର୍‌ଆରକୁ ନେଇ ନ୍ୟୁଜିଲାଣ୍ଡ୍ ବିଶେଷ ବିବ୍ରତ ନୁହେଁ। ଏହାକୁ ଅନ୍ୟ ସାଧାରଣ ମ୍ୟାଚ୍‌ ଭଳି ଦେଖୁଛୁ, ନିଜ ଯୋଜନାକୁ ଠିକଣା ପଥରେ ରଖିଛୁ ବୋଲି କହିଛନ୍ତି ଦଳର ତାରକା ଖେଳାଳି ଜେମ୍ସ ନିସାମ। ବାହାରେ କ’ଣ ଘଟୁଛି ଆମେ ଚିନ୍ତା କରୁନାହୁଁ, ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଏଭଳି ନିଷ୍ପତ୍ତିରେ ଖେଳି ଆସିଛୁ ବୋଲି ସେ କହିଥିଲେ। ପ୍ରତିଟି ମ୍ୟାଚ୍‌ ଉପରେ ଏକାଗ୍ର ରହିଥିଲୁ, ମାନ୍ୟତା ଦୃଷ୍ଟିରୁ ଢେର ତଳେ ଥିଲେ ବି ନାମିବ୍ୟା ଓ ସ୍କଟ୍‌ଲାଣ୍ଡ୍ ଭଳି ଦଳକୁ ସମ୍ମାନ ଦେଇ ଖେଳିଛୁ ବୋଲି ‌ନିସାମ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ସାରଜାରେ ରାତିରେ ଖେଳାଯିବାକୁ ଥିବା ପାକିସ୍ତାନ-ସ୍କଟ୍‌ଲାଣ୍ଡ୍ ମୁକାବିଲା ଗୁରୁତ୍ବହୀନ ‌ହୋଇପଡ଼ିଛି। ପାକିସ୍ତାନ ଏହି ମ୍ୟାଚ୍‌ ଜିତି ଅପରାଜେୟ ପ୍ରଦର୍ଶନ ସହ ସେମିଫାଇନାଲ୍ ଯିବାକୁ ଲକ୍ଷ୍ୟ ରଖିଛି। ସ୍କଟଲାଣ୍ଡ୍ କିନ୍ତୁ ସାନ୍ତ୍ବନାମୂଳକ ବିଜୟ ଆଶାରେ ରହିବ। ପାକିସ୍ତାନ ସେମିଫାଇନାଲ୍ ସୁଯୋଗ ହାତେଇ ସାରିଥିବାରୁ ଏହ‌ି ମ୍ୟାଚ୍‌ରେ ପରୀକ୍ଷା ନିରୀକ୍ଷା କଲେ ସ୍କଟ୍‌ଲାଣ୍ଡ୍‌ ଏହାର ଫାଇଦା ଉଠାଇପାରେ। ୨୦୧୬ ବିଶ୍ବକପ୍‌ ପରଠାରୁ ୟୁଏଇରେ ଆଫଗାନିସ୍ତାନ ୯ ମ୍ୟାଚ୍‌ରେ ଆଗ ବ୍ୟାଟିଂ କରି ୮ଟି ଜିତିଥିବାରୁ ଏଭଳି ସୁଯୋଗ ଅପେକ୍ଷାରେ ରହିପାରୋ।

ନ୍ୟୁଜିଲାଣ୍ଡ୍ ସମ୍ଭାବ୍ୟ ଏକାଦଶ: ମାର୍ଟିନ ଗପ୍ଟିଲ୍‌, ଡାରିଲ ମିଚେଲ୍‌, କେନ୍‌ ୱିଲିୟମସନ୍ (ଅଧିନାୟକ), ଡେଭନ୍ କନୱେ (ୱିକେଟରକ୍ଷକ), ଗ୍ଲେନ୍ ଫିଲିପ୍ସ, ଜେମ୍ସ ନିସାମ, ମ‌ିଚେଲ୍ ସାଣ୍ଟନର୍‌, ଆଦାମ ମିଲ୍‌ନେ, ଟିମ ସାଉଦି, ଈଶ ସୋଢ଼ି, ଟ୍ରେଣ୍ଟ୍ ବୋଲ୍ଟ।

ଆଫଗାନିସ୍ତାନ ସମ୍ଭାବ୍ୟ ଏକାଦଶ: ହଜ୍‌ରତୁଲ୍ଲା ଜଜାଇ, ମହମ୍ମଦ ସେହଜାଦ (ୱିକେଟରକ୍ଷକ), ରହମାନୁଲ୍ଲା ଗୁରବାଜ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ନବି (ଅଧିନାୟକ), କରିମ୍ ଜନ୍ନତ, ଗୁଲବଦିନ୍‌ ନାଏବ, ସରାଫୁଦ୍ଦିନ୍‌ ଅସ୍ରଫ୍‌, ରସିଦ୍ ଖାନ୍‌, ନବୀନ୍ ଉଲ୍ ହକ୍‌/ମୁଜୀବ ଉର୍ ରହମାନ, ହମିଦ୍ ହାସନ୍।

ସମ୍ବନ୍ଧିତ ଖବର