ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଚଳିତ ଦିନିକିଆ ବିଶ୍ବକପ୍ରେ ବୁଧବାର ଆଫ୍ଗାନିସ୍ତାନକୁ ନୂଆଦିଲ୍ଲୀରେ ଭେଟିବ। ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୨୦୦ ଭିତରେ ସୀମିତ ରଖିଥିଲା। ହେଲେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ହେବାରୁ ଦଳ ଏହି ଲୋ ସ୍କୋରିଂ ମ୍ୟାଚ୍ରେ ସଂଘର୍ଷ କରି ଜିତିଥିଲା। ବିରାଟ କୋହଲି ଓ କେଏଲ୍ ରାହୁଲ ଚତୁର୍ଥ ୱିକେଟ୍ରେ ଶତକୀୟ (୧୬୫) ଭାଗୀଦାରି ଗଢ଼ି ଏହି ବିଜୟ ଦେଇଥିଲେ। ଭାରତ ୯ଟି ବିଭିନ୍ନ ସ୍ଥାନରେ ମ୍ୟାଚ୍ ଖେଳିବ। ଚେନ୍ନାଇସ୍ଥିତ ଚେପକ୍ର ସ୍ପିନ୍ ଟ୍ରାକ୍ ପରେ ଦଳ ଅଧିକ ରନ୍ ଆଶା ଥିବା ଦିଲ୍ଲୀର ଫିରୋଜ ଶାହ କୋଟଲ୍ରେ ଓହ୍ଲାଇବାକୁ ଯାଉଛି। ଦିଲ୍ଲୀରେ ଖେଳାଯାଇଥିବା ଗତ ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା ମ୍ୟାଚ୍ରେ ୭୦୦ରୁ ଊର୍ଦ୍ଧ୍ବ ରନ୍ ଦେଖିବାକୁ ମିଳିଥିଲା। ତେଣୁ ବୁଧବାର ବଡ଼ ସ୍କୋର୍ ହେବାର ଆଶା ରହିଛି। ପ୍ରଥମ ମ୍ୟାଚ୍ର ପ୍ରଦର୍ଶନ ପରେ ଅଲଗା ଅଲଗା ପରିବେଶରେ ଖେଳିବା ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଆହ୍ବନାଭରା ରହିଛି। ଡେଙ୍ଗୁରେ ପୀଡ଼ିତ ଶୁବମନ ଗିଲ୍ ମଧ୍ୟ ଦିଲ୍ଲୀରେ ଖେଳିବେନି। ପୂର୍ବ ମ୍ୟାଚ୍ ପରି ରୋହିତ ଓ ଈଶାନ କିଶନ ଓପନିଂ ଦାୟିତ୍ବରେ ରହିବେ। ଅଷ୍ଟ୍ରେଲିଆ ବିପକ୍ଷରେ ଭୁଲ୍ ସଟ୍ ଚୟନ କରି ଈଶାନ ଓ ଶ୍ରେୟସ ଆୟର ୱିକେଟ୍ ଫିଙ୍ଗିଥିବାରୁ ସମାଲୋଚନର ଶିକାର ହୋଇଛନ୍ତି। ତେଣୁ ବୁଧବାର ଏମାନେ ଭଲ କରିବାକୁ ଚେଷ୍ଟା କରିବେ। ଗତ ମ୍ୟାଚ୍ ଭଳି ବ୍ୟାଟିଂ ବିଭାଗରେ କୌଣସି ଅଦଳ ବଦଳ ନ କରି ପଡ଼ିଆକୁ ଓହ୍ଲାଇବ। ହେଲେ ବୋଲିଂରେ କିଛିଟା ପରିବର୍ତ୍ତନ କରିବ। ୩ ଜଣ ସ୍ପିନରଙ୍କ ବଦଳରେ ଦଳ ଆର୍ ଅଶ୍ବିନଙ୍କ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଖେଳାଇବା ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଆଫ୍ଗାନିସ୍ତାନ ନିଜର ପ୍ରଥମ ମ୍ୟାଚ୍ରେ ବାଂଲାଦେଶଠୁ ହାରି ଯାଇଥିଲା। ଦିଲ୍ଲୀ ନିକଟସ୍ଥ ଲଜପତ ନଗରରେ ଅନେକ ଅଫ୍ଗାନୀ ରହୁଥିବରୁ ଦଳକୁ ପ୍ରଶଂସକଙ୍କ ସମର୍ଥନ ମିଳିବାର ସମ୍ଭାବନା ରହିଛି। ବାଂଲାଦେଶ ବିପକ୍ଷରେ ଦଳର ବ୍ୟାଟର୍ମାନେ ବିଫଳ ହେବାରୁ ମାତ୍ର ୧୫୬ ରନ୍ କରିଥିଲା। ହେଲେ ଓପନର୍ ରହମନୁଲ୍ଲା ଗୁରବାଜ ନିଜର ଫର୍ମ ବଜାୟ ରଖି କିଛିଟା ଲଢ଼ିଥିଲେ। ଦଳର ବୋଲିଂ ବିଭାଗ ସ୍ପିନର ମୁଜୀବ ଜର୍ଦାନ ଓ ରସିଦ ଖାନ୍ଙ୍କୁ ନେଇ ଦୃଢ଼ ରହଛି। ହେଲେ ଟ୍ବେଣ୍ଟି-୨୦ରେ ଚମତ୍କାରିତା ଦେଉଥିବା ରସିଦ କିନ୍ତୁ ଦିନିକିଆରେ ସେଭଳି ସଫଳତା ପାଇନାହାନ୍ତି। ଗତ ମ୍ୟାଚ୍ରେ ୯ ଓଭରରେ ୪୮ ବ୍ୟୟ କରି ୱିକେଟ୍ ଶୂନ୍ୟ ରହିଥିଲେ। ବୁଧବାର ଉଭୟ ବ୍ୟାଟିଂ ଓ ବୋଲିଂକୁ ଦୃଢ଼ କରି ଭାରତ ବିପକ୍ଷରେ ଗୁରୁତ୍ବପୂର୍ଣ୍ଣ ବିଜୟ ହାସଲ ଲାଗି ଚେଷ୍ଟା କରିବ।
ଭାରତୀୟ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱିକେଟ୍ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଆର୍ ଅଶ୍ବିନ/ମହମ୍ମଦ ସାମି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।
ଆଫ୍ଗାନିସ୍ତାନ ସମ୍ଭାବ୍ୟ ଏକାଦଶ: ହାସମତୁଲା ସାହିଦି (ଅଧିନାୟକ), ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ନବି, ଅଜମତୁଲ୍ଲା ଓମାରଜାଇ, ରସିଦ ଖାନ, ମୁଜୀବ୍ ଉର ରହମାନ, ନବୀନ ଉଲ୍ ହକ, ଫଜଲହକ ଫାରୁକି।