ସାରଜା : ବାଂଲାଦେଶକୁ ୭ ୱିକେଟ୍ରେ ହରାଇ ଆଫଗାନିସ୍ତାନ ଏସିଆ କପ୍ ଗ୍ରୁପ୍ ‘ବି’ ବିଜେତା ଭାବେ ସୁପର୍ ଫୋର୍କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନ ୫ ଥର ବିଜେତା ଶ୍ରୀଲଙ୍କାକୁ ୮ ୱିକେଟ୍ରେ ପରାସ୍ତ କରିଥିଲା। ମଙ୍ଗଳବାର ଦଳର ସ୍ପିନରଙ୍କ କମାଲ ପରେ ଜଦ୍ରାନ ଯୋଡ଼ି ଇବ୍ରାହିମ୍ (୪୧ ବଲ୍ରୁ ୪୨* ରନ୍, ୪ ଚୌକା) ଏବଂ ନଜିବୁଲ୍ଲା (୧୭ ବଲ୍ରୁ ୪୩* ରନ୍, ୬ ଛକା, ୧ ଚୌକା) ଦଳକୁ ଚମତ୍କାର ବିଜୟ ପ୍ରଦାନ କରିଥିଲେ। ପଶ୍ଚାତଧାବନ ବେଳେ ଆଫଗାନିସ୍ତାନ ୧୩ ଓଭର ବେଳକୁ ୩ ୱିକେଟ୍ ହରାଇ ୬୨ ରନ୍ କରିଥିଲା। ଜଦ୍ରାନ ଯୋଡ଼ି କିନ୍ତୁ ପରବର୍ତୀ ୩୩ ବଲ୍ରୁ ୬୯* ରନ୍ ସଂଗ୍ରହ କରି ମ୍ୟାଚ୍ ଛଡ଼ାଇ ଆଣିଥିଲେ। ୯ ବଲ୍ ପୂର୍ବରୁ ଆଫଗାନିସ୍ତାନ ୩ ୱିକେଟ୍ ହରାଇ ୧୩୧ ରନ୍ ସଂଗ୍ରହ କରିନେଇଥିଲା। ୧୦୦ତମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିବା ବାଂଲା ଅଧିନାୟକ ସକିବ ଅଲ ହାସନ୍ ଚମତ୍କାର ବୋଲିଂ ଚିତ୍ର ୪-୦-୧୩-୧ ପାଇଥିଲେ।
ବାଂଲାଦେଶ ପାଳି ୧୨୭ ରନ୍ରେ ସୀମିତ ରହିଥିଲା। ଯୁଦ୍ଧ ଭୂଇଁର ଦେଶ ଆଫଗାନିସ୍ତାନର ଦୁଇ ଅଗ୍ରଣୀ ସ୍ପିନର୍ ମୁଜୀବ ଉର୍ ରହମାନ (୪-୦-୧୬-୩) ଏବଂ ରସିଦ୍ ଖାନ୍ (୪-୦-୨୨-୩) ବାଂଲାଦେଶର ସମ୍ପୂର୍ଣ୍ଣ ପାଳିକୁ ନିୟନ୍ତ୍ରଣରେ ରଖିଥିଲେ। ରସିଦ ଖାନ (୧୧୫) ଏହି ମ୍ୟାଚ୍ ଅବସରରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ୱିକେଟ୍ ଦଖଲରେ ନ୍ୟୁଜିଲାଣ୍ଡର ଟିମ ସାଉଦି (୧୧୪)ଙ୍କୁ ଅତିକ୍ରମ କରି ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ। ୨୮ ରନ୍ରେ ୪ ୱିକେଟ୍ ହରାଇଥିବା ବାଂଲାଦେଶକୁ ମହମ୍ମଦୁଲ୍ଲା (୨୭ ବଲ୍ରୁ ୨୫ ରନ୍) ଏବଂ ମୋସାଦାକ୍ ହୋସେନ୍ (୩୧ ବଲ୍ରୁ ୪୮ ରନ୍) ସମ୍ମାନଜନକ ସ୍କୋର୍ ପ୍ରଦାନ କରିଥିଲେ। ମିତ୍ତବ୍ୟୟୀ ବୋଲିଂ କରିଥିବା ମୁଜୀବ ଉର୍ ରହମାନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୨୦ ଓଭରରେ ୧୨୭/୭ (ମୋସାଦେକ ହୋସେନ୍-୪୮*, ମହମ୍ମଦୁଲ୍ଲା-୨୫, ମୁଜୀବ ଉର୍ ରହମାନ-୩/୧୬, ରସିଦ୍ ଖାନ୍-୩/୨୨)। ଆଫଗାନିସ୍ତାନ ୧୮.୩ ଓଭରରେ ୧୩୧/୩ (ନଜିବୁଲ୍ଲା ଜଦ୍ରାନ-୪୩*, ଇବ୍ରାହିମ୍ ଜର୍ଦାନ-୪୨*, ହଜ୍ରତୁଲ୍ଲା ଜଜାଇ-୨୩, ସକିବ୍ ଅଲ୍ ହାସନ୍-୧/୧୩, ମୋସାଦେକ ହାସନ୍-୧/୧୨, ମହମ୍ମଦ ସୈଫୁଦ୍ଦିନ-୧/୨୭)।