ଲାହୋର: ଇଂଲଣ୍ଡ ପାଖରେ ଥିଲା ଅଭିଜ୍ଞତା, ଶକ୍ତିଶାଳୀ ବୋଲିଂ ବାହିନୀ ଏବଂ ବିସ୍ଫୋରକ ବ୍ୟାଟିଂ କରିବାର ଦକ୍ଷତା ରଖୁଥିବା ବଳିୟାନ୍‌ ବ୍ୟାଟର୍। ହେଲେ ଆତଙ୍କବାଦ ଜର୍ଜରିତ ଆଫଗାନିସ୍ତାନର ଦୃଢ଼ ଆତ୍ମବଳ ଆଗରେ ଏସବୁ ଫିକା ପଡ଼ିଯାଇଛି। ଚଳିତ ଚାମ୍ପିଅନ୍ସ ଟ୍ରଫିର ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରି ଉତ୍ସାହୀ ଆଫଗାନିସ୍ତାନ କ୍ରିକେଟ୍ ଦଳ ବୁଧବାର ଅନ୍ୟତମ ଫେଭରିଟ୍ ଇଂଲଣ୍ଡକୁ ବିଦା କରିଛି। ଇଂଲଣ୍ଡ ହାତରେ ଆଉ ଗୋଟିଏ ମ୍ୟାଚ୍ ବାକି ଥିଲେ ମଧ୍ୟ ଆଜିର ଅପ୍ରତ୍ୟାଶିତ ପରାଜୟ ପରେ ଏହି ଦଳ ସେମିଫାଇନାଲ୍‌ ଦୌଡ଼ରୁ ବାଦ୍ ପଡ଼ିଛି। ଅନ୍ୟପକ୍ଷରେ ଇବ୍ରାହିମ୍ ଜଦ୍ରାନ୍‌ଙ୍କ ଐତିହାସିକ ଶତକ ସହାୟତାରେ ଆଫଗାନିସ୍ତାନ ନିଜ କ୍ରିକେଟ୍ ଇତିହାସର ସବୁଠାରୁ ବଡ଼ ବିଜୟ ପାଇଛି। ତା’ ସହିତ ନିଜ ସେମିଫାଇନାଲ୍ ଖେଳିବା ଆଶାକୁ ମଧ୍ୟ ଉଜ୍ଜୀବିତ ରଖିଛି। 

Advertisment

ଚାମ୍ପିଅନ୍ସ ଟ୍ରଫି ଇତିହାସର ଏହି ଅନ୍ୟତମ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଜଦ୍ରାନ୍‌ଙ୍କ ବିଶ୍ବ ରେକର୍ଡ ବ୍ୟାଟିଂ ବଳରେ ଆଫଗାନିସ୍ତାନ ୩୨୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଇଂଲଣ୍ଡ ନିଜର ପୂର୍ବତନ ଅଧିନାୟକ ଜୋ ରୁଟ୍‌ଙ୍କ ଦ୍ରୁତ ଶତକ ବଳରେ ‌‌ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା। ତେବେ ଆଫଗାନିସ୍ତାନ ବୋଲର ସାହସ ନ ହରାଇ ଅନ୍ତିମ ଓଭର ପର୍ଯ୍ୟନ୍ତ ରୋମାଞ୍ଚ ଭରି ରଖିଥିଲେ। ଶେଷରେ ଗୋଟିଏ ବଲ୍ ପୂର୍ବରୁ ଇଂଲଣ୍ଡକୁ ୩୧୭ ରନ୍‌ରେ ଅଲଆଉଟ୍ କରି ୮ ରନ୍‌ର ଜବରଦସ୍ତ ବିଜୟ ହାସଲ କରିଥିଲେ। ରୁଟ୍‌ଙ୍କ ଲଢ଼ୁଆ ଶତକ ପାଇଁ ଇଂଲଣ୍ଡ ଏକଦା ଦୃଢ଼ ସ୍ଥିତିରେ ଥିଲା। ହେଲେ ୮ ରନ୍ ଭିତରେ ଇଂଲଣ୍ଡର ‌‌ଶେଷ ୩ ୱିକେଟ୍ ଅକ୍ତିଆର କରି ଆଫଗାନିସ୍ତାନ ବିଜୟର ମିଠାମିଠା ସ୍ବାଦ ଚାଖିଥିଲା। 

ଆଫଗାନିସ୍ତାନ ଆଜି ଟସ୍ ଜିତି ବ୍ୟାଟିଂ କରିବା ପରେ ୩୭ ରନ୍‌ରେ ୩ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ତେବେ ନିଜ ଜୀବନର ସବୁଠାରୁ ସ୍ମରଣୀୟ ପାଳି ଖେଳି ଜଦ୍ରାନ ଅବିଶ୍ବସନୀୟ ବ୍ୟାଟିଂ କରି ନିଜ ଦଳର ସ୍କୋର୍‌କୁ ୩୨୫ରେ ପହଞ୍ଚାଇ ଦେଇଥିଲେ। ଅଧିନାୟକ ହମମତୁଲ୍ଲା ସାହିଦି, ଅଜ୍‌ମତୁଲ୍ଲା ଓମାରଜାଇ ଓ ମହମ୍ମଦ ନିବ ଉପଯୋଗୀ ପାଳି ଖେଳି ତାଙ୍କୁ ଏଥିରେ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ୩୨୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଇଂଲଣ୍ଡ ୩୦ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା। ତା’ ପରେ ବଢ଼ିବଢ଼ି ଚାଲିଥିବା ରନ୍ ସଂଗ୍ରହ ହାର୍‌ ଚାପରେ ଚାପି ହୋଇ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ରୁଟ୍‌ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର୍‌ ବେଶି ସମୟ କ୍ରିଜ୍‌ରେ ରହିପାରି ନଥିଲେ।

କ୍ୟାରିୟର୍‌ର ପ୍ରଥମ ୫ ୱିକେଟ୍ ସଫଳତା ପାଇଥିବା ଓମାରଜାଇ ଇଂଲଣ୍ଡର ସବୁଠୁ ବେଶି କ୍ଷତି ଘଟାଇଥିଲେ। ଅଷ୍ଟ୍ରେଲିଆଠାରୁ ହାରିଥିବା ଇଂଳଣ୍ଡ ଲଗାତାର ଦ୍ବିତୀୟ ପରାଜୟବରଣ କରିବା ଏହି ଦଳର ପ୍ରଶଂସକଙ୍କୁ ନିରାଶ କରିଥିଲା। ଅନ୍ୟପକ୍ଷରେ ଆଫଗାନିସ୍ତାନ ଉତ୍ସବମୁଖର ହୋଇଥିଲା। ଏହି ଦେଶର ରାଜଧାନୀ କାବୁଲ୍‌ ସମେତ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ପ୍ରଶଂସକ ବେଶ ‌ଧୁମ୍‌ଧାମ୍‌ରେ ଉତ୍ସବ ପାଳନ କରିବା ଦେଖିବାକୁ ମିଳିଥିଲା। ସେହିଭଳି ଜଦ୍ରାନ ତାଙ୍କ ଐତିହାସିକ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଆଫ୍‌ଗାନିସ୍ତାନ ୫୦ ଓଭରରେ ୩୨୫/୭ (ଇବ୍ରାହିମ ଜଦ୍ରାନ ୧୭୭, ଅଜ୍‌ମତୁଲ୍ଲା ଓମାରଜାଇ ୪୧, ହସମତୁଲ୍ଳା ସାହିଦି ୪୦, ମହମ୍ମଦ ନବି ୪୦, ଜୋଫ୍ରା ଆର୍ଚର ୩/୬୪, ଲିଆମ ଲିଭିଂଷ୍ଟୋନ୍‌ ୨/୨୮)। ଇଂଲଣ୍ଡ ୪୯.୫ ଓଭରରେ ୩୧୭ (ଜୋ ରୁଟ୍‌ ୧୨୦, ବେନ୍‌ ଡକେଟ ୩୮, ଜୋସ ବଟଲର ୩୮, ଜାମି ଓଭରଟନ୍‌ ୩୨, ଅଜ୍‌ମତୁଲ୍ଲା ଓମାରଜାଇ ୫/୫୮, ମହମ୍ମଦ ନବି ୨/୫୭)।