ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ: ରୋଚକ ସ୍ଥିତିରେ ଗ୍ରୁପ୍-୧, ଭାରତ ଉପରେ ସମସ୍ତଙ୍କ ନଜର

କମିନ୍ସଙ୍କ କ୍ରମାଗତ ହ୍ୟାଟ୍ରିକ୍

କିଙ୍ଗ୍‌ସଟାଉନ୍: ଆଫଗାନିସ୍ତାନ କ୍ରିକେଟ୍ ଦଳ ସଫଳତାର ଆଉ ଏକ ବିରାଟ ପାହାଚ ଚଢ଼ିଛି। କ୍ରିକେଟ୍ ପାୱାର ହାଉସ୍ ଅଷ୍ଟ୍ରେଲିଆକୁ ସ୍ତବ୍ଧ କରି ୨୧ ରନ୍‌ରେ ହରାଇ ଦେଇଛି। ତା’ସହିତ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବଡ଼ ଧରଣର ଓଲଟପାଲଟ କରିଛି। ସେହିଭଳି ରବିବାରର ସ୍ମରଣୀୟ ବିଜୟ ପରେ ନିଜ ସେମିଫାଇନାଲ୍ ପ୍ରବେଶ ଆଶାକୁ ଅତୁଟ ରଖିଥିଲା ବେଳେ ଅନ୍ୟତମ ଟ୍ରଫି ଦାବିଦାର ଅଷ୍ଟ୍ରେଲିଆକୁ ଆଶଙ୍କା ଭିତରକୁ ଠେଲି ଦେଇଛି।

ରବିବାରର ସୁପର-୮ ମୁକାବିଲାରେ ବିଶ୍ବମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଅତି ସହଜରେ ବିଶ୍ବକ୍ରିକେଟ୍‌ର ଉଦୀୟମାନ ତଥା ଅପେକ୍ଷାକୃତ କମ୍‌ ଅଭିଜ୍ଞତା ସଂପନ୍ନ ଦଳ ଆଫଗାନିସ୍ତାନକୁ ହରାଇବ ବୋଲି ଆଶା କରାଯାଉଥିଲା। ହେଲେ ଆତ୍ମବିଶ୍ବାସଭରା ଆଫଗାନିସ୍ତାନ ସବୁ ଆକଳନ ଓ ଅଙ୍କକଷାକୁ ଭୁଲ୍ ପ୍ରମାଣିତ କରି ଅଷ୍ଟ୍ରେଲିଆକୁ ପ୍ରଥମ ଥର ହରାଇବାର ଐତିହାସିକ ସଫଳତା ଲାଭ କରିଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆର ଅପରାଜେୟ ଧାରାକୁ ମଧ୍ୟ ଅନାୟାସରେ ରୋକି ଦେଇଥିଲା। ସବୁଠାରୁ ବଡ଼ କଥା ହେଲା ଅଷ୍ଟ୍ରେଲିଆର ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ତଥା ଟେଷ୍ଟ୍ ଓ ଦିନିକିଆ ଅଧିନାୟକ ପ୍ୟାଟ୍ କମିନ୍ସ ଲଗାତାର ହ୍ୟାଟ୍ରିକ୍ ନେବାର ବିରଳ ସଫଳତା ପାଇବା ମଧ୍ୟ ଆଫଗାନିସ୍ତାନକୁ ନିଜ କ୍ରିକେଟ୍ ଇତିହାସର ସବୁଠୁ ବଡ଼ ବିଜୟ ହାସଲ କରିନେଇଥିଲା। ଆଫଗାନିସ୍ତାନ ଏହି ଅସାଧାରଣ ଓ ଅବିଶ୍ବସନୀୟ ବିଜୟ ଲାଭ କରିବା ପରେ ଗ୍ରୁପ୍‌-ଏ ସ୍ଥିତି ଆହୁରି ରୋଚକ ହୋଇଯାଇଛି। ସେମିଫାଇନାଲ୍ ଦୌଡ଼ରେ ପୂର୍ବ ବିଜେତା ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଉଛି। ଏହି ଗ୍ରୁପ୍‌ରେ ଭାରତ ସେମିଫାଇନାଲ୍‌ରେ ଗୋଟିଏ ପାଦ ରଖି ସାରିଥିଲା ବେଳେ ଲଜ୍ଜାଜନକ ପରାଜୟ ପରେ ଅଷ୍ଟ୍ରେଲିଆର ସେମିଫାଇନାଲ୍ ପଥ ବଂଧୁର ହୋଇଯାଇଛି। ସୋମବାର ଯଦି ଅଷ୍ଟ୍ରେଲିଆକୁ ଭାରତ ହରାଇଦିଏ, ତାହେଲେ ଆଫଗାନିସ୍ତାନର ପ୍ରଥମ ଥର ସେମିଫାଇନାଲ୍ ଖେଳିବା ସମ୍ଭାବନା ବଢ଼ିଯିବ।

ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ସ ରବିବାର ଟସ୍ ଜିତି ବିଶ୍ବମାନ୍ୟତାର ୮ଟି ସ୍ଥାନ ତଳେ ଥିବା ଆଫଗାନିସ୍ତାନ (ଦଶମ)କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ହିଁ ଶେଷରେ ମସ୍ତବଡ଼ ଭୁଲ୍ ପ୍ରମାଣିତ ହୋଇଥିଲା। ଆଫଗାନିସ୍ତାନର ଦୁଇ ଓପନର ରହମନୁଲ୍ଲା ଗୁରବାଜ୍ ଓ ଇବ୍ରହିମ ଜଦ୍ରାନ ପ୍ରଥମ ୱିକେଟ୍‌ରେ ୧୧୮ ରନ୍ ଯୋଡ଼ି କଙ୍ଗାରୁ ବୋଲରଙ୍କ ହୋସ୍ ଉଡ଼ାଇ ଦେଇଥିଲେ। ଶେଷ ଓଭରଗୁଡ଼ିକରେ ଅବଶ୍ୟ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ମ୍ୟାଚ୍‌କୁ ଫେରିଥିଲା। କମିନ୍ସ ତିନିଟି ବଲ୍‌ରେ ତିନିଜଣ ଆଫଗାନିସ୍ତାନ ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ତଥାପି ଦୃଢ଼ ମୂଳଦୁଆ ବଳରେ ଆଫଗାନସ୍ତାନ ୬ ୱିକେଟ୍ ହରାଇ ୧୪୮ ରନ୍ କରି ନେଇଥିଲା। ଅଷ୍ଟ୍ରେଲିଆର ତାରକା ଖଚିତ ବ୍ୟାଟିଂ ବାହିନୀ ପଶ୍ଚାତ୍‌ଧାବନର ଆଦ୍ୟ ପର୍ବରେ ହିଁ ଅଧା ମ୍ୟାଚ୍ ହାରି ଯାଇଥିଲା। ୩୨ ରନ୍‌ରେ ଟ୍ରାଭିସ୍ ହେଡ୍, ଡେଭିଡ୍ ୱାର୍ଣ୍ଣର ଓ ମାର୍ସଙ୍କୁ ହରାଇ ପଥ ହୁଡ଼ିଥିଲା। ଏହା ପରେ ମଧ୍ୟ ଅଷ୍ଟ୍ରେଲିଆର ବିପର୍ଯ୍ୟୟ ଧାରା ଜାରି ରହିଥିଲା। ଗ୍ଲେନ୍ ମ୍ୟାକ୍ସୱେଲ୍ ଅର୍ଦ୍ଧଶତକୀୟ ପାଳି ଖେଳି ଆଫଗାନ ବୋଲରଙ୍କ ଲୟ ବିଗାଡ଼ିବାକୁ ଚେଷ୍ଟା କରିବାରେ ସଫଳ ହୋଇଥିଲେ। ଅଷ୍ଟ୍ରେଲିଆର ଏଭଳି ଅଧୋପତନର ରଣନୀତିକାର ଥିଲେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବୁଲବଦ୍ଦିନ ନୈବ। ଶେଷରେ ସମସ୍ତ ଅଷ୍ଟ୍ରେଲିଆ ଦଳ ୪ ବଲ୍ ପୂର୍ବରୁ ୧୨୭ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। କଙ୍ଗାରୁ ପ୍ରଶଂସକ ହତବାକ୍ ‌ହୋଇଯାଇଥିଲେ। ଆଫଗାନ୍‌ ସମର୍ଥକ କିନ୍ତୁ ନାଚଗୀତରେ ଉତ୍ସବ ପାଳି ନିଜ ଦଳ ପ୍ରତି ଥିବା ଭଲପାଇବାକୁ ଦର୍ଶାଇଥିଲେ।

ସଂକ୍ଷିପ୍ତ ସ୍କୋର୍: ଆଫଗାନିସ୍ତାନ ୨୦ ଓଭରରେ ୧୪୮/୬ (ରହମନୁଲ୍ଲା ଗୁରବାଜ୍ ୬୦, ଇବ୍ରାହିମ ଜଦ୍ରାନ ୫୧, ପ୍ୟାଟ୍ କମିନ୍ସ ୩/୨୮, ଆଡାମ ଜାମ୍ପା ୨/୨୮)। ଅଷ୍ଟ୍ରେଲିଆ ୧୯.୨ ଓଭରରେ ୧୨୭ (ଗ୍ଲେନ୍ ମ୍ୟାକ୍ସୱେଲ୍ ୫୯, ଗୁଲବଦ୍ଦିନ ନୈବ ୪/୨୦, ନବୀନ-ଉଲ୍-ହକ୍ ୩/୨୦)।

ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଲଗାତାର ଦୁଇଟି ମ୍ୟାଚ୍‌ରେ ଦୁଇଟି ହ୍ୟାଟ୍ରିକ୍ ନେବାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସର ପ୍ରଥମ ବୋଲର ହୋଇଛନ୍ତି। ଦୁଇ ଦିନ ତଳେ ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା କମିନ୍ସ ରବିବାର କ୍ରମାଗତ ତିନିଟି ବଲ୍‌ରେ ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ୍, କରିମ ଜନତ ଓ ଗୁଲବଦ୍ଦିନ ନୈବଙ୍କୁ ଆଉଟ୍ କରି ଏଭଳି ବିରଳ ସଫଳତା ଲାଭ କରିଛନ୍ତି। କମିନ୍ସଙ୍କ ଆଫଗାନିସ୍ତାନ ବିପକ୍ଷ‌ ହ୍ୟାଟ୍ରିକ୍ କିନ୍ତୁ ଦୁଇଟି ଓଭରକୁ ଲମ୍ବି ଥିଲା। ଅଷ୍ଟାଦଶ ଓଭରର ଶେଷ ବଲ୍‌ରେ ରସିଦଙ୍କୁ ଟିମ୍ ଡେଭିଡଙ୍କ ହାତରେ କ୍ୟାଚ୍ କରାଇ ଏହାର ଶୁଭାରମ୍ଭ କରିଥିଲେ ସେ। ଗୋଟିଏ ଓଭର ବ୍ୟବଧାନରେ ଫେରି ୨୦ତମ ଓଭରର ପ୍ରଥମ ବଲ୍‌ରେ ଜନତଙ୍କୁ ସେହି ଡେଭିଡ୍ ଏବଂ ଦ୍ବିତୀୟ ବଲ୍‌ରେ ଗୁଲବଦ୍ଦିନଙ୍କୁ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ହାତରେ କ୍ୟାଚ୍‌ କରାଇ ମାତ୍ର ତିନି ଦିନ ଭିତରେ ଦୁଇଟି ହ୍ୟାଟ୍ରିକ୍ ନେବାର ଅନନ୍ୟ ଗୌରବ ହାସଲ କରିଥିଲେ କମିନ୍ସ। ଏହା ପୂର୍ବରୁ ପାକିସ୍ତାନ ଦ୍ରୁତ ବୋଲର ୱାସିମ ଆକ୍ରମ ୧୯୯୯ ମସିହାରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରେ ଲଗାତାର ହ୍ୟାଟ୍ରିକ୍ ନେଇଥିଲେ। ତେବେ ଅଷ୍ଟ୍ରେଲୀୟ ସ୍ପିନର୍ ଜିମ୍ମି ମାଥ୍ୟୁସ ୧୯୧୨ ମସିହାରେ ଖେଳିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ର ଉଭୟ ପାଳିରେ ହ୍ୟାଟ୍ରିକ୍ ନେବାର ଅସାଧାରଣ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର