ଆଫ୍ରିଦିଙ୍କୁ ଆକାଶଙ୍କ କଟାକ୍ଷ ‘ଭ୍ରାନ୍ତଧାରଣାର ଆରୋଗ୍ୟ ନାହିଁ’

ନୂଆଦିଲ୍ଲୀ: ‘ପାକିସ୍ତାନ ଭାରତକୁ ଏତ ଥର ହରାଇଛି ଯେ ପରାଜୟ ପରେ ସେଠାକାର ଖେଳାଳିମାନେ ଆମକୁ କ୍ଷମା ମାଗନ୍ତି’ ଏଭଳି ଏକ ମନ୍ତବ୍ୟ ଦେଇ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି। କରୋନା ସଂକ୍ରମଣରୁ ମୁକ୍ତ ହେବାର ଠିକ୍ ପରେ ପରେ ବାହାପିଆ ଆଫ୍ରିଦି କରିଥିବା ଏଭଳି ଗୁଲିଗପର ଉଚିତ ଜବାବ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା। ଆଫ୍ରିଦିଙ୍କ ମନ୍ତବ୍ୟର ଉତ୍ତର ରଖି ଭ୍ରାନ୍ତଧାରଣାର କୌଣସି ଆରୋଗ୍ୟ ନାହିଁ ବୋଲି ଆକାଶ ମତ ରଖିଛନ୍ତି। ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଆକାଶ କହିଛନ୍ତି ଯେ ଏକ ସମୟରେ ପାକିସ୍ତାନ ଉନ୍ନତ ଦଳ ଥିଲା। ଏବେବି ଏହା ଏକ ଭଲ ଦଳ ହୋଇ ରହିଛି। ହେଲେ ଏମିତି ଏକ ସମୟ ଥିଲା ଯେତେବେଳେ ପାକିସ୍ତାନ ସହ ଭାରତ ସାରଜାରେ ମ୍ୟାଚ୍ ଖେଳୁଥିଲା। ସେତେବେଳେ ସନ୍ତୁଳନ ପାକିସ୍ତାନ ଆଡ଼କୁ ଢଳି ରହିଥିଲା। ହେଲେ ଏହା ନିଶ୍ଚିତ ଭାବେ ଆଫ୍ରିଦିଙ୍କ ସମୟରେ ହୋଇ ନଥିଲା।

ପାକିସ୍ତାନର ଶକ୍ତି ହେଉଛି କଞ୍ଚା ପ୍ରତିଭା। ଇମ୍ରାନ୍ ଖାନ୍, ୱାସିମ ଆକ୍ରମ, ୱାକର ୟୁନିସଙ୍କ ଭଳି ଖେଳାଳି ବହୁତ ଭଲ କରୁଥିଲେ। ସେମାନେ ଭାରତକୁ ହରାଉଥିଲେ, ଏଥିରେ ସନ୍ଦେହ ନାର୍ହି। ଆଫ୍ରିଦି ଖେଳ ଆରମ୍ଭ କରିବାଠାରୁ ଅବସର ନେବା ପର୍ଯ୍ୟନ୍ତ କିନ୍ତୁ ସବୁକିଛି ବଦଳି ଯାଇଥିଲା। ନିଜ କଥାକୁ ପ୍ରମାଣିତ କରିବାକୁ ଯୋଇ ଆକାଶ ପରିସଂଖାନର ସହାୟତା ନେଇଛନ୍ତି। ‘‘ଆଫ୍ରିଦିଙ୍କ କାଳରେ ଭାରତ ଓ ପାକିସ୍ତାନ ୧୫ ଟେଷ୍ଟ୍ ଖେଳିଛନ୍ତି। ‌ଉଭୟ ଦଳ ୫ଟି ଲେଖାଏଁ ମୁକାବିଲା ଜିତିଛନ୍ତି। ଦିନିକିଆରେ ଭାରତଠାରୁ ପାକିସ୍ତାନ ମାତ୍ର ଦୁଇଟି ମ୍ୟାଚ୍ ଅଧିକ ଜିତିଛି। ୮୨ ମୁକାବିଲାରୁ ଭାରତ ୩୯ ମ୍ୟାଚ୍ ଜିତିଥିଲା ବେଳେ ପାକିସ୍ତାନ ୪୧ଟିରେ ବିଜୟୀ ହୋଇଛି। ଏଣୁ ମାତ୍ର ଦୁଇଟି ମ୍ୟାଚ୍ କମ୍ ଜିତି କୌଣସି ଦଳର ଖେଳାଳି କ୍ଷମା ମାଗୁଥିବେ ବୋଲି ମୁଁ ଭାବୁନି। ଟ୍ବେଣ୍ଟି-୨୦ ମୁକାବିଲାରେ ତ ଭାରତ ବହୁ ଆଗରେ ରହିଛି। ଏହି ଫର୍ମାଟ୍‌ରେ ପାକିସ୍ତାନ ବିପକ୍ଷରେ ଭାରତ ୭ ବିଜୟ ପାଇଥିଲା ବେଳେ ମାତ୍ର ଗୋଟିଏ ମ୍ୟାଚ୍ ହାରିଛି। ସମ୍ଭବତଃ ଆଫ୍ରିଦି ଆଉ କିଛି କହିବାକୁ ଚାହୁଁଥିଲେ। ହେଲେ ତାଙ୍କ ପାଟିରୁ ଅନ୍ୟ କିଛି ବାହାରି ଯାଇଥିଲା। ବିଶ୍ବକପ୍ କଥା ବିଚାରକୁ ନେଲେ ପାକିସ୍ତାନଠାରୁ ମଧ ଭାରତ ବହୁ ଆଗରେ ରହିଛି। ଅଷ୍ଟ୍ରେଲିଆ ଗସ୍ତ କଲା ବେଳେ ଭାରତ ଜିତିଥାଏ। ପାକିସ୍ତାନ କିନ୍ତୁ ପୂରା ଆତ୍ମସମର୍ପଣ କରିଥାଏ। ଏଣୁ ମୁଁ ଏତିକି କହିବି ଭ୍ରାନ୍ତ ଧାରଣାର କୌଣସି ଆରୋଗ୍ୟ ନାହିଁ’’

ସମ୍ବନ୍ଧିତ ଖବର