ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ନୂଆ ନୂଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଥାପି ଥାଆନ୍ତି। କ୍ରିକେଟ୍ ଦୁନିଆରେ ନିଜ ଛାପ ଛାଡ଼ିବାକୁ ସଂଘର୍ଷ କରୁଥିବା ଯୁବ ଆଫ୍ରିଦି ହଠାତ୍ ଚହଳ ସୃଷ୍ଟି କରନ୍ତି। ଶ୍ରୀଲଙ୍କା ବିପକ୍ଷରେ ୩୭ ବଲ୍‌ରୁ ଶତକ ଅର୍ଜନ କରି ନୂଆ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରି ନିଅନ୍ତି। ଦୀର୍ଘ ୨୩ ବର୍ଷ ତଳେ ଆଫ୍ରିଦି ସ୍ଥାପନ କରିଥିବା ଏହି ଦ୍ରୁତତମ ଶତକ କୀର୍ତ୍ତିମାନକୁ ଏବି ଡି’ ଭିଲିୟର୍ସ (୩୧ ବଲ୍ ଶତକ) ଓ କୋରି ଆଣ୍ଡରସନ୍ (୩୬ ବଲ୍ ଶତକ) ପରେ ଭାଙ୍ଗିଛନ୍ତି। ହେଲେ ଆଫ୍ରିଦି ହାସଲ କରିଥିବା ସେହି ବିସ୍ଫୋରକ ତଥା ଧୂଆଁଧାର ଶତକକୁ ଏବେ ବି କ୍ରିକେଟ୍ ପ୍ରେମୀ ଉଚ୍ଚ ମାନ୍ୟତା ପ୍ରଦାନ କରନ୍ତି। ଆଫ୍ରିଦିଙ୍କ ସେହି ସ୍ମରଣୀୟ ଶତକ ପଛରେ କିନ୍ତୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରଚ୍ଛନ୍ନ ହାତ ଥିଲା। କାରଣ ୧୯୯୬ ମସିହାରେ ଆଫ୍ରିଦି ତାଙ୍କ ବିଶ୍ବ କୀର୍ତ୍ତିମାନଭରା ଶତକ ସଚିନଙ୍କ ବ୍ୟାଟ୍ ବ୍ୟବହାର କରି ହାସଲ କରିଥିଲେ। ନିଜେ ଆଫ୍ରିଦି ଏହି କଥା ଖୋଲି କହିଛନ୍ତି। ନିଜ ଆତ୍ମଜୀବନୀ ‘ଗେମ୍ ଚେଞ୍ଜର’ରେ ଆଫ୍ରିଦି ଲେଖିଛନ୍ତି ଯେ ଶ୍ରୀଲଙ୍କା ମ୍ୟାଚ୍‌ର କିଛି ଦିନ ପୂର୍ବରୁ ସଚିନ ନିଜର ଏକ ପ୍ରିୟ ବ୍ୟାଟ୍‌କୁ ୱାକର ୟୁନିସଙ୍କୁ ଦେଇଥିଲେ। ପାକିସ୍ତାନର ବିଶ୍ବ ପ୍ରସିଦ୍ଧ କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତକାରୀ ସହର ସିଆଲକୋଟରେ ଏହାର ଏକ ଅବିକଳ ନକଲ ପ୍ରସ୍ତୁତ କରିବାକୁ ସଚିନ ତାଙ୍କୁ ଅନୁରୋଧ କରିଥିଲେ। ହେଲେ ସଂପୃକ୍ତ ବ୍ୟାଟ୍‌କୁ ସିଆଲକୋଟ ନେବା ପରିବର୍ତେ ୟୁନିସ୍ ଏହାକୁ ମୋତେ ଦେଇଥିଲେ। ମୁଁ ବ୍ୟାଟିଂକୁ ଓହ୍ଲାଇବାର ଠିକ୍ ପୂର୍ବରୁ ହିଁ ସେ ମୋତେ ବ୍ୟାଟ୍‌ଟିକୁ ହସ୍ତାନ୍ତର କରିଥିଲେ। ମୁଁ ସେହି ବ୍ୟାଟ୍‌ରେ ହିଁ ନାଇରୋବିରେ ମୋ ପ୍ରଥମ ଶତକ ଅର୍ଜନ କରିଥିଲି। ଏଣୁ ସେହି ଶତକ ପଛରେ ସଚିନଙ୍କ ହାତ ଥିଲା ବୋଲି କହିବି। ଆଫ୍ରିଦି ତାଙ୍କର ସେହି ୧୦୨ ରନ୍ ପାଳିରେ ୧୧ ଛକା ଓ ୬ ଚୌକା ମାରିଥିଲେ। ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୨୫୫। ଶତକ ପୂରଣ କରିବା ପାଇଁ ସେ ମାତ୍ର ୩୭ ବଲ୍ ନେଇଥିଲେ। ଆଫ୍ରିଦି ନିଜ ଦ୍ବିତୀୟ ମ୍ୟାଚ୍ ଖେଳୁଥିଲା ବେଳେ ପ୍ରଥମ ଥର ପାଇଁ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ। ଏହା ପୂର୍ବ ରାତିରେ ଏକ ନାଟକୀୟ ଘଟଣା ଘଟିଥିଲା ବୋଲି ଆଫ୍ରିଦି କହିଛନ୍ତି। ଶ୍ରୀଲଙ୍କା ସ୍ପିନରଙ୍କୁ ଛକା-ଚୌକା ମାରୁଥିବାର ସ୍ବପ୍ନ ଦେଖିଥିଲେ ସେ। ଏହି ବିଷୟରେ ସାଥୀ ଖେଳାଳି ସଦାବ କବିରଙ୍କୁ ମଧ୍ୟ ଆଫ୍ରିଦି କହିଥିଲେ। କବିର ତାଙ୍କ ରୁମ୍ ମେଟ୍ ଥିଲେ। ସେ ପାକିସ୍ତାନ ପାଇଁ ୫ ଟେଷ୍ଟ ଏବଂ ୩ ଦିନିକିଆ ଖେଳିଥିଲେ। ଆଫ୍ରିଦି ଏହି ଘଟଣାକୁ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି ଜୟସୂରିଆ, ମୁରଲୀଧରନ୍ ଓ ଧର୍ମସେନାଙ୍କୁ ବିଶାଳ ଛକା ମାରୁଥିବାର ସ୍ବପ୍ନ ମୁଁ ପୂର୍ବ ରାତିରେ ଦେଖିଥିଲି। ଏହା ଶୁଣି ଭଗବାନ କରନ୍ତୁ, ଏହା ହିଁ ଘଟୁ ବୋଲି ସଦାବ କହିଥିଲେ। ତାଙ୍କ କଥା ପୂରା ସତ ପ୍ରମାଣିତ ହୋଇଥିଲା। ପରଦିନ ମୁଁ ଜୟସୂରିୟାଙ୍କ ସହ ସବୁ ଶ୍ରୀଲଙ୍କା ବୋଲରଙ୍କୁ ନିଧୁର୍ମ ଛେଚି କ୍ରିକେଟ୍ ଇତିହାସରେ ନିଜ ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ନେଇଥିଲି। ଏହି ଶତକକୁ ନେଇ ଆଉ ଏକ ବିବାଦୀୟ ତଥ୍ୟ ଉପରୁ ମଧ୍ୟ ଆଫ୍ରିଦି ପରଦା ଉଠାଇଛନ୍ତି। ନାଇରୋବି ଶତକ ବଳରେ ଆଫ୍ରିଦିଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡ ଜଣାଇଥିଲା। ଫଳରେ ସେ ଅଧିକ ଚର୍ଚିତ ହୋଇଯାଇଥିଲେ। ତେବେ ଏହା ଏକ ଡାହା ମିଛ ଥିଲା ବୋଲି ଆଫ୍ରିଦି ସ୍ବୀକାର କରିଛନ୍ତି। ପ୍ରକୃତରେ ମୋତେ ସେତେବେଳେ ୨୧ ବର୍ଷ ହୋଇଥିଲା, ୧୬ ନୁହେଁ। ମୁଁ ୧୯୭୫ରେ ଜନ୍ମ ଗ୍ରହଣ କରିଥିଲି। ଅଧିକାରୀମାନେ ମୋ ବୟସକୁ ସେତେବେଳେ ଭୁଲ ଭାବେ ୧୬ ଦର୍ଶାଇଥିଲେ ବୋଲି ସେ ଲେଖିଛନ୍ତି।

Advertisment

ତୁମକୁ ଚିକିତ୍ସା ଦରକାର, ପାକିସ୍ତାନ ଆସ: ଆଫ୍ରିଦି
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ଏବଂ ଭାରତୀୟ ବିଶ୍ବକପ୍ ବିଜୟୀ ତାରକା ଗୌତମ ଗମ୍ଭୀରଙ୍କ ମଧ୍ୟରେ ଚଲିଥିବା କଥା କଟାକଟି କ୍ରମଶଃ ଘନେଇବାରେ ଲାଗିଛି। ଶନିବାର ଆଫ୍ରିଦିଙ୍କୁ ମନୋଚିକିତ୍ସକଙ୍କ ପାଖକୁ ନେବାକୁ ଗମ୍ଭୀର ପ୍ରସ୍ତାବ ଦେଇଥିଲେ। ଆଫ୍ରିଦି ରବିବାର ଏହାର ଉତ୍ତର ରଖି ଗମ୍ଭୀରଙ୍କୁ ପାଲଟା ଚିକିତ୍ସା ପ୍ରସ୍ତାବ ଦେଇଛନ୍ତି। ଗମ୍ଭୀରଙ୍କ ଟ୍ବିଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆଫ୍ରିଦି କହିଛନ୍ତି ଗମ୍ଭୀରଙ୍କର କିଛି ସମସ୍ୟା ଥାଇପାରେ। ମୁଁ କେତେକ ଡାକ୍ତରଖାନା ସହ କାମ କରୁଛି। ମୁଁ ତାଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିପାରିବି। ଗମ୍ଭୀରଙ୍କ ପାଇଁ ଭିସା ଯୋଗାଡ଼ କରିବାକୁ ମଧ୍ୟ ଏହି ଅବସରରେ ଆଫ୍ରିଦି ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ଭାରତ ସରକାର ସାଧାରଣତଃ ଆମ ଦେଶର ଲୋକଙ୍କୁ ଭିସା ଦେଉ ନାହାନ୍ତି। ମୁଁ କିନ୍ତୁ ଉଭୟ ଭାରତ ଓ ପାକିସ୍ତାନର ନାଗରିକଙ୍କୁ ସ୍ବାଗତ କରିବି। ଆମ ଲୋକ ଏବଂ ସରକାର ସବୁବେଳେ ଭାରତୀୟଙ୍କୁ ଖୋଲା ହୃଦୟରେ ସ୍ବାଗତ କରିଛନ୍ତି। ଗୌତମଙ୍କ ପାଇଁ ମୁଁ ନିଜେ ଭିସା ଯୋଗାଡ଼ କରିଦେବି। ସେ ଆମ ଦେଶରେ ଚିକିତ୍ସିତ ହୋଇ ପାରିବେ।