ଆଫ୍ରିଦି କରୋନା ଆକ୍ରାନ୍ତ

କରାଚି: ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ସାହିଦ ଆଫ୍ରିଦି କରୋନା ଆକ୍ରାନ୍ତ ହୋଇଛନ୍ତି। ଶନିବାର ତାଙ୍କ କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ଫଳରେ ଏହି ମହାମାରୀ ଭୂତାଣୁରେ ସଂକ୍ରମିତ ହେବାରେ ଆଫ୍ରିଦି ପ୍ରଥମ ଚର୍ଚ୍ଚିତ କ୍ରିକେଟର୍‌ ହୋଇଛନ୍ତି। ମୁଁ ଗୁରୁବାରଠାରୁ ଅସୁସ୍ଥ ଅନୁଭବ କରିଥିଲି। ମୋର ଦେହ ପୂରା ଖରାପ ହୋଇଯାଇଥିଲା। ଫଳରେ ମୋର ପରୀକ୍ଷା କରାଯାଇଥିଲା ଏବଂ ଦୁର୍ଭାଗ୍ୟବଶତଃ କରୋନା ପଜିଟିଭ୍‌ ବାହାରିଲା। ଦ୍ରୁତ ଆରୋଗ୍ୟ ପାଇଁ ଇନ୍‌ସାଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ନିଜ ଟ୍ବିଟରରେ ଘୋଷଣା କରିଛନ୍ତି ଆଫ୍ରିଦି।

ପୁଣି ପାକିସ୍ତାନ ଦଳୀୟ ସାଥୀ ମହମ୍ମଦ ହାଫିଜ୍‌, କମ୍ରାନ୍‌ ଆକ୍‌ମଲ ଏବଂ ପାକ୍‌ କ୍ରିକେଟ୍‌ ବୋର୍ଡ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିବା କଥା ମଧ୍ୟ ଟ୍ବିଟରରେ ଆଫ୍ରିଦି ପ୍ରକାଶ କରିଛନ୍ତି। ‘ଖୁବ୍‌ ଶୀଘ୍ର ସୁସ୍ଥ ହୋଇଯାଅ, ତୁମ ପାଇଁ ଆମେ ପ୍ରାର୍ଥନା କରୁଛୁ’ ବୋଲି ପିସିସି ଟ୍ବିଟ୍‌ କରିଛି। ହାଫିଜ୍‌ ତାଙ୍କ ଟ୍ବିଟର୍‌ ଆକାଉଣ୍ଟରେ ଲେଖିଛନ୍ତି, ଆଫ୍ରିଦି ପ୍ରକୃତିରେ ଜଣେ ଯୋଦ୍ଧା। ତେଣୁ ସେ ନିଶ୍ଚିତ କରୋନା ଭୂତାଣୁ ବିପକ୍ଷରେ ଲଢ଼ି ଖୁବ୍‌ ଶୀଘ୍ର ତାକୁ ପରାସ୍ତ କରିଦେବେ। ଆକ୍‌ମଲ ମଧ୍ୟ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା ସହ ସୁସ୍ଥ ଓ ନିରାପଦ ରୁହ, ଖୁବ୍‌ ଶୀଘ୍ର ‌ଆରୋଗ୍ୟ ଲାଭ କର ବୋଲି ଟ୍ବିଟ୍‌ କରିଛନ୍ତି। ଏହା ପୂର୍ବରୁ ଅନ୍ୟତମ ପୂର୍ବତନ ପାକିସ୍ତାନୀ ଆନ୍ତର୍ଜାତିକ କ୍ରିକେଟର୍‌ ତୌଫିକ୍‌ ଉମର କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ଚଳିତ ମାସରେ ସୁସ୍ଥ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ଦୁଇ ଜଣ ପ୍ରଥମ ଶ୍ରେଣୀ କ୍ରିକେଟର୍‌ ଏହି ଭୂତା‌ଣୁ ସଂକ୍ରମଣରେ ମୃତ୍ୟୁ ବରଣ କରିସାରିଛନ୍ତି। ସେମାନେ ହେଲେ ଲେଗ୍‌ ସ୍ପିନର ରିଆଜ୍‌ ସେଖ୍‌ ଏବଂ ଜାଫର ସର୍ଫରାଜ। ରିଆଜ୍‌ ଚଳିତ ମାସରେ କରାଚିରେ ଏବଂ ସର୍ଫରାଜ ଏପ୍ରିଲରେ ପେସୱାରରେ ପରଲୋକ ଗମନ କରିଛନ୍ତି।

ସମ୍ବନ୍ଧିତ ଖବର